କନକ ବ୍ୟୁରୋ : କାହ୍ନୁ ଚରଣ ପ୍ରଧାନ । ଦେଖିବାକୁ ଯେତିକି ଭୋଲାଭାଲା ଲାଗୁଛନ୍ତି, ତାଙ୍କ କାରନାମା ଠିକ୍ ତା’ର ବିପରୀତ । ବହୁରୂପୀ ଏଣ୍ଡୁଅ ଠାରୁ ବି ଅଧିକ ବେଗରେ ନିଜର ରୂପ ବଦଳାଇ ଦେଇପାରେ ଏହି ୪୨୦ ଠକ । ଦଲାଲର ସବୁ ସୀମା ଟପିଯାଇଥିବା ଏହି କାହ୍ନୁ କେବଳ ଠକେଇ ନୁହେଁ, ହତ୍ୟା, ଅପହରଣ, ଜାଲିଆତି, ଅପରାଧିକ ଷଡ଼ଯନ୍ତ୍ର ଭଳି ବଡ଼ ବଡ଼ ଅପରାଧରେ ରହିଛି ସଂପୃକ୍ତି ଅଭିଯୋଗ । ଚାନ୍ଦପୁର ଥାନାରେ ୬ଟି ଅପରାଧିକ ମାମଲାରେ ଅଭିଯୁକ୍ତ ଥିବା ଏହି ଦଲାଲ ଧୁରନ୍ଧରର ନୂଆ କାହାଣୀ ସାମ୍ନାକୁ ଆଣିଛି ଏସଟିଏଫ୍ । ସେ କେବଳ ନକଲି ଆରଟିଆଇ କର୍ମୀ ନୁହେଁ, ବରଂ ଗୃହ ବିଭାଗ, ଏନଏଚଏଆଇ, ବିଏମସିର ବଡ଼ ଅଧିକାରୀଙ୍କ ନକଲି ଆଇଡି ତିଆରି ବହୁ ଲୋକଙ୍କୁ ଚୁନା ଲଗାଇଥିବା ତଦନ୍ତ ବେଳେ ଜାଣିବାକୁ ପାଇଛି ଏସ୍ଟିଏଫ୍ ।

Advertisment

ଏହି ଠକ ଉଚ୍ଚ ପଦସ୍ଥ ସରକାରୀ ଅଧିକାରୀଙ୍କ ଆଇଡି ବନାଇ ଚାକିରି ଦେବା ନାଁରେ ଲକ୍ଷଲକ୍ଷ ଠକି ନେଇଥିବା ଅଭିଯୋଗ ହୋଇଛି । ଏପରିକି ତା’ ନାଁରେ ଅଭିଯୋଗ ହୋଇଛି ଯେ, ୨୦୨୦ରେ କାଜୁ ଜଙ୍ଗଲ ହାତେଇବା ପାଇଁ ଦୁଇ ଜଣଙ୍କୁ ହତ୍ୟା କରିବାକୁ ପଛାଇ ନଥିଲା କାହ୍ନୁ । ମଦ ଦୋକାନକୁ ଲିଜରେ ନେଇ ଚଲାଇଥିଲା ମାଫିଆଗିରି । ସରକାରୀ କର୍ମଚାରୀଙ୍କୁ ବ୍ଲାକମେଲ୍ କରି ଲୁଟି ନେଉଥିଲା ଲକ୍ଷଲକ୍ଷ ଟଙ୍କା । ପଂଚାୟତରାଜ ବିଭାଗରେ ଭିଏଲଡବ୍ଲ୍ୟୁ ଚାକିରି କରାଇଦେବାକୁ କହି ଟଙ୍କା ବି ଲୁଟିଛି । ଏହି ଅଭିଯୁକ୍ତର ଅପରାଧର ତାଲିକା ବେଶ୍ ଲମ୍ବା ଥିବା ଏସଟିଏଫ ଜାଣିବାକୁ ପାଇଛି । ତେବେ ଯଦି କୌଣସି ବ୍ୟକ୍ତିବିଶେଷଙ୍କୁ କାହ୍ନୁ ଠକେଇ କରିଛି, ସେମାନେ ଏସଟିଏଫର ଦ୍ୱାରସ୍ଥ ହୋଇ ନିଜର ଅଭିଯୋଗ କରିପାରିବେ ।

କାହ୍ନୁ ଆକାଂଉଟରେ ୩ କୋଟିରୁ ଅଧିକ ଟଙ୍କାର ଟ୍ରାଞ୍ଜାକ୍ସନ ଦେଖି ଏସଟିଏଫ ତାଜୁବ ହୋଇଯାଇଛି । ଏତେସବୁ ଟଙ୍କା କେବେ, କାହାଠୁ, କେଉଁ ବାବଦକୁ ଏବଂ କାହିଁକି କାହ୍ନୁ ଆକାଉଂଟକୁ ଆସିଛି, ସେସବୁର ଯାଂଚ ପାଇଁ ଆରବିଆଇକୁ ଚିଠି ଲେଖିବ ଏସଟିଏଫ୍ ।