୨୦୨୪ ଲୋକସଭା ନିର୍ବାଚନ ପାଇଁ ବିଜେପି ଜାରିକଲା ଘୋଷଣାପତ୍ର । ଜାଣନ୍ତୁ ସରକାରକୁ ଆସିଲେ କ’ଣ ମାଗଣା ଦେବାକୁ ବିଜେପି ଦେଲା ପ୍ରତିଶ୍ରୁତି

1,320

କନକ ବ୍ୟୁରୋ : ୨୦୨୪ ଲୋକସଭା ପାଇଁ ବିଜେପି ଆଜି ପ୍ରତିଶ୍ରୁତି ପତ୍ର ଜାରି କରିଛି । ବିଜେପି ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂକଳ୍ପପତ୍ରର ଅନାବରଣ କରିଛନ୍ତି । ଏହି କ୍ରମରେ ସେ କହିଛନ୍ତି , ଯଦି ଦେଶରେ ବିଜେପି ସରକାର ଗଠନ ହୁଏ ତେବେ ଆଗାମୀ ୫ବର୍ଷ ପାଇଁ କଣ କାମ କରିବେ ଓ ଭୋଟରଙ୍କୁ କ’ଣ କ’ଣ ମାଗଣାରେ ଯୋଗାଇ ଦେବେ ତାହା ଏହି ଘୋଷଣାପତ୍ରରେ ଲେଖାଯାଇଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଘୋଷଣାପତ୍ରରେ ବିଶେଷ ଭାବେ ୪ଟି ବର୍ଗର ଲୋକଙ୍କୁ ପ୍ରାଧାନ୍ୟ ଦିଆଯାଇଛି । ତାହା ମଧ୍ୟରେ କୃଷକ, ଗରିବ, ଯୁବକ ଓ ମହିଳାମାନେ ରହିଛନ୍ତି । ବିଜେପି ସରକାର ପୁଣି ଗଠନ ହେଲେ ଏହି ୪ବର୍ଗ ଉପରେ ବିଶେଷ ଧ୍ୟାନ କେନ୍ଦିତ୍ର କରି ସେମାନଙ୍କ ବିକାଶ ଉପରେ କାର୍ଯ୍ୟ କରାଯିବ । ଏହାସହ ସରକାର ଆସିଲେ ମାଗଣାରେ ଏସବୁ ଜିନିଷ ପ୍ରଦାନ କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଯାହା ମଧ୍ୟରେ ରହିଛି ….

୫ବର୍ଷ ପାଇଁ ମାଗଣା ରାସନ :
ପ୍ରଧାନମନ୍ତ୍ରୀ କହିଛନ୍ତି ଯଦି ଦେଶରେ ବିଜେପି ସରକାର ଗଠନ ହୁଏ ତେବେ ଆଗାମୀ ୫ବର୍ଷ ପର୍ଯ୍ୟନ୍ତ ରାସନକାର୍ଡଧାରୀଙ୍କୁ ମାଗଣା ରାସନ ଯୋଗାଇ ଦିଆଯିବ । ଏହି ଯୋଜନା ୨୦୨୦ରୁ ଆରମ୍ଭ ହୋଇଥିଲା , ଏହି ଯୋଜନା କ୍ରମରେ ସରକାରଙ୍କ କହିବା ମୁତାବକ ଦେଶର ୮୦ କୋଟି ପରିବାର ଉପକ୍ୟୃତ ହେଉଛନ୍ତି । ଏହାସହ ଆଗାମୀ ୫ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ପରିସର ବୃଦ୍ଧି କରାଯିବ । ଗତ ୫ବର୍ଷ ମଧ୍ୟରେ ଦେଶର ୪ କୋଟି ଗରିବ ପରିବାରକୁ ଆବାସ ଯୋଜନା ଘର ମିଳିଥିବା କଥା ପ୍ରଧାନମନ୍ତ୍ରୀ କହିଛନ୍ତି ।

୭୦ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା
ପ୍ରଧାନମନ୍ତ୍ରୀ କହିଛନ୍ତି କି, ଆୟୁଷ୍ମାନ ଭାରତ ଯୋଜନା କ୍ରମରେ ଗରିବ ପରିବାରର ପ୍ରତିଟି ବ୍ୟକ୍ତିଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଛି । ସେ କହିଛନ୍ତି କି, ଆଗାମୀ ଦିନରେ ଏହାର ପରିସର ବୃଦ୍ଧି କରାଯିବ । ୭୦ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ଏହି ସ୍ୱାସ୍ଥ୍ୟସେବାରେ ସାମିଲ କରାଯିବ । ଏହାସହ ଜନଔଷଧୀ କେନ୍ଦ୍ର ମାଧ୍ୟମରେ ୮୦ ପ୍ରତିଶତ ରିହାତିରେ ଔଷଧ ଯୋଗାଇ ଦିଆଯିବ ।

ପାଇପ୍ ଲାଇନ୍ ମାଧ୍ୟମରେ ରୋଷେଇ ଗ୍ୟାସ ଯୋଗାଣ
ଉଜ୍ୱଳା ଯୋଜନା କ୍ରମରେ କେନ୍ଦ୍ର ସରକାର ଆଗାମୀ ୫ ବର୍ଷ ମଧ୍ୟରେ ପ୍ରତି ଗରିବ ପରିବାରକୁ ପାଇପ୍ ଲାଇନ୍ ମାଧ୍ୟମରେ ରୋଷେଇ ଗ୍ୟାସ ଯୋଗାଇ ଦିଆଯିବ । ଏହାସହ ଆଗାମୀ ୫ବର୍ଷ ମଧ୍ୟରେ ୩ କୋଟି ଗରିବ ପରିବାରକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପ୍ରଦାନ କରାଯିବ ।

ମାଗଣା ବିଜୁଳି, ମୁଦ୍ରା ଯୋଜନା
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନା ମାଧ୍ୟମରେ ପ୍ରତି ପରିବାରକୁ ୩୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଜୁଳି ଯୋଗାଇ ଦିଆଯିବ । ଏହାସହ ମୁଦ୍ରା ଯୋଜନାର ସୀମା ୧୦ ଲକ୍ଷରୁ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯିବ ।