କନକ ବ୍ୟୁରୋ: ନଗଡ଼ା ବିକାଶରେ ଦୁର୍ନୀତିର ଗନ୍ଧ। କୋଟି କୋଟି ଟଙ୍କାର କାମ ହୋଇଥିବା ଦର୍ଶାଯାଇଥିଲେ ହେଁ ବାସ୍ତବରେ ତାହା ହୋଇନାହିଁ। ବିକାଶ ଅଧାରେ ଅଟକି ଯାଇଛି। ଅର୍ଥ ବାଟମାରଣା ହୋଇଛି। ଏଭଳି ସାଂଘାତିକ ତଥ୍ୟ ସୂଚନା ଅଧିକାର ଆଇନ ବଳରେ ମିଳିବା ପରେ କେତେକ ସୂଚନା ଅଧିକାର କର୍ମୀ ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ଲୋକାୟୁକ୍ତ ପିଡି, ବିଡିଓ, ୩ ନିର୍ବାହୀ ଯନ୍ତ୍ରୀଙ୍କୁ ସମନ ଜାରି କରିଛନ୍ତି। ଆସନ୍ତା ଡିସେମ୍ବର ୯ ତାରିଖରେ ଏହି ଘଟଣାର ଶୁଣାଣି କରିବେ ଲୋକାୟୁକ୍ତ। ୨୦୧୬ ଜୁଲାଇ ମାସରେ ‘ସମ୍ବାଦ’ରେ ଅପହଞ୍ଚ ନଗଡ଼ାର ଶିଶୁ ମଡ଼କ ଘଟଣାବଳୀ ଲୋକଲୋଚନକୁ ଆଣିଥିଲା। ଏହା ପଛରେ ଅପପୁଷ୍ଟି, ଅସ୍ବାସ୍ଥ୍ୟକର ପରିବେଶ ଓ ପ୍ରାଶାସନିକ ଅବହେଳା ହିଁ ପ୍ରମୁଖ କାରଣ ଥିଲା ବୋଲି ସରକାର ମାନିବାକୁ ବାଧ୍ୟ ହୋଇଥିଲେ। ଯଥାଶୀଘ୍ର ପରିସ୍ଥିତି ସୁଧାରିବା ଦିଗରେ ଗତ ୨୦୧୬ ମସିହା ଜୁଲାଇ ୨୦ ତାରିଖରେ ରାଜ୍ୟ ସରକାର ନଗଡ଼ା ରାଜସ୍ବ ମୌଜା ଅତିରିକ୍ତ ଗୁହିଆଶାଳ ରାଜସ୍ବ ମୌଜା, ତୁମୁଣି, ନାଲିଆଡାବ ଓ ଅଶୋକଝର ପଡ଼ା ଗାଁର ସାମଗ୍ରିକ ବିକାଶ ପାଇଁ ‘ନଗଡ଼ା ଟାସ୍କ୍ ଫୋର୍ସ’ ଗଠନ କରିଥିଲେ।
ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ସରକାର ୨୩ କୋଟି ଟଙ୍କା ଖର୍ଚ୍ଚ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ଆଇଏପି ସୁଧ ଅର୍ଥରେ ନାଲିଆଡାବରୁ ଉପର ନଗଡ଼ା, ଉପର ନଗଡ଼ାରୁ ମଝି ନଗଡ଼ା ଓ ମଝି ନଗଡ଼ାରୁ ତଳ ନଗଡ଼ାକୁ ଏକାଧିକ ପର୍ଯ୍ୟାୟରେ ୨୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ଦର୍ଶାଯାଇଛି। ପରେ ଉକ୍ତ ରାସ୍ତା ସମୂହ ଉପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଅଶୋକଝର ଫୁଟ୍ହିଲ୍ରୁ ତଳ ନଗଡ଼ା ପର୍ଯ୍ୟନ୍ତ ୮.