ସୁନା ଅଳଙ୍କାର ବନ୍ଧା ରଖି ଟଙ୍କା ଦେବେ କହି ଲଗାଇଲେ ଚୁନା । ଅଭିଯୁକ୍ତକୁ ଗିରଫ କଲା ପୋଲିସ ।

210

କନକ ବ୍ୟୁରୋ: ସୁନା ଅଳଙ୍କାର ବନ୍ଧା ରଖି ଟଙ୍କା ଦେବେ କହି ଲଗାଇଲେ ଚୁନା । କଟକ କ୍ୟାଣ୍ଟନମେଣ୍ଟ ଥାନାରୁ ଆସିଛି ଏଭଳି ଅଭିଯୋଗ । ଅଭିଯୋଗ ଅନୁସାରେ, ଭୁବନେଶ୍ୱର ପଟିଆର ଏକ ମେଡିସିନ୍ ଦୋକାନର ସେଲ୍ସମ୍ୟାନ୍ ଭାବେ କାମ କରୁଥିଲେ କଲ୍ୟାଣୀ ବେହେରା ନାମକ ଯୁବତୀ । ଜଣେ ଗ୍ରାହକଙ୍କ ସହ ତାଙ୍କର ଦେଖା ହେବା ପରେ ଯୁବତୀ ଜଣକ ଟଙ୍କା ଦରକାର ବୋଲି କହିଥିଲେ । ଆଉ ଯୁବକ ଜଣକ ଟଙ୍କା ଦେବା ବଦଳରେ ସୁନା ଅଳଙ୍କାର ବନ୍ଧା ରଖିବାକୁ କହିଥିଲେ । ସୁନା ଅଳଙ୍କାର ପାଇବା ପରେ ଯୁବତୀଙ୍କୁ ଟଙ୍କା ନଦେଇ ଫେରାର ହୋଇଯାଇଥିଲେ ଯୁବକ । ଘଟଣାକୁ ନେଇ କଟକ କ୍ୟାଣ୍ଟନମେଣ୍ଟ ଥାନାରେ ଅଭିଯୋଗ କରିଥିଲେ ଯୁବତୀ । କ୍ୟାଣ୍ଟନମେଣ୍ଟ ଥାନା ପୋଲିସ ଘଟଣାରେ ଯୁବକଙ୍କ ଗିରଫ କରି ସୁନା ଅଳଙ୍କାର ଜବତ କରିଛି । ଯୁବକଙ୍କ ନାଁରେ ପୂର୍ବରୁ କୌଣସି ଠକେଇ ଅଭିଯୋଗ ରହିଛି ନା ନାହିଁ, ସେନେଇ ତଦନ୍ତ କରଛି ପୋଲିସ । ସେପଟେ ଯୁବକଙ୍କ ସହ ମାଟ୍ରିମୋନିଆଲ ସାଇଟରୁ ଦେଖା ହୋଇଥିଲା ବୋଲି ଯୁବତୀ ଜଣକ କହିଛନ୍ତି । ଯୁବକ ତାଙ୍କୁ ଆୟକର ବିଭାଗରେ ଚାକିରି କରୁଥିବା କହିଥିଲେ ଏବଂ ପରେ ଯୁବକଙ୍କ ଉପରେ ତାଙ୍କର ବିଶ୍ୱାସ ଜାତ ହୋଇଥିଲା । ଯୁବକଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି ପୋଲିସ ।