ସ୍ତ୍ରୀ କୁ ଓଡିଶାରେ ଛାଡି ଆମେରିକା ଚମ୍ପଟ ମାରିଲା ସ୍ୱାମୀ । ଲୁଚାଇଥିଲା ପ୍ରଥମ ବିବାହ , ଠକାମୀରେ ଶିକାର ହେଲା ଓଡିଆ ଝିଅ । ମହିଳା କମିଶନଙ୍କ ନିକଟରେ ଅଭିଯୋଗ କଲେ ପୀଡିତା

6,086

କନକ ବ୍ୟୁରୋ : ସେ ହୋମବେଦୀର ଚାରିପଟେ ୭ ଘେରା ବୋଲି ସାତ ଜନ୍ମର ସାଥି ହେବାକୁ କଥା ଦେଇଥିଲା । ହେଲେ ସାତ ଜନ୍ମତ ପରର କଥା ମାତ୍ର ୭୦ ଦିନରେ ତୁଟାଇ ଦେଲା ଦେଇଥିବା କଥା । ଆମେରିକାରେ ଉଚ୍ଚ ପଦବୀରେ ଚାକିରୀ ସାଙ୍ଗକୁ ମୋଟା ଅଙ୍କର ଦରମା   । ସେ ଆକାଶରେ ଉଡାଇ ତାକୁ ନେଇଯିବ ଆମେରିକା । ସେଠାରେ ସେମାନେ ଗଢିବେ ସୁନାର ସଂସାର । ରାତି ପାହିଗଲା ସିନା ହେଲେ ସ୍ୱପ୍ନ ସରିଲାନି । ଅଧୁରା ରହିଗଲା ସ୍ୱପ୍ନ । ଆଉ ଧୋକ୍କା ଦେଇଦେଲା ବିଟପି ପୁରୁଷ । ଏବେ ସାହା କେବଳ ଆଇନ ଓ ଅଦାଲତ ।

ଆମେରିକାର ଏକ ସଫ୍ଟୱେୟାର କମ୍ପାନୀରେ ଚାକିରି କରୁଥିବା ସ୍ୱାମୀଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ତାଙ୍କ ସ୍ତ୍ରୀ । ଆମେ ଆଜି ଆପଣଙ୍କୁ ଏମିତି ଏକ କାହାଣୀ ଶୁଣାଇବୁ ଯାହା କି ଆପଣ ମାନେ ବିବାହକୁ ନେଇ ନିଷ୍ପତ୍ତି ନେବା ପୂର୍ବରୁ ହଜାରେ ଥର ଭାବିବାକୁ ବାଧ୍ୟ ହେବେ । ମିଳିଥିବା ସୂଚନା ମୁତାବକ ଢେଙ୍କାନାଳ ଗୁଡିଆନାଳି ଅଞ୍ଚଳର ସୁବ୍ରତ କୁମାର ନାଥ । ତାଙ୍କ ନବ ବିବାହିତ ସ୍ତ୍ରୀଙ୍କ ଅଭିଯୋଗ ମୁତାବକ ସୁବ୍ରତ ଆମେରିକାର ଏକ ସଫ୍ଟୱେୟାର କମ୍ପାନୀର ଇଂଜିନିୟର । ସେ ଛୁଟିରେ ଓଡିଶା ଆସିଥିବା ବେଳେ ତାଙ୍କର ପରିଚୟ ହୋଇଥିଲା କଟକ ଜିଲ୍ଲା ନିଆଳି ଥାନା ଅଞ୍ଚଳର ସରୋଜିନୀଙ୍କ ସହ । ଏହି ସଂପର୍କ ବଢିଲା ଓ ପରିବାରର ସହମତି କ୍ରମେ ଉଭୟଙ୍କର ବିବାହ ୨୦୧୯ ମସିହା ମେ ୧୨ ତାରିଖରେ ସମ୍ପର୍ଣ୍ଣ ହେଲା । ବାହାଘର ପରେ ହସ ଖୁସିରେ ଚାଲିଥିଲା ସଂସାର । ଜଣାପଡିଲା ନାହଁ ସରିଗଲା ଛୁଟି ।

