ମିଛ ପେନସନ୍ ଉଠାଇ ମାଲାମାଲ ହେଲେ ଠିକା କର୍ମଚାରୀ ! ମୃତ ବ୍ୟକ୍ତିଙ୍କ ପେନସନକୁ ଏଟିଏମ କାର୍ଡ ଜରିଆରେ କରୁଥିଲା ଆତ୍ମସାତ୍ ।

190

କନକ ବ୍ୟୁରୋ : ଜଣେ ଠିକା କର୍ମଚାରୀଙ୍କ କଳା କାରନାମା । ମୃତ୍ୟୁବରଣ କରିଥିବା ଲୋକଙ୍କ ପେନସନ ଟଙ୍କା ହଡପ କରିଛନ୍ତି ଏହି ଠିକା କର୍ମଚାରୀ । ହଜାର କି ଦୁଇହଜାର ନୁହେଁ କୋଟିଏ ୩୨ଲକ୍ଷ ଟଙ୍କା ହଡପ କରିଥିବା ଅଭିଯୋଗ ହୋଇଛି । ରେମୁଣାର ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରୁ ହୋଇଛି ଏହି ଠକେଇ । କ୍ରାଇମବ୍ରାଂଚ ଠିକା କର୍ମଚାରୀ ପ୍ରଭାସ ଦାସଙ୍କୁ ପୋଲିସ ଗିରଫ କରିଛି ।

ଠିକା କର୍ମଚାରୀଙ୍କ କଳା କାରନାମା । ମୃତ ବ୍ୟକ୍ତିଙ୍କ ପେନସନ୍ ଟଙ୍କା ହଡପ ଅଭିଯୋଗ । ଭଲ କରି ଦେଖିନିଅନ୍ତୁ ଏହି ଠିକା କର୍ମଚାରୀଙ୍କୁ  । ନାଁ ପ୍ରଭାସ ଦାସ । ରେମୁଣାର ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରେ କାମ କରୁଥିବା ଏହି ଅସ୍ଥାୟୀ କର୍ମଚାରୀଙ୍କ ମାସିକ ମିଳେ ୬ ହଜାର ଟଙ୍କା । କିନ୍ତୁ ତାଙ୍କ ନାଁରେ ଆସିଥିବା ଅଭିଯୋଗ ଶୁଣିଲେ ଆପଣ ବି ତାଜୁବ ହୋଇଯିବେ ।

ପ୍ରାୟ ୧ କୋଟି ୩୨ଲକ୍ଷ ଟଙ୍କା ହଡପ କରିଥିବା ଅଭିଯୋଗ ହୋଇଛି । ଏହି ଆଲିସାନ ବଙ୍ଗଲାର ମାଲିକ ହେଉଛନ୍ତି ପ୍ରଭାସ । ମୃତ୍ୟୁବରଣ କରିଥିବା କିଛି ଲୋକଙ୍କ ପେନସନ ଟଙ୍କାକୁ ଚାଲାକିର ସହ ଲୁଟ କରିଛନ୍ତି ପ୍ରଭାସ । ଏଟିଏମ୍ କାର୍ଡ ସହାୟତାରେ ବର୍ଷ ବର୍ଷ ଧରି ସେ ଏହି ଟଙ୍କା ଆତ୍ମସାତ କରିଥିବା ଥାନାରେ ଅଭିଯୋଗ ହୋଇଛି । କ୍ରାଇମବ୍ରାଂଚ ଏବେ ପ୍ରଭାସଙ୍କୁ ଗିରଫ କରିଛି । ତେବେ ତାଙ୍କ ପତ୍ନୀ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ।

ଏବେ ପ୍ରଶ୍ନ ଉଠୁଛି ଟଙ୍କା ହଡପ ହେଉଥିଲା କେମିତି ? ପ୍ରଭାସଙ୍କ ହାତକୁ ମୃତ ବ୍ୟକ୍ତିଙ୍କ ଏଟିଏମ୍ କାର୍ଡ ଆସିଲା କେମିତି? ପୂରା ପ୍ରକ୍ରିୟାରେ ବ୍ୟାଙ୍କର ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି କି ? ଏସବୁ ପ୍ରଶ୍ନର ଉତ୍ତର ଖୋଜା ଚାଲିଥିବା ବେଳେ ଗିରଫ ପ୍ରଭାସଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି ।