କନକ ବ୍ୟୁରୋ: ସାର ବି ନକଲି। କିଛି ଛାଡୁ ନାହାନ୍ତି ଅସାଧୁ ବ୍ୟବସାୟୀ । ଖାଦ୍ୟ ପଦାର୍ଥ ନକଲି ଖବର ଆସୁଥିଲା, ବାଲେଶ୍ୱରରୁ ସାମ୍ନାକୁ ଆସିଛି ନକଲି ସାର ଖବର । ଲୁଣରେ ରଙ୍ଗ ମିଶାଇ ପଟାସ ସାର କହି ଚାଷୀଙ୍କୁ ଠକୁଛନ୍ତି ଠକ ବ୍ୟବସାୟୀ। ଏହି ଖବର ପାଇବା ପରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଇଛି । ଆମେ ଆପଣାମାନଙ୍କୁ ଦେଖାଉଛୁ ସେହି ନକଲି ସାରର ଚିତ୍ର। ଲୁଣରେ ରଙ୍ଗ ବୋଳା ହୋଇଛି। ଆଉ ଏହାକୁ ପଟାସ ସାର କହି ବିକ୍ରି କରୁଛନ୍ତି ବ୍ୟବସାୟୀ । ବାଲେଶ୍ବର ବ୍ୟାଙ୍କ କଲୋନୀରେ ଚାଲିଥିଲା ଏହି ଅସାଧୁ କାରବାର। ଇଣ୍ଡିଆ ପଟାସ୍ ଲିମିଟେଡ୍ ନାମରେ ନକଲି ସାର ବିକ୍ରି ହେଉଛି। ଚାଷୀଙ୍କ ଠାରୁ ଅଭିଯୋଗ ପାଇବା ପରେ ସ୍ଥାନୀୟ ତହସିଲଦାର ଓ କୃଷି ବିଭାଗ ଅଧିକାରୀ ଚଢ଼ାଉ ଜାରି ରଖିଛନ୍ତି। ଏପଟେ କାରବାରର ମୁଖ୍ୟ ଆସାମୀ ଫେରାର ଥିବା ଜଣାପଡ଼ିଛି । ଇଫକୋ ଲେଖାଥିବା ବସ୍ତାରେ ରଙ୍ଗ ମିଶା ନକଲି ସାର ଭର୍ତି କରି ବାଲେଶ୍ୱର ଜିଲ୍ଲାର ଚାଷୀଙ୍କୁ ବିକିବା ସହ ବାହାର ଜିଲ୍ଲାକୁ ପଠାଉଥିଲେ ଅସାଧୁ ବ୍ୟବସାୟୀ। ଏବେ ଖରିଫ ଚାଷ ସମୟ । ଧାନ ରୁଆ ପୂର୍ବରୁ ଚାଷୀଙ୍କୁ ସାରର ଅବଶ୍ୟକତା ରହିଛି। ଭଲ ଅମଳ ପାଇଁ ଚାଷୀ ଧାର ଉଧାର କରି ସାର କିଣୁଥିବା ବେଳେ ସେମାନଙ୍କୁ ରଙ୍ଗ ମିଶା ଲୁଣ ବିକି ମାଲାମାଲ ହେଉଛନ୍ତି ବାଲେଶ୍ୱରର ଠକ ବ୍ୟବସାୟୀ।