ଠକ ଦେଉଥିଲା ବିଜ୍ଞାପନ: ଲୁଟି ନେଲା କୋଟି କୋଟି ଟଙ୍କା, ଆତ୍ମସାତ କଲା ଆତ୍ମଜ୍ୟୋତି

349

କନକ ବ୍ୟୁରୋ: ବିଜ୍ଞାପନରେ ଅଧିକ ସୁଧର ଲୋଭ ଦେଖାଇ ଲୋକଙ୍କଠାରୁ ଟଙ୍କା ଲୁଟୁଥିବା ଠକ ଗିରଫ । କୋଟିଏ ୧୧ ଲକ୍ଷ ଟଙ୍କା ଠକି ଫେରାର ଥିବା ଆତ୍ମଜ୍ୟୋତି ନାୟକକୁ ଗିରଫ କରିଛି କମିଶନରେଟ ପୋଲିସର ସ୍ପେଶୋଲ କ୍ରାଇମ୍ ୟୁନିଟ । ଅଭିଯୁକ୍ତର ବ୍ୟାଙ୍କ ଆକାଉଁଟକୁ ନେଇ ଆରମ୍ଭ ହୋଇଛି ଖୋଳତାଡ଼ । ମୋବାଇଲ ଫୋନରୁ ମଧ୍ୟ ଅନେକ ତଥ୍ୟ ମିଳିବ ବୋଲି ଆଶା ରଖିଛି ପୋଲିସ ।

କମ ଦିନରେ ଅଧିକ ସୁଧର ପ୍ରଲୋଭନ । ମାସକୁ ୧୦ରୁ ୧୫ ପ୍ରତିଶତ ସୁଧ । ଆଉ ବିଶ୍ୱାସ ଭାଜନ ପାଇଁ ମାଇଁ ଭୁବନେଶ୍ୱର ପେଜରେ ଠକ ଦେଇଥିଲା ବିଜ୍ଞାପନ । ଚିକ୍କଣ କଥା ସହ ଚକଚକ ବିଜ୍ଞାପନ ଦେଇ ଲୋକଙ୍କୁ ଚୁନା ଲଗାଇଥିବା ଏହି ଠକ ଆତ୍ମଜ୍ୟୋତି ନାୟକ ଏବେ କମିଶନରେଟ ପୁଲିସର ସ୍ପେସାଲ କ୍ରାଇମ ୟୁନିଟ ହାତରେ । ବନ୍ଧା ହେବା ପରେ, ଗୋଟି ଗୋଟି କରି ସତ କହିଛି ଏହି ଫ୍ରଡଷ୍ଟର । ଏହି ଠକର ଟେକନିକ ଥିଲା ଲୋକଙ୍କୁ ଲୋଭ ଦେଖାଇ ଟଙ୍କା ଠକିନେବା । ସେଥିପାଇଁ ଲୋକଙ୍କ ଠାରୁ ପ୍ରାଥମିକ ପର୍ଯ୍ୟାୟରେ ଲକ୍ଷ ଲକ୍ଷ ଟଙ୍କା ନେଇଥିଲା । ତାର ୧୦ରୁ ୧୫ ପ୍ରଶତ ସୁଧ ବାବଦକୁ ଲୋକଙ୍କୁ ଫେରାଇ ବି ଥିଲା । ଯାହାଦ୍ୱାରା ଲୋକଙ୍କୁ ଏବାବଦରେ ବିଶ୍ୱାସ ହୋଇଥିଲା । ତେବେ ମୋଟା ଟଙ୍କା ଲଗାଇ ମୋଟା ସୁଧ ନେବାପାଇଁ ଲୋକଙ୍କୁ ପ୍ରବର୍ତାଇଥିଲା ଏହି ଠକ । କୋଟିଏ ୧୧ ଲକ୍ଷ ଟଙ୍କା ମିଳିଯିବା ପରେ, ସିଧାସଳଖ ଛୁ ମାରିଥିଲା ଏହି ଫ୍ରଡଷ୍ଟର ।

ଅନ୍ୟପଟେ ଏହି ଠକ ଠାରୁ ଜବତ ହୋଇଥିବା ବ୍ୟାଙ୍କ ଆକାଉଁଟକୁ ନେଇ ଖୋଳତାଡ କରୁଛି କମିଶନରେଟ ପୁଲିସ । ଠକ କେବେଠୁ କାହା ସହତି କେତେ ଟଙ୍କାର କାରବାର କରିଛି ସେନେଇ ତଦନ୍ତ ଆରମ୍ଭ ହୋଇଛି । ମାଇଁ ଭୁବନେଶ୍ୱର ପେଜରେ ବିଜ୍ଞାପନ ଦେଇ ଲୋକଙ୍କୁ ଠକିଥିବା ନେଇ ଖୋଳତାଡ ଆରମ୍ଭ କରି ପୁଲିସ । ଆବଶ୍ୟକତା ପଡିଲେ ମାଇଁ ଭୁବନେଶ୍ୱର ପେଜରୁ ତଥ୍ୟ ହାସଲ କରି ଖୋଲତାଡ କରାଯିବ ବୋଲି ଏସିପି କହିଛନ୍ତି । ଅଭିଯୁକ୍ତର ମୋବାଇଲ ଫୋନରୁ ମିଳିଥିବା ତଥ୍ୟ ବହୁତ କିଛି ଗୁମର ଖୋଲିବ ବୋଲି ଆଶା ବାନ୍ଧିଛି ସ୍ପେସାଲ କ୍ରାଇମ ୟୁନିଟ ।