କନକ ବ୍ୟୁରୋ: ଶ୍ରୀମନ୍ଦିରରେ ଦର୍ଶନ, ପୂଜା ଏବଂ ଭୋଗ ପାଇଁ ଅନଲାଇନରେ ଦିଆଯାଇଛି ବିଜ୍ଞାପନ । ଭକ୍ତମାନେ ଯେକୌଣସି ସ୍ଥାନରେ ଥାଇ ନିଜ ନାଁରେ ଭୋଗ ଚଢାଇ ପାରିବେବୋଲି ଏଥିରେ କୁହାଯାଇଛି । ଆଉ ଏହା ମାଧ୍ୟମରେ ଲକ୍ଷ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ‘ଉତ୍ସବ’ ନାମକ ଆପରେ ଏହି ଠକେଇ ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ପଶ୍ଚିମବଙ୍ଗର ଏକ ଟିମ୍ ଏହି ଅନଲାଇନ ଆପ୍ କରିଛି । ବଡ଼ କଥା ହେଉଛି ଏହି ସ୍ୱତନ୍ତ୍ର ସୁବିଧା ପାଇଁ ଚଢ଼ା ରେଟ୍୍ ଚାର୍ଟ । ବିଗ୍ରହଙ୍କ ମାସିକ ପୂଜା ପାଇଁ ୮ହଜାର ୧ଶହ ଟଙ୍କା । ରଥଯାତ୍ରାରେ ସ୍ୱତନ୍ତ୍ର ଭୋଗ ପାଇଁ ୪ହଜାର ୫୦୧ ଟଙ୍କା । ସମ୍ପୂର୍ଣ୍ଣ ପରିବାର ସହ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ପୂଜା ପାଇଁ ୨ହଜାର ୪୦୧ଟଙ୍କା । ଏବଂ ଶ୍ରୀମନ୍ଦିରରେ ଧ୍ୱଜା ବାନ୍ଧିବାକୁ ୨ ହଜାର ୧୫୧ ଟଙ୍କା ପୈଠ କରିବାକୁ କୁହାଯାଇଛି । ଆମ ପ୍ରତିନିଧି ଯେତେବେଳେ ସତ୍ୟାସତ୍ୟ ଯାଞ୍ଚ ଉତ୍ସବ ଆପ୍ ସହ ଯୋଗାଯୋଗ କରିଥିଲେ, ସାମ୍ନାକୁ ଆସିଯାଇଥିଲା ସତ ।

Advertisment

ସୂଚନା ଅନୁସାରେ ଜଗନ୍ନାଥଙ୍କ ସ୍ୱତନ୍ତ୍ର ଦର୍ଶନ ପାଇଁ ଏହି ଆପ୍ ଜରିଆରେ ୩ହଜାର ୭୦୦ରୁ ଅଧିକ ଭକ୍ତ ବୁକିଂ କରିଥିବା ଜଣାପଡିଛି । ଘଟଣା ସାମ୍ନାକୁ ଆସିବା ପରେ ଏନେଇ ପୁରୀ ଶ୍ରୀମନ୍ଦିର ଥାନାରେ ଏତଲା ଦିଆଯାଇଛି ।

ଏହା ପୂର୍ବରୁ ପୁରୀରେ ନକଲି ଅବଢା ବିକ୍ରି କରିବାର ଅଭିଯୋଗ ହୋଇଥିଲା । ଏନେଇ ଅଭିଯୋଗ ହେବାପରେ ତଦନ୍ତ ଆରମ୍ଭ କରିଛି ପୁଲିସ୍ । ଶ୍ରୀମନ୍ଦିର ବାହାରେ ଅବଢା ବିକ୍ରିି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଥିଲେ ଗଜପତି ମହାରାଜ । କହିଥିଲେ ଏହା କଳିଯୁଗର ପ୍ରଭାବ । ଶ୍ରୀମନ୍ଦିର ବାହାରେ ଅବଢା ବିକ୍ରିି ହୋଇପାରିବ ନାହିଁ । ଏଦିଗରେ ମନ୍ଦିର ପ୍ରଶାସନ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି କହଥିଲେ ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ ।