କରୋନା ଟିକାର ଦାମକୁ ନେଇ ବଢ଼ୁଛି ଦ୍ୱନ୍ଦ୍ୱ । ରାଜ୍ୟରେ ମାଗଣା ଟିକା ଦେବା ଦାବି ଭିତରେ ଆରମ୍ଭ ହେଲା ବିତର୍କ ।

167

କନକ ବ୍ୟୁରୋ: ମହାମାରୀ କାଳରେ ଜୀବନ ରକ୍ଷା ପାଇଁ ଲୋକଙ୍କୁ ଟିକା ଦେବା ରାଷ୍ଟ୍ରର ଯେତେ ବଡ଼ ଦାୟିତ୍ୱ, ନିଜ ଖର୍ଚ୍ଚରେ ଟିକା କିଣି ନେଇପାରୁଥିବା ବ୍ୟକ୍ତି ଟିକା ନେଇ ରାଷ୍ଟ୍ରର ବୋଝକୁ କମାଇବା ମଧ୍ୟ ସେତେ ବଡ଼ କର୍ତବ୍ୟ । ଯେତେବେଳେ ଦେଶର ୧୦ରୁ ଅଧିକ ରାଜ୍ୟ ମାଗଣା ଟିକା ଦେବା ପାଇଁ ଘୋଷଣା କରିସାରିଛନ୍ତି, ଠିକ୍ ସେତେବେଳେ ଓଡ଼ିଶାରେ ଲୋକଙ୍କୁ ମାଗଣାରେ ଟିକା ଯୋଗାଇ ଦେବା ନେଇ ଆରମ୍ଭ ହୋଇଛି ରାଜନୀତି । ଟିକାର ଦାମକୁ ନେଇ ଆପତି ଉଠାଇଥିବା କଂଗ୍ରେସ, ରାଜ୍ୟବାସୀଙ୍କୁ ମାଗଣା ଟିକା ଯୋଗାଇ ଦେବା ପାଇଁ ଦାବି କରିଥିବା ବେଳେ କେନ୍ଦ୍ର ସରକାର ରାଜ୍ୟ ଉପରେ ଅଧିକ ଚାପ ନପକାଇବାକୁ ଦାବି କରିଛି ।

ମେ’ ପହିଲାରୁ ଆହୁରି ବ୍ୟାପକ ହେବାକୁ ଯାଉଛି ଦେଶରେ ଟିକାକରଣ ଅଭିଯାନ । ତୃତୀୟ ପର୍ଯ୍ୟାୟରେ ୧୮ ବର୍ଷରୁ ୧୫ ବର୍ଷ ବୟସ୍କଙ୍କୁ ଟିକାକରଣ ଆରମ୍ଭ ହେଉଥିବା ବେଳେ ୧୦ରୁ ଅଧିକ ରାଜ୍ୟରେ ମାଗଣାରେ କରୋନା ଟିକା ଦେବା ପାଇଁ ଘୋଷଣା ହୋଇଛି । ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ହିମାଚଳ ପ୍ରଦେଶ, ଛତିଶଗଡ଼, ବିହାର, ଝାଡ଼ଖଣ୍ଡ, ଆସାମ, ତାମିଲନାଡୁ, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା ଭଳି ରାଜ୍ୟରେ ମାଗଣା ଟିକା ଦେବା ପାଇଁ ଘୋଷଣା ହୋଇଥିବା ବେଳେ ଓଡ଼ିଶାରେ ମାଗଣା ଟିକା ଦେବା ନେଇ ଦାବି କରିଛି କଂଗ୍ରେସ ।

ଗୋଟିଏ ପଟେ ମାଗଣା ଟିକାକୁ ନେଇ ଦାବି ଉଠୁଥିବା ବେଳେ ଆଉ ଗୋଟିଏ ପଟେ ଟିକାର ଦାମକୁ ନେଇ ଉଠିଛି ପ୍ରଶ୍ନ । କୋଭିସିଲ୍ଡ ଓ କୋଭାକ୍ସିନ୍ ଟିକାର ଅଲଗା ଅଲଗା ଦାମ, ଭିତରେ କେନ୍ଦ୍ର ସରକାରଠାରୁ ରାଜ୍ୟ ସରକାରଙ୍କୁ ଟିକା ପାଇଁ ଅଧିକ ଖର୍ଚ୍ଚ କରିବାକୁ ପଡ଼ିବ । ଯାହା ରାଜ୍ୟ ସରକାର ଉପରେ ଅଧିକ ବୋଝ ପଡ଼ିବ ବୋଲି ବିଜେଡି କହିଛି । ଏପଟେ ବିଜେପି କହିଛି- ସ୍ୱଚ୍ଛଳ ବର୍ଷ ଘରୋଇ ହସ୍ପିଟାଲରେ ଟିକା ନେଇପାରିବେ । ତେବେ ରାଜ୍ୟ ସରକାର ବି ମାଗଣାରେ ଟିକା ଦେବା ପାଇଁ ଘୋଷଣା କରନ୍ତୁ ବୋଲି କହିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ।

ରାଜନୀତିର ଏହି ବୟାନବାଜି ଭିତରେ କିନ୍ତୁ ଟିକାକରଣ କେମିତି ସୁରୁଖୁରୁରେ ହେବ ଏବଂ ସମସ୍ତଙ୍କୁ ସୁବିଧାରେ ଟିକା ଦିଆଯାଇପାରିବ, ତାହା ହିଁ ବର୍ତମାନ ସମୟରେ ବଡ଼ ଆହ୍ୱାନ । କାରଣ, ମହାମାରୀକୁ ରୋକିବାକୁ ଟିକା ପ୍ରମୁଖ ଅସ୍ତ୍ର । ତେବେ ପ୍ରଶ୍ନ ଉଠୁଛି-

– ସମସ୍ତଙ୍କୁ ଟିକା ଯୋଗାଇ ଦେବା ରାଷ୍ଟ୍ରର ଦାୟିତ୍ୱ ନୁହେଁ କି?
– ଟିକାକରଣରେ ସମସ୍ୟା ହେଲେ ମହାମାରୀକୁ ରୋକିବା କଷ୍ଟକର ହେବ ନାହିଁ କି?
– ନିଜ ଖର୍ଚ୍ଚରେ ଟିକା ନେବା ପାଇଁ ସକ୍ଷମ ଥିବା ବ୍ୟକ୍ତି, ରାଷ୍ଟ୍ର ଉପରେ ବୋଝ ହେବେ କାହିଁକି?
– ରାଜ୍ୟ ଓ କେନ୍ଦ୍ର ପାଇଁ ଟିକାର ଅଲଗା ଅଲଗା ଦାମ ରହିଲେ, ଏହା ଟିକାକରଣକୁ ପ୍ରଭାବିତ କରିବ ନା ନାହିଁ?