ବ୍ୟାଙ୍କ ଆକାଉଣ୍ଟ୍ କୁ ଆଧାର ସହ ଲିଙ୍କ୍ କରିବାକୁ ନେଇ ଆସୁଥିଲା ଫୋନ୍ କଲ୍ , ଡିଟେଲ୍ସ ଜାଣିିବା ପରେ ଖାତାରୁ ଉଡୁଥିଲା ଲକ୍ଷ ଲକ୍ଷ ଟଙ୍କା ! ୧୦୦୦ ରୁ ଅଧିକ ଲୋକଙ୍କ ଖାତାରୁ ଯାଇଛି ୧୦ କୋଟି ଟଙ୍କା ।

314

ଦିଲ୍ଲୀ ପୋଲିସ୍ ଠକଙ୍କ ଏକ ଗ୍ୟାଙ୍ଗ୍ କୁ ଗିରଫ କରିବାରେ ସଫଳ ହୋଇଛି । ଏହି ଗ୍ୟାଙ୍ଗ୍ ହଜାରରୁ ଅଧିକ ଲୋକଙ୍କଠାରୁ ୧୦ କୋଟି ଟଙ୍କାର ଠକେଇ କରିବାରେ ସଫଳ ହୋଇଥିଲା । ବ୍ୟାଙ୍କ୍ ଆକାଉଣ୍ଟ୍ ଏବଂ ଫୋନ୍ ନମ୍ବରକୁ ଆଧାର କାର୍ଡରେ ଲିଙ୍କ୍ କରିବାକୁ କହି ଅନ୍ୟ ଦସ୍ତାବିଜ୍ ର ବିବରଣୀ ନେଇ ଏହି ଠକମାନେ ଗରିବଲୋକଙ୍କୁ ଟଙ୍କା ଦେଇ ଡକ୍ୟୁମେଣ୍ଟ୍ ରେ ଠିକଣା ବଦଳାଇ ଦେଉଥିଲେ । ଏହାପରେ ଉକ୍ତ ଠିକଣାରେ ବ୍ୟାଙ୍କ୍ ଆକାଉଣ୍ଟ୍ ଖୋଲି ଲୋକଙ୍କ ଖାତା ଖାଲି କରୁଥିଲେ । ବ୍ୟାଙ୍କରେ ପାଖାପାଖି ୧୧୦୦ ଟି ଖାତା ଖୋଲିଥିବାର ପୋଲିସ୍ କହିଛି । ଅନେକ ରାଜ୍ୟରେ ଏଭଳି ଠକେଇ କରିଆସୁଥିଲା ଏହି ଠକ ଗ୍ୟାଙ୍ଗ୍ । ତେବେ ଏହି ଗ୍ୟାଙ୍ଗ୍ ର ଲିଡର ହେଉଛନ୍ତି ଝାରଖଣ୍ଡର ଅଲିମୁଦ୍ଦିନ୍ ଅନ୍ସାରୀ (୨୭) ଏବଂ ଆଜମଗଡ଼ର ମନୋଜ ଯାଦବ (୨୬) । ଦୁହିଁଙ୍କ ପାଖରୁ ପୋଲିସ୍ ଭିନ୍ନ ଭିନ୍ନ ବ୍ୟାଙ୍କର ୮୧ ଟି ଡେବିଟ୍ କାର୍ଡ , ୧୦୪ ଟି ଚେକବୁକ୍ , ୧୩୦ ଟି ପାସବୁକ୍ , ୮ ଟି ଫୋନ୍ , ୩୧ ଟି ସିମକାର୍ଡ ଏବଂ ଆଇଡି ପ୍ରୁଫ୍ ର ଫଟୋକପି ଆଦି ଜବତ କରିଛି । ପଚରାଉଚରା ପରେ ଅଲିମୁଦ୍ଦିନ୍ କହିଥିଲା ଯେ , ସେ ପ୍ରଥମେ ଗରିବ ଲୋକଙ୍କୁ ଟଙ୍କା ଦେଇ ତାଙ୍କ ଆଇଡିକୁ ବ୍ୟବହାର କରି ବ୍ୟାଙ୍କ୍ ଆକାଉଣ୍ଟ୍ ଖୋଲୁଥିଲା ଏବଂ ଲୁଟୁଥିବା ଟଙ୍କାକୁ ଏହି ଆକାଉଣ୍ଟ୍ ରେ ଟ୍ରାନ୍ସଫର କରୁଥିଲା । ଏବଂ କିଛି ସମୟ ପରେ ଟଙ୍କା ଉଠାଇ ଆଣୁଥିଲା ।

କିଭଳି ଖୋଲୁଥିଲା ବ୍ୟାଙ୍କ୍ ଆକାଉଣ୍ଟ୍ ?

ମନୋଜ ଯାଦବଙ୍କ କାମ ଥିଲା ଟଙ୍କାର ହିସାବ ରଖିବା ଏବଂ ଗରିବଙ୍କ ନାଁରେ ଆକାଉଣ୍ଟରେ ଖାତା ଖୋଲିବା । ଏହି କାମ ପାଇଁ ମନୋଜ ଶ୍ରମିକ ଶ୍ରେଣୀର ଲୋକଙ୍କ ସହ କଥାବାର୍ତ୍ତା କରି ତାଙ୍କ ନାଁରେ ଆକାଉଣ୍ଟ୍ ଖୋଲୁଥିଲେ ଏବଂ ପ୍ରତି ଆକାଉଣ୍ଟ୍ ପିଛା ତାଙ୍କୁ ୨୦୦୦ ଟଙ୍କା ଦେଉଥିଲେ । ଆଧାରକାର୍ଡ ଏବଂ ପାନ୍ କାର୍ଡର ଡିଟେଲ୍ ନେବା ପରେ ଏହି ଲୋକଙ୍କ ଠିକଣା ବଦଳାଯାଉଥିଲା ଏବଂ ଭୁଲ୍ ଠିକଣାରେ ଖାତା ଖୋଲାଯାଉଥିଲା । ଏହି ସମୟରେ ମନୋଜ ନିଜ ନମ୍ବରକୁ ହିଁ ବ୍ୟାଙ୍କରେ ରେଜିଷ୍ଟର କରୁଥିଲା । ଆକାଉଣ୍ଟର ପାସବୁକ୍ ,ଡେବିଟ୍ କାର୍ଡ,ଚେକବୁକ୍ ପର୍ଯ୍ୟନ୍ତ ସବୁ ସେ ନିଜ ପାଖରେ ରଖୁଥିଲା । ଏହି ଆକାଉଣ୍ଟ୍ କୁ ବ୍ୟବହାର କରି ଠକାମୀ ଟଙ୍କାକୁ ଟ୍ରାନ୍ସଫର କରାଉଥିଲା ଠକ । ଗୋଟିଏ ଥର ବ୍ୟବହାର ହେଉଥିôବା ଆକାଉଣ୍ଟ୍ ବହୁ ସମୟ ପର୍ଯ୍ୟନ୍ତ ଦ୍ୱିତୀୟଥର ଆଉ ବ୍ୟବହାର ହେଉନଥିଲା ।

ଅଲିମୁଦ୍ଦିନ୍ ର ଗ୍ୟାଙ୍ଗ୍ ଲୋକ ଟେଲିକମ୍ କମ୍ପାନୀ କଷ୍ଟମର୍ କେୟାର୍ କର୍ମଚାରୀ ରୁପରେ କଲ୍ କରି ଲୋକଙ୍କୁ ବ୍ୟାଙ୍କ ଆକାଉଣ୍ଟ୍ ଏବଂ ଫୋନ୍ ନମ୍ବରକୁ ଆଧାର କାର୍ଡ ସହ ଲିଙ୍କ୍ କରିବାକୁ କହୁଥିଲେ । ଲୋକଙ୍କ ଠାରୁ ବ୍ୟାଙ୍କ୍ ଆକାଉଣ୍ଟ୍ , ଫୋନ୍ ନମ୍ବର , ଡେବିଟ୍ କାର୍ଡ ଏବଂ ସିମ୍ ର ଡିଟେଲ୍ ପଚାରି ଲୋକଙ୍କୁ ଏକ ମେସେଜ୍ ପଠାଉଥିଲେ । ଲୋକଙ୍କୁ ୧୨୧ ରେ ଫରୱାର୍ଡ କରିବାକୁ ମଧ୍ୟ କୁହାଯାଉଥିଲା । ଏହି ମେସେଜ୍ ସିମ୍ ଲକ୍ ଉଦେ୍ଧଶ୍ୟରେ କରାଯାଉଥିଲା । ଏହାପରେ ଲୋକଙ୍କ ସିମ୍ ଡିଆକ୍ଟିଭେଟ୍ ହୋଇଯାଉଥିଲା ଏବଂ ନୂଆ ସିମ୍ ଆକ୍ଟିଭେଟ୍ ହୋଇଯାଉଥିଲା । ଏହାପରେ ନୂଆ ସିମ୍ ଜରିଆରେ ଠକଙ୍କୁ ଓଟିପି ମିଳୁଥିଲା ଏବଂ ସେମାନେ ଟ୍ରାଞ୍ଜାକ୍ସନ୍ କରୁଥିଲେ । ତେବେ ଆପଣଙ୍କ ପାଖକୁ ମଧ୍ୟ ଯଦି ଏଭଳି କିଛି ଫୋନ୍ କଲ୍ ଆସୁଛି ତେବେ ସତର୍କ ରୁହନ୍ତୁ ନଚେତ୍ ଖାତାରୁ କେତେବେଳେ ଟଙ୍କା ଠକେଇ ହୋଇଯାଇଥିବ ଆପଣ ଜାଣିପାରିବେନି ।