ଡ୍ରାଇଭିଂ ଲାଇସେନ୍ସ ପାଇଁ ଅନଲାଇନ ଆବେଦନ କରୁଛନ୍ତି କି? ହୋଇଯାଆନ୍ତୁ ସାବଧାନ । ଆପଣ ବି ହୋଇପାରନ୍ତି ଲୁଟର ଶିକାର..

392

କନକ ବ୍ୟୁରୋ: ବଢ଼ୁଛି ସାଇବର ଠକଙ୍କ ଦୌରାତ୍ମ୍ୟ । ନୂଆ ନୂଆ ଚାଲ କରି ସାଧାରଣ ଲୋକଙ୍କୁ ଠକୁଛନ୍ତି ସାଇବର ଠକ । କେତେବେଳେ ଡ୍ରାଇଭିଂ ଲାଇସେନ୍ସ ଦେବା ବାହାନାରେ ତ ଆଉ କେତେବେଳେ କେୱାଇସି ଅପଡେଟ୍ କରିବା ବାହାନାରେ ।

ସାଗରିକା ଚଇନି । ଭୁବନେଶ୍ୱରର ଏହି ଯୁବତୀ ଜଣଙ୍କ ପରିବହନ ଆପ ଜରିଆରେ ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ କରିଥିଲେ । ଆପ୍ଲିକେସନ ଖୋଲିବା ପରେ ପ୍ରଥମେ ଲର୍ଣ୍ଣିଂ ପାଇଁ ସମସ୍ତ ତଥ୍ୟ ଦେଇଥିଲେ ସାଗରିକା । ତାପରେ ଲାଇସେନ୍ସ ଆବେଦନ ପାଇଁ ଫୋନ ପେ ଜରିଆରେ ୧୮ଶହ ଟଙ୍କା ଡିପୋଜିଟ୍ କରିଥିଲେ । ହେଲେ ଟଙ୍କା ନେଇଯାଇଥିଲା ସାଇବର ଠକ କିନ୍ତୁ ଆସିନଥିଲା ଲାଇସେନ୍ସ ।

କେୱାଇସି ଅପଡେଟ୍ କରିବା ନାଁରେ ସାଇବର ଠକେଇର ଶିକାର ହୋଇଛନ୍ତିି ଏଲଆଇସିର ପୂର୍ବତନ ଏହି ଅଧିକାରୀ । ଫୋନରେ ଆସିଥିବା ଏକ ମେସେଜକୁ ସତ ଭାବି ଫୋନ କରିବା ତାଙ୍କୁ ମହଙ୍ଗା ପଡିଛି । ମାତ୍ର ୧୦ ଟଙ୍କା ରିଚାର୍ଜ କରିବା ପରେ, ବାଳକୃଷ୍ଣଙ୍କ ମୋବାଇଲରେ ଥିବା ସମସ୍ତ ଆପ୍ଲିକେସନକୁ ନିଜ ନିୟନ୍ତ୍ରଣକୁ ନେଇଯାଇଥିଲା ଠକ । ଆଉ ତାପରେ ଲୁଟି ନେଇଥିଲା ଲକ୍ଷାଧିକ ଟଙ୍କା ।

ସାଇବର ଠକ ମାନେ ଘରଭଡା ନେବାକୁ କହି ନୂଆ ଉପାୟରେ ଲୁଟୁଥିବା ଅଭିଯୋଗ ବଢ଼ିବାରେ ଲାଗିଛି । ଏଭଳି ଅଭିଯୋଗ ବଢ଼ୁଥିବାରୁ ଅଜଣା ଲୋକଙ୍କ ସହ ବନ୍ଧୁ ନବାନ୍ଧିବାକୁ ଓ ତଥ୍ୟ ନଦେବାକୁ ନିବେଦନ କରିଛନ୍ତି ପୋଲିସ କମିଶନର । ଆଉ କହିଛନ୍ତି ଭୁବନେଶ୍ୱରରେ ୧୩ଟି ଉପାୟରେ ଠକ ଲୁଟୁଛନ୍ତି । ଗତ ଜୁଲାଇରେ ୫୫ ଲକ୍ଷ ୬୦ ହଜାର ଟଙ୍କା ଲୁଟିଛନ୍ତି ।

ସାଇବର ଠକାମି ବଢ଼ୁଥିବାବେଳେ ସଚେତନତା ହିଁ ଏକମାତ୍ର ଉପାୟ । ସଚେତନ ନହେଲେ ଆପଣ ବି ଠକାମିର ଶିକାର ହୋଇ ପାରନ୍ତି । ତେଣୁ ସତର୍କତା ଜରୁରୀ ।