୧ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ସଡ଼କ ଓ ପୋଲ ନିର୍ମାଣ ନାଁରେ ୧୪ କୋଟି ୯୫ ଲକ୍ଷ ୬୪ ହଜାର ଟଙ୍କା ଖର୍ଚ୍ଚ ହୋଇଥିବାର ନେଇ ୟୁସି ଦିଆଯାଇଛି। ଅର୍ଥାତ୍ ନାଲିଆଡାବରୁ ତଳ ନଗଡ଼ା ପର୍ଯ୍ୟନ୍ତ ତିନି ପର୍ୟ୍ୟାୟରେ ଲମ୍ବିଥିବା ରାସ୍ତା କାମରେ ହୋଇଥିବା ବ୍ୟାପକ ଦୁର୍ନୀତିକୁ ଏଠି ଘୋଡ଼ାଇ ଦେବାର ଅପଚେଷ୍ଟା କରାଯାଇଛି। ଏତେସବୁ ସତ୍ତ୍ବେ ଉକ୍ତ ସଡ଼କ ଏବେ ବିପର୍ଯ୍ୟସ୍ତ। ଏଠି ଏବେ ଭାରୀଯାନ ଚଳାଚଳ ସମ୍ଭବ ନୁହେଁ। ନାଲିଆଡାବରୁ ଗୁହିଆଶାଳ ଓ ତୁମୁଣିକୁ ରାସ୍ତା ନିର୍ମାଣ ନାଁରେ ଦୁଇ ପର୍ଯ୍ୟୟରେ ୧୦ ଲକ୍ଷ ୫୦ ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ସରକାରୀ ବିନିଯୋଗ ପତ୍ର(ୟୁସି)ରେ ଦର୍ଶାଯାଇଥିଲେ ମଧ୍ୟ ଉଭୟ ଗାଁକୁ ଏଯାବତ୍ ପାରମ୍ପରିକ ପାଦଚଲା ରାସ୍ତା ବ୍ୟତୀତ ସଡ଼କ କିମ୍ବା ମୂଳଦୂଆର ଚିହ୍ନବର୍ଣ୍ଣ ନାହିଁ।
ଗତବର୍ଷ ବନ ବିଭାଗ ପକ୍ଷରୁ ନାଲିଆଡାବ-ଗୁହିଆଶାଳ ରାସ୍ତା ନିର୍ମାଣ ପାଇଁ ଉଦ୍ୟମ ହୋଇଥିଲେ ଚଳିତ ଲଗାଣ ବର୍ଷାରେ ସ୍ଥିତି ଏଠି ଯଥା ପୂର୍ବଂ ତଥା ପରଂ। ପୁନଶ୍ଚ ବିଜୁ ପକ୍କା ଘର ଓ ସ୍ବତନ୍ତ୍ର ନଗଡ଼ା ଆବାସ ଯୋଜନାରେ ଉପର ନଗଡ଼ା, ମଝି ନଗଡ଼ା ଓ ତଳ ନଗଡ଼ାରେ ୨ ଲକ୍ଷ ୩୦ ହଜାର ଟଙ୍କା ଲେଖାଏଁ ବ୍ୟୟ ବରାଦରେ ନିର୍ମିତ ୬୦ଟି ପକ୍କା ଘର, ବସ୍ତି ମଧ୍ୟରେ କଂକ୍ରିଟ୍ ରାସ୍ତା ଓ ଡ୍ରେନ୍ ନିର୍ମାଣ କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ବୋଲି ଅଭିଯୋଗ ହୋଇଛି। କୋଟିଏ ୮୦ ଲକ୍ଷ ଟଙ୍କା ବ୍ୟୟ ବରାଦରେ ଗତ ୨୦୧୭ ମସିହା ଅଗଷ୍ଟ ୧୪ ତାରିଖରେ ଶେଷ ହୋଇଥିବା ନଗଡ଼ା ବିଦ୍ୟୁତ୍କରଣ ଯୋଜନା ଏଯାବତ୍ କାର୍ଯ୍ୟକ୍ଷମ ହୋଇପାରିନି। ଏବେ ବି ନଗଡ଼ା ଜୁଆଙ୍ଗଙ୍କ ପାଇଁ ବିଜୁଳି ଆଲୁଅ ସାତ ସପନ ହୋଇରହିଛି। ଏହାବାଦ୍ ନଗଡ଼ା ତିନି ବସ୍ତିକୁ ପାନୀୟ ଜଳ ଯୋଗାଣ ନାଁରେ ଏକାଧିକ ନଳକୂପ ଓ ମାଧ୍ୟାକର୍ଷଣ ଶକ୍ତି ସହାୟତାରେ ଆଖପାଖ ପାହାଡ଼ ଜଳ ଉତ୍ସରୁ ପାଇପ୍ ଯୋଗେ ପ୍ରଭାବିତ ପରିବାର ସମୂହକୁ ପାନୀୟ ଜଳ ଯୋଗାଣ ପାଇଁ ୫୩ ଲକ୍ଷ ୫୬ ହଜାର ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ୬୦ଟି ଯାକ ପରିବାର ଏଠୁ ନିୟମିତ ପିଇବା ପାଣି ପାଇପାରୁ ନାହାନ୍ତି।
ଏହାବାଦ୍ ଓଏଲ୍ଏମ୍, ବନ ବିଭାଗ, ମନରେଗା ଓ ସୌର ବିଜୁଳି ପ୍ରକଳ୍ପ ନାଁରେ ଏଠି ବହୁ ଦୁର୍ନୀତି ହୋଇଥିବା ନେଇ ସୂଚନା ଅଧିକାର କର୍ମୀ ଶ୍ରୀ ପ୍ରଧାନ, ଶ୍ରୀ ଅଖଣ୍ଡ, ଜୟନ୍ତ ପାତ୍ର ଓ ଜିତେନ୍ଦ୍ର ସାହୁ ପ୍ରମୁଖ ଅଭିଯୋଗ କରିଥିଲେ। ଶ୍ରୀ ପ୍ରଧାନ ଲୋକାୟୁକ୍ତ ଅଧ୍ୟକ୍ଷ ଅଜିତ୍ ସିଂଙ୍କୁ ଆବେଦନ କରି ଏହାର ନ୍ୟାୟିକ ତଦନ୍ତ ଦାବି କରିଥିଲେ। ବିଭିନ୍ନ ତଥ୍ୟାବଳୀକୁ ଅନୁଧ୍ୟାନ କରିବା ପରେ ଲୋକାୟୁକ୍ତ ଅଧ୍ୟକ୍ଷ ଗତ ୨୫ ତାରିଖ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ(ପିଡି), ସୁକିନ୍ଦା ବିଡିଓ, ଯାଜପୁର ଟାଉନସ୍ଥିତ ଗ୍ରାମ୍ୟ ଉନ୍ନୟନ ବିଭାଜନ-୧ର ନିର୍ବାହୀ ଯନ୍ତ୍ରୀ, ଧବଳଗିରିସ୍ଥିତ ନେସୁ ନିର୍ବାହୀ ଯନ୍ତ୍ରୀ, ଚଣ୍ଡିଖୋଲସ୍ଥିତ ଆର୍ଡବ୍ଲ୍ୟୁଏସ୍ଏସ୍ ଡିଭିଜନ ନିର୍ବାହୀ ଯନ୍ତ୍ରୀ ଓ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କୁ ସମନ ଜାରି କରିଛନ୍ତି।
ହରଡଘଣାରେ ନଗଡ଼ା । ବିକାଶ ବାଟରେ ଦୁର୍ନୀତିର ପାଦ । କୋଟି କୋଟି ଟଙ୍କା ଚଳୁ ହୋଇଥିବା ଅଭିଯୋଗ, ପିଡି, ବିଡିଓ ସହ ୩ଯନ୍ତ୍ରୀଙ୍କୁ ନୋଟିସ୍
/kanak/media/post_attachments/wp-content/uploads/2019/11/Judgement_at_Nuremburg_1000x714-1-750x430.jpg)
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)