ଆବାସ ଯୋଜନାକୁ ନେଇ ବିଜେପି-ବିଜେଡି କଳି ଭିତରେ ସାମ୍ନାକୁ ଆସିଛି ଠିକାଦାରଙ୍କ ଚଂଚକତା । ଉମରକୋଟରେ ହିତାଧିକାରୀଙ୍କ ଟଙ୍କା ହଡପ କରି ଗିରଫ ହେଲେ ଠିକାଦାର

467

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ବିଜେପି-ବିଜେଡି କଳି ଭିତରେ ସାମ୍ନାକୁ ଆସିଛି ଠିକାଦାରଙ୍କ ବଡଧରଣ ଚଂଚକତା । ଯୋଗ୍ୟ ହିକାଧିକାରୀଙ୍କ ଆବାସ ନିର୍ମାଣରେ ଦୁର୍ନୀତି ଅଭିଯୋଗ କରି ବିଜେପି ବ୍ଲକ ଅଫିସ ଘେରାଉ କରୁଛି । ଆଉ ଏତିକି ବେଳେ ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍ କୁର୍ସି ପଂଚାୟତରୁ ଆସିଛି ଠିକାଦାରଙ୍କ ଆବାସ ଯୋଜନା ଟଙ୍କା ହଡପ ଅଭିଯୋଗ । ହିତାଧିକାରୀଙ୍କୁ ଅଭିଯୋଗକୁ ଆଧାର କରି ଠକ ଠିକାଦାରକୁ ଗିରଫ କରିଛି ଉମରକୋଟ ପୁଲିସ ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ନିର୍ମାଣ କରିବାକୁ କାର୍ଯ୍ୟାଦେଶ ପାଇଥିବା କୁରସି ପଂଚାୟତର ଗରିବ ହିତାଧିକାରୀ ପଇସା ଅଭାବରୁ ଠିକାଦାରକୁ ଭରସା କରିଥିଲେ । ହେଲେ ଗରିବ ଲୋକଙ୍କ ଅସହାୟତାର ସୁଯୋଗ ନେଇ ଲକ୍ଷାଧିକ ଟଙ୍କା ଠକି ନେଇଛି ଠକ ଠିକାଦାର । ଠିକାଦାର ନାଁରେ ଉମରକୋଟ ଥାନାରେ ଏକାଥରେ ୫ଟି ଏତଲା ଦିଆଯିବା ପରେ ଚାରଶୋବିସ ଠିକାଦାର ସଂଜୀବ ସୁବୁଦ୍ଧିକୁ ଗିରଫ କରି କୋର୍ଟ ଚାଲାଣ କରିଛି ଉମରକୋଟ ପୋଲିସ । ଆଉ ତା ବିରୋଧରେ ଲଗାଇଛି ସାଂଗୀନ ଦଫା ।

ଅଭିଯୋଗ ଅନୁସାରେ ଉମରକୋଟ ବ୍ଲକ କୁର୍ଶୀ ପଂଚାୟତର ରଜବତୀ କଲାର, ଫୁଲମତି ଗଣ୍ଡ, ମଙ୍ଗତି ଗଣ୍ଡ, ଜୟମଣି ଗଣ୍ଡ, ମାରୀ ଗଣ୍ଡଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଓ ବିଜୁ ପକ୍କା ଘର ଯୋଜନାରେ ଘର ମିଳିଥିଲା । ଘର ତିଆରି କରାଇ ଦେବାକୁ କହି ସେମାନଙ୍କର ଆଧାର କାର୍ଡ, ବ୍ୟାଙ୍କ୍ ପାସ୍ ବୁକ୍ ସହ ଆବଶ୍ୟକ କାଗଜପତ୍ର ମାଗି ନେଇଥିଲା ଏହି ଠକ ଠିକାଦର । ପରେ ସେମାନଙ୍କୁ ବ୍ୟାଙ୍କକୁ ନେଇ ତାଙ୍କ ଟିପ ଚିହ୍ନ ନେଇ ବ୍ୟାଙ୍କ ଆକାଉଂଟ ଖାଲି କରିଦେଇଛି । ସବୁ ଟଙ୍କା ନେଇଯିବା ପରେ ଘର କାମ ଅଧାରେ ଛାଡି ଆଉ ଧରା ଛୁଆଁ ଦେଉନାହିଁ । ଘର କାମ ସରିବାକୁ କହିବାରୁ ଗରିବ ଆଦିବାସୀଙ୍କୁ ନାଲିଆଖି ଦେଖାଉଛି ଏହି ଚାରଶୋବିଶ ଠକ ।

ଉମରକୋଟ ଏସ୍ଡିପିଓ ଡା.ଦିନେସ ଚନ୍ଦ୍ର ନାୟକ ତଦନ୍ତର ଦାଇତ୍ୱ ନେଇଛନ୍ତି । ପୂର୍ବରୁ ମଧ୍ୟ ଉମରକୋଟ ଝରିଗାଁ ରୋଡ ଅଂଚଳର ଠିକାଦାର ସଞ୍ଜୀବ ସୁବୁଦ୍ଧି ମିଥ୍ୟା ବିଲ କରାଇବାକୁ ବିଡିଓଙ୍କୁ ବାଧ୍ୟ କରିଥିବା ଅଭିଯୋଗରେ ଗିରଫ ହୋଇ ଜେଲ ଯାଇଥିଲା ।