କନକ ବ୍ୟୁରୋ: ରାଜ୍ୟରେ ଜିଲ୍ଲାସ୍ତରରେ କର୍କଟ ରୋଗୀଙ୍କ ସହାୟତା ପାଇଁ ଯୋଜନା କରିଛନ୍ତି ସରକାର। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କେମୋଥେରାପି ବ୍ୟବସ୍ଥା କରାଯାଇଛି। ତୃଣମୂଳସ୍ତରରେ କର୍କଟ ରୋଗର ଚିକିତ୍ସା ପାଇଁ ଉଦ୍ୟମ ହେଉଥିବା ବେଳେ ରାଜଧାନୀରେ ଏହା ଏକପ୍ରକାର ବିଫଳ ହୋଇଛି। ଅଧିକାଂଶ ସମୟରେ ରାଜ୍ୟ ଔଷଧ ନିଗମରୁ ଆବଶ୍ୟକ ଔଷଧ ଯୋଗାଣ ହୋଇ ନ ଥିବା ରୋଗୀଙ୍କୁ କୁହାଯାଉଛି। ଅନେକ ଦାମୀ ଔଷଧ ପାଇଁ ରୋଗୀଙ୍କୁ ହଜାର ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି।

Advertisment

ଅପରପକ୍ଷରେ ରାଜ୍ୟ ଔଷଧ ନିଗମ ମଧ୍ୟ ଠିକ୍ ସମୟରେ ହସ୍ପିଟାଲଗୁଡ଼ିକୁ ଔଷଧ ଯୋଗାଇବାରେ ବିଫଳ ହୋଇଛି। କେବଳ କର୍କଟ ରୋଗର ଔଷଧ ନୁହେଁ, ‘ନିରାମୟ’ ଯୋଜନାରେ ସରକାରୀ ଡାକ୍ତରଖାନାଗୁଡ଼ିକୁ ଦିଆଯାଉଥିବା ଅଧିକାଂଶ ଔଷଧ ଅନେକ ସମୟରେ ଉପଲବ୍ଧ ହେଉନାହିଁ। ପ୍ରତିବର୍ଷ ନିରାମୟରେ ଔଷଧ ସଂଖ୍ୟା ବଢ଼ୁଛି ସତ ଆବଶ୍ୟକତା ସମୟରେ ରୋଗୀଙ୍କୁ ବାହାରୁ କିଣିବାକୁ ପଡ଼ୁଛି। ହସ୍ପିଟାଲଗୁଡ଼ିକ ଯେତିକି ଇଣ୍ଡେଣ୍ଟ ବା ଆବଶ୍ୟକତା ଦେଉଛନ୍ତି ସେତିକି ଔଷଧ ଯୋଗାଣ ବାହାନା ଦେଖାଇ ଔଷଧ ନିଗମ ସବୁବେଳେ ଦୋଷ ଛଡ଼ାଇବାରେ ବ୍ୟସ୍ତ। ରାଜ୍ୟ ବିଭିନ୍ନ ଡ୍ରଗ୍ ୱେୟାର ହାଉସରେ ମନିଟରିଂ ବା ତଦାରଖ ଠିକ୍ ଭାବେ କରାଯାଉ ନ ଥିବା କାରଣରୁ ଏଭଳି ସମସ୍ୟା ସୃଷ୍ଟି ହେଉଛି। ମାତ୍ର ଦାମୀ ଔଷଧ କାଳେ ନଷ୍ଟ ହୋଇଯିବ ସେହି ଆଶଙ୍କାରେ ଔଷଧ ନିଗମ ଅଧିକ ସଂଖ୍ୟାରେ ଔଷଧ କିଣୁ ନ ଥିବା ଅଭିଯୋଗ ହେଉଛି। ଏହି କାରଣରୁ ସରକାରୀ ଡାକ୍ତରଖାନାଗୁଡ଼ିକରେ ଔଷଧ ନିଅଣ୍ଟ ହେଉଛି।

କ୍ୟାପିଟାଲ ହସ୍ପିଟାଲରେ କେମୋ ଥେରାପି ବ୍ୟବସ୍ଥା ଆରମ୍ଭ ହେବା ପରେ ଏଠାରେ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ରାଜ୍ୟର ବିଭିନ୍ନ ସ୍ଥାନରୁ ରୋଗୀମାନେ ଏଠାକୁ ଚିକିତ୍ସା ପାଇଁ ଆସୁଛନ୍ତି। ୨୦୧୮ ମସିହା ଭିତରେ ହସ୍ପିଟାଲରେ ୭ହଜାରରୁ ଅଧିକ କେମୋ ଦିଆଯାଇଛି। ହସ୍ପିଟାଲରେ ପ୍ରଥମ ଓ ଦ୍ବିତୀୟ ସ୍ତର ପର୍ଯ୍ୟନ୍ତ କେମୋ ଦିଆଯାଉଛି। ମାତ୍ର ଅଧିକାଂଶ ଦାମୀ ଔଷଧ ହସ୍ପିଟାଲରେ ମିଳୁନାହିଁ। ଟ୍ରାସଜୁମା, ଭିନପିଷ୍ଟିନ୍ ଭଳି ଅନେକ ଔଷଧ ମିଳୁ ନ ଥିବାରୁ ରୋଗୀଙ୍କୁ ବାହାରୁ କିଣିବାକୁ ପଡ଼ୁଛି। ଟ୍ରାସଜୁମା ବାହାର ଔଷଧ ଦୋକାନରେ ୧୨/୧୪ ହଜାର ଟଙ୍କା ପଡ଼ୁଛି। ଗୋଟିଏ ଗୋଟିଏ କୋର୍ସ ସାରିବା ପାଇଁ ଜଣେ ରୋଗୀଙ୍କୁ ୨/୩ଲକ୍ଷ ଟଙ୍କା ଖର୍ଚ କରିବାକୁ ପଡ଼ିଥାଏ। ଏଥିରେ ସର୍ବାଧିକ ଶୋଷଣର ଶିକାର ହେଉଛନ୍ତି ମଧ୍ୟବିତ୍ତ ବର୍ଗ। ଯେଉଁମାନଙ୍କର ବିପିଏଲ କାର୍ଡ ରହିଛି କିମ୍ବା ଆୟ ସାର୍ଟିଫିକେଟ୍ ଦାଖଲ କରୁଛନ୍ତି ସେମାନଙ୍କୁ ରାଜ୍ୟ ଚିକିତ୍ସା ପାଣ୍ଠି ବା ଓଏସ୍ଟିଏଫ୍ରୁ ମାଗଣାରେ କେମୋ ଦିଆଯାଉଛି। ମାତ୍ର ଯେଉଁମାନଙ୍କର ଏଭଳି କାର୍ଡ ନାହିଁ କିମ୍ବା ପେନସନ ପାଉଛନ୍ତି ସେମାନଙ୍କୁ ଓଏସ୍ଟିଏଫ୍ରୁ ସୁବିଧା ମିଳୁନାହିଁ। ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ସରକାରୀ ଡାକ୍ତରଖାନାକୁ ବଜେଟର ୨୦ ପ୍ରତିଶତ ଅର୍ଥ ଔଷଧ ଓ ଅନ୍ୟାନ୍ୟ ସାମଗ୍ରୀ କିଣିବା ପାଇଁ ଦିଆଯାଉଛି। ମାତ୍ର କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷ ଅଧିକାଂଶ କର୍କଟ ରୋଗର ଔଷଧ କିଣୁ ନ ଥିବା ଜଣାପଡ଼ିଛି।