ଏହାପରେ ଆଉଥରେ ଆସିଲେ ସରୋଜିନୀକୁ ସାଙ୍ଗରେ ନେଇ ଆମେରିକା ଯିବାକୁ କଥା ଦେଇ ଉଡାଜାହଜରେ ଉଡି ଆମେରିକା ଚାଲିଗଲା ସୁବ୍ରତ । ଗଲା ସ୍ୱାମୀ ଆଉ ଫେରିଲା ନାହିଁ । କଥା ଦେଇଥିଲା ୨ ମାସ ପରେ ଫେରିବ । ହେଲେ ଆଜି ଯାଏ ନା ଫେରିଲା ସୁବ୍ରତ ନା ସ୍ତ୍ରୀ ସରୋଜିନୀଙ୍କ ସହ ଯୋଗା ଯୋଗ କଲା । ଏନେଇ ସରୋଜିନୀ ଚିନ୍ତାରେ ଥିବା ବେଳେ ଆରମ୍ଭ ହୋଇଗଲା ବେଡି ଉପରେ କୋରଡା ମାଡ । ଠକିଦେଲେ ସ୍ୱାମୀ , ଏପଟେ ସୁବ୍ରତଙ୍କ ମା ବୋହୂ ସରୋଜିନୀଙ୍କ ଉପରେ ଆରମ୍ଭ କରିଦେଲେ ମାନସିକ ନିର୍ଯାତନା । ‘ଗରିବ ଲୋକର ଝିଅ କେବେ ଆମେରିକା ଯାଏନି, ସ୍ୱାମୀ ସହ ତୋର ରହିବାର ଔକାତ ନାହିଁ ,’ ଏମିତି ଭାବେ ଚାଲିଥିଲା ଶାଶୁଙ୍କ ନିର୍ଯାତନା । ଏହି ନିର୍ଯାତନା ଉପରେ ଭାରିପଡିଗଲା ପୁଣି ଯେତେବେଳେ ସରୋଜିନୀ ଜାଣିଲେ ଯେ ସେ ସୁବ୍ରତଙ୍କର ପ୍ରଥମ ସ୍ତ୍ରୀ ନୁହନ୍ତିି । ଏହା ପୂର୍ବରୁ ସୁବ୍ରତ ବାହା ହୋଇଥିଲେ । ହେଲେ ସରୋଜିନୀଙ୍କ ସହ ଏକଥା କେବେ କହି ନଥିଲେ ସୁବ୍ରତ  ।

ସରୋଜିନୀଙ୍କ ଅଭିଯୋଗ ମୁତାବକ ସୁବ୍ରତ ସରୋଜିନୀଙ୍କ ଫୋନ ରିସିଭ୍ କରୁ ନାହାନ୍ତି । ଅନ୍ୟପଟେ ସୁବ୍ରତଙ୍କ ବାବଦରେ ମୁହଁ ଖୋଲିଲେ ଜୀବନରୁ ମାରିଦେବାକୁ ଧମକ ଦେଉଛନ୍ତି ଶଶୁଘର ଲୋକେ । ଏନେଇ ସୁବ୍ରତଙ୍କ ବାପା ଦେବବ୍ରତ ନାଥଙ୍କୁ ଯୋଗା ଯୋଗ କରିବା ପରେ ସେମାନେ ଏବାବଦରେ କିଛି କହିବାକୁ ମନା କରିଦେଇଛନ୍ତି । ଚାରିଆଡୁ ହତାଶ ହେବା ପରେ ପୀଡିତା ଏବେ ମହିଳା କମିଶନରେ (OSCW/CUT/E/2020/026)  ଅଭିଯୋଗ କରିଛନ୍ତି ।

କହିରଖୁ କି ଜୀବନ ଏତେ ଶସ୍ତା ନୁହେଁ । ଜୀବନକୁ ସରଶ ସୁନ୍ଦର କରିବା ପାଇଁ ଯେତିକି ଆବଶ୍ୟକ ସେତିକି ଲୋଭ କରିବା ସହ ଜୀବନ କେମିତି ସୁନ୍ଦର ଭାବେ ଚାଲିବ ତାହା ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି । ଭଲରେ ରହିବି, ଭଲ ଖାଇବି, ଦାମି ଗାଡି ଚଢିବି, ଘର ଛାଡି ଆପାର୍ଟମେଣ୍ଟରେ ରହିବି ଏଭଳି ଲୋଭ ଥରେ ମନରେ ଆସିଗଲେ ମୁଣ୍ଡରେ ସୈତାନ ସବାର ହୋଇଯାଏ । କିଛି କରିବା ପୂର୍ବରୁ ତା’ର ଭୂତ ଭବିଷ୍ୟତ ବାବଦରେ ଆମେ ସଠିକ୍ ତର୍ଜମା କରିପାରୁ ନାହୁଁ । ଏହାର କାରଣ ଅର୍ଥ ଲୋଭରେ ଅନ୍ୟସବୁ ଆମ ଅଗରେ ତୁଚ୍ଛ ଜଣାପଡେ। ଯାହାର କୁପରିଣତି ଠିକ୍ ସରୋଜିନୀର ଜୀବନରେ ଘଟିବା ଭଳି ଘଟେ ।