ଦେଶକୁ ସୁରକ୍ଷା ଦେଉଥିବା ସୈନିକଙ୍କ ଠାରୁ ଠକେଇ । ଯବାନଙ୍କୁ କୋଟି କୋଟି ଟଙ୍କାର ଠକେଇ କଲେ ସେହି ସେନାର ବରିଷ୍ଠ ଅଧିକାରୀ । କେନ୍ଦ୍ରାପଡାରେ ସିଆରପିଏଫ ଯବାନଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଲେ ସାଇବର ଠକ ।

298

କନକ ବ୍ୟୁରୋ : ଦେଶକୁ ସୁରକ୍ଷା ଦେଉଥିବା ସୈନିକଙ୍କୁ ଠକେଇ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଜଣେ ଯବାନଙ୍କୁ କୋଟି କୋଟି ଟଙ୍କାର ଠକେଇ କରିଛନ୍ତି, ସେହି ସେନାର ବରିଷ୍ଠ ଅଧିକାରୀ । ସୈନିକମାନଙ୍କୁ ୩୫ କୋଟି ଟଙ୍କାର ଚୁନ ଲଗାଇବା ପରେ ଏବେ କ୍ଷତିଗ୍ରସ୍ତ, କ୍ରାଇମବ୍ରାଂଚ ଅର୍ଥନୈତିକ ଅପରାଧ ଶାଖାର କାର୍ଯ୍ୟାଳୟ ଆଗରେ ନ୍ୟାୟ ପାଇଁ ଧାରଣା ଦେଇଛନ୍ତି ।

୨୦୧୧ରେ ଏକ ବେସରକାରୀ ସଂସ୍ଥା ସୈନିକ ୱେଲଫେୟାର ଅରଗାନାଇଜେସନର ଅଧ୍ୟକ୍ଷ ଅବସରପ୍ରାପ୍ତ ଲେଫ୍ଟନାଣ୍ଟ କର୍ଣ୍ଣେଲ ରାଜେଶ ରାଣା ଅଳ୍ପ ମୂଲ୍ୟରେ ଘରବାଡି ଜମି ଯୋଗାଇ ଦେବାକୁ କହି ୫୪୨ ଜଣ ସୈନିକଙ୍କ ଠାରୁ ଟଙ୍କା ନେଇଥିଲେ । ନୂଆ ଦିଲ୍ଲୀର ଏହି ସଂସ୍ଥା ଭୁବନେଶ୍ୱରରେ ସହଯୋଗୀ ବ୍ରୁକ୍ସନ ଇନଫ୍ରା ପ୍ରାଇଭେଟ୍ ଲିମିଟେଡ୍ ଜରିଆରେ ପ୍ରାୟ ୩୫ କୋଟି ଟଙ୍କା ଠକି ନେଇଛି । ହୋଇଥିବା ଚୁକ୍ତି ଅନୁସାରେ ସଂସ୍ଥା ୨୭ ଏକର ଜମିର ବିକାଶ କରି ୨୦୧୨ ଜୁନ୍ ସୁଦ୍ଧା ପଟ୍ଟା ସହିତ ହିତାଧିକାରୀଙ୍କୁ ପ୍ରକଳ୍ପ ହସ୍ତାନ୍ତର କରିବା କଥା । ହେଲେ ହିତାଧିକାରୀଙ୍କୁ ନା ପଟ୍ଟା ମିଳିଛି ନା ଟଙ୍କା ନେଇଥିବା ସଂସ୍ଥାର ଦେଖା ମିଳୁଛି ।

ସାଇବର ଠକଙ୍କ ଶିକାର ବନିଲେ ସିଆରପିଏଫ ଯବାନ । ଜଣେ ଯବାନଙ୍କ ଆକାଉଂଟରୁ ଲକ୍ଷାଧିକ ଟଙ୍କା ଠକି ନେଲେ ସାଇବର ଲୁଟେରା । କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଲକ କୋରୁଆ ଗାଁର ମହେଶ୍ୱର ସାହୁ ସିଆରପିଏଫରେ କାର୍ଯ୍ୟରତ ଅଛନ୍ତି । ସେ ଏବେ ଛୁଟିରେ ଘରକୁ ଆସିଥିବା ବେଳେ ଫେବୃଆରୀ ୫ ତାରିଖରେ କର୍ମସ୍ଥଳକୁ ଯିବା ପାଇଁ ବିମାନ ଟିକଟ କରିଥିଲେ । ପରେ ସେହି ଟିକଟ କ୍ୟାନସଲ୍ କରିଥିଲେ । ବାତିଲ ଟିକଟ ପଇସା ଫେରି ପାଇବା ନେଇ ସେ ଇଣ୍ଡିଗୋ ଏୟାର ଲାଇନ୍ ସେବା କେନ୍ଦ୍ରକୁ ଫୋନ କରିଥିଲେ । ଯେଉଁ ଏଜେନସି ଜରିଆରେ ଟିକଟ କରିଛ, ସେହି ଏଜେନସିଙ୍କ ଜରିଆରେ ଟଙ୍କା ଫେରସ୍ତ କରିବା ନେଇ ସୂଚନା ପାଇଥିଲେ । ପରେ ମହେଶ୍ୱର ଟିକେଟ ବୁକିଂ ଏଜେନସିକୁ ଫୋନ କରିଥିଲେ । ସେହି ସମୟରେ ତାଙ୍କ ଫୋନକୁ ହ୍ୟାକ୍ କରି ସାଇବର ଠକ ଦୁଇଟି ବ୍ୟାଙ୍କ ଆକାଉଂଟରୁ ୧ ଲକ୍ଷ ୬୩ ହଜାର ଟଙ୍କା ନେଇଯାଇଛନ୍ତି ସାଇବର ଲୁଟେରା । ଏନେଇ ସାଇବର ସେଲରେ ଅଭିଯୋଗ କରିବା ସହ ପାଟକୁରା ଥାନାରେ ଏତଲା ଦେଇଛନ୍ତି ସିଆରପିଏଫ ଯବାନ ମହେଶ୍ୱର ସାହୁ । ଗତ ୧୯ ତାରିଖରେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଆକାଉଂଟରୁ ୨୪ ହଜାର ଟଙ୍କା ଲୁଟି ନେଇଥିବା ସାଇବର ଠକ ୨୦ ତାରିଖ ଦିନ ଏଚଡିଏଫସି ଆକାଉଂଟରୁ ୧ ଲକ୍ଷ ୩୯ ହଜାର ୨୮୮ ଟଙ୍କା ଉଠାଇ ନେଇଛନ୍ତି ।