ଦେଶ ମାତୃକାର ସେବା ପାଇଁ ଗାଁରେ ଗଢା ହେଉଛନ୍ତି ଯବାନ : ସେନାରେ ସାମିଲ ପାଇଁ ଯୁବପିଢିଙ୍କୁ ଉତ୍ସାହିତ କରୁଛନ୍ତି; ମାଗଣାରେ ପ୍ରଶିକ୍ଷଣ ଦେଉଛନ୍ତି ଓଡ୍ରାଫ ହାବିଲଦାର ରାଜେଶ

74

କନକ ବ୍ୟୁରୋ : କୋରାପୁଟ ଜିଲ୍ଲାର ଅନେକ ପିଲାଙ୍କ ସ୍ୱପ୍ନ ଦେଶ ସୁରକ୍ଷାରେ ସାମିଲ ହେବେ । ଶତ୍ରୁ ସହ ଲଢିବେ । ହେଲେ ପ୍ରଶିକ୍ଷଣ ପାଇଁ ଜିଲ୍ଲାରେ କୌଣସି ବ୍ୟବସ୍ଥା ନାହିଁ । ହେଲେ ଏବେ ଆଉ ପିଲାଙ୍କ ସ୍ୱପ୍ନ ଅଧୁରା ରହିବ ନାହିଁ । କାରଣ ସେମାନଙ୍କୁ ସେନାରେ ସାମିଲ କରାଇବା ପାଇଁ ପଣ କରିଛନ୍ତି ଓଡ୍ରାଫର ହାବିଲଦାର ରାଜେଶ ସାହୁ ।

କୋରାପୁଟ ଜିଲ୍ଲାର ପ୍ରତି ଘରୁ ବାହାରିବେ ଯବାନ, ଯୋଗ ଦେବେ ଭାରତୀୟ ସେନାରେ । ଅଭାବ ଅସୁବିଧା ଅବା ତାଲିମ ସେମାନଙ୍କୁ ଅଟକାଇ ପାରିବନି। ଏହି ଲକ୍ଷ୍ୟ ନେଇ ଓଡ୍ରାଫ ହାବିଲଦାର ରାଜେଶ କୁମାର ସାହୁ ୨୦୧୭ରୁ ମାଗଣାରେ ପ୍ରଶିକ୍ଷଣ ଦେଉଛନ୍ତି । ଯୁବପିଢି ବେକାର ହୋଇ ବୁଲୁଥିବା ବେଳେ ସେମାନଙ୍କୁ ଉପଯୁକ୍ତ ତାଲିମ ଦେଇ ଭାରତୀୟ ସେନାରେ ସାମିଲ କରାଇବା ପାଇଁ ଉଦ୍ୟମ କରୁଛନ୍ତି ରାଜେଶ ।

ରାଜେଶଙ୍କ ପାଖରେ କେବଳ କୋରାପୁଟ ପିଲା ମାଗଣାରେ ତାଲିମ୍ ନିଅନ୍ତି ସେ କଥା ନୁହେଁ ଅବିଭକ୍ତ କୋରାପୁଟ ଜିଲ୍ଲା ସହ ମାଲକାନଗିରି, ନବରଙ୍ଗପୁରର ଅନେକ ପିଲା ଆସିଥାନ୍ତି । ରାଜେଶ ଗଠନ କରିଥିବା ହମ ଫୌଜି ଗ୍ରୁପର ୩୦ ରୁ ୪୦ ପିଲା ଚାକିରି ମଧ୍ୟ ପାଇଁ ସାରିଲେଣି । ୩ଟି ବ୍ୟାଚରେ ପ୍ରାୟ ଦେଢଶହ ପିଲାଙ୍କୁ ତାଲିମ ଦେଇ ସାରିଲେଣି ରାଜେଶ ।

ଅଫିସ ସମୟରେ କୋରାପୁଟରେ ତାଲିମ୍ ଦେବା ସହ ଛୁଟିରେ ଆସିଲେ ଜୟପୁରରେ ସକାଳ ୫ଟାରୁ ପିଲାଙ୍କୁ ପ୍ରଶିକ୍ଷଣ ଦେଇଥାନ୍ତି ଓଡ୍ରାଫ ହାବିଲଦାର ରାଜେଶ ସାହୁ । ଶାରିରୀକ ଓ ଲିଖିତ ପରୀକ୍ଷା ପାଇଁ ଯୁବକଙ୍କୁ ପ୍ରସ୍ତୁତ କରାନ୍ତି ଏହି ଯବାନ ।