କନକ ବ୍ୟୁରୋ : ଠକଙ୍କ ମାୟାଜାଲରେ ଫସିଛି ରାଜଧାନୀ । କିଏ ପୁଞ୍ଜି ନିବେଶ ନାଁରେ ଅଧିକ ଟଙ୍କା ଫେରାଇବାର ଲୋଭ ଦେଖାଇ ତ କିଏ ଜମି, ଫ୍ଲାଟ୍ ଦେବା ନାଁରେ ଲୋକଙ୍କୁ ପ୍ରଲୋଭିତ କରି ଠକୁଛି । କିଏ ପୁଲିସ ବେଶରେ ମାମଲାର ସମାଧାନ ପାଇଁ କହି ଠକିଲାଣି ତ କିଏ ଏଜେଣ୍ଟ ନାଁରେ ଲାଭଦାୟକ ବୀମା କରିବାକୁ କହି ଲୋକଙ୍କୁ ଭୂଆଁ ବୁଲାଇଲାଣି । ପୁଣି କିଏ ଚାକିରି ଦୋବା ନାଁରେ ତ କିଏ ବିଭିନ୍ନ ସ୍କିମ୍ରେ ଲୋକଙ୍କୁ ଗାଡ଼ି ମୋଟର ଠାରୁ ଆରମ୍ଭ କରି ଗାର୍ମେଣ୍ଟସ୍ ଶସ୍ତାରେ ଦେବାର ଲୋଭ ଦେଖାଇ ଲୋକଙ୍କୁ ଚୂନ ଲଗାଇଲାଣି । ଓଏଲ୍ଏକ୍ସଠାରୁ ଆରମ୍ଭ କରି ବିଭିନ୍ନ ସୋସିଆଲ୍ ମିଡିଆ ସାଇଟ୍ ଜରିଆରେ ଲୋକଙ୍କୁ ଠାରୁ ଟଙ୍କା ଲୁଟି ନେଲେଣି । ରାଜଧାନୀରେ ଠକ ଏଭଳି ଜାଲ ବିଛାଇଛନ୍ତି ଯେ, ପୁଲିସ ସେମାନଙ୍କ ଟେର୍ ପାଇବା କାଠିକର ପାଠ ହୋଇଯାଇଛି । ପୁଲିସ ଗୋଟିଏ ଖିଅ ଧରୁ ଧରୁ ଠକମାନେ ଆଉ ପାଦେ ଆଗକୁ ଯାଇ ନୂଆ ତରିକାରେ ଲୋକଙ୍କୁ ଚୂନ ଲଗାଉଛନ୍ତି ।
୨୦୨୧ ମସିହାର ୧୧ମାସରେ ଠକମାନେ ରାଜଧାନୀର ୭୯୧ ଲୋକଙ୍କୁ ଚୂନ ଲଗାଇ କୋଟି କୋଟି ଟଙ୍କା ଲୁଟିଛନ୍ତି । କମିସନରେଟ୍ ପୁଲିସର ୨୪ଟି ଥାନାରେ ୭୯୧ ମାମଲା ପଞ୍ଜୀକୃତ ହୋଇଛି । ମାତ୍ର ୨୫୪ ମାମଲାର ପୁଲିସ ତଦନ୍ତ ଶେଷ ହୋଇଛି । ବାକି ୫୩୭ ମାମଲା ତଦନ୍ତ ଅପେକ୍ଷାରେ ରହିଛି । ଅର୍ଥାତ ପୁଲିସ ୬୮% ମାମଲାରେ ଅପରାଧୀଙ୍କ ପାଖରେ ପହଞ୍ଚିପାରିନାହିଁ । କମିସନରେଟ୍ ପୁଲିସ ପକ୍ଷରୁ ଦିଆଯାଇଥିବା ବାର୍ଷିକ ତଥ୍ୟରୁ ଏହା ସ୍ପଷ୍ଟ ହୋଇଛି । ତେବେ ୨୫୪ ମାମଲାରେ ପୁଲିସ ୧୮୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେଥିରେ ୧୭୭ଜଣ ପୁରୁଷ ଓ ୪ଜଣ ମହିଳା ସାମିଲ୍ ଅଛନ୍ତି । ସବୁଠୁ ଆଶ୍ଚର୍ଯ୍ୟର କଥା ଯେ, ମହିଳାମାନେ ବି ଏଭଳି ଠକ ଗ୍ୟାଙ୍ଗ ସହ ସାମିଲ୍ ରହୁଛନ୍ତି ।
ସୂଚନାନୁସାରେ ବଡଗଡ ଥାନାରେ ସର୍ବାଧିକ ୯୧ଟି ମାମଲା ରୁଜୁ ହୋଇଥିବା ବେଳେ ପଛକୁ ଖଣ୍ଡଗିରି ଥାନାରେ ୭୯ଟି, ଚନ୍ଦ୍ରଶେଖରପୁର ଥାନାରେ ୬୧ଟି ଏବଂ କ୍ୟାପିଟାଲ ଥାନାରେ ୫୫ଟି ତଥା ଲକ୍ଷ୍ମୀସାଗର ଥାନାରେ ୫୪ଟି ମାମଲା ରୁଜୁ ହୋଇଛି । ସେହିପରି ମହିଳା ଥାନାରେ ସର୍ବନିମ୍ନ ୫ଟି ଠକେଇ ମାମଲା ରୁଜୁ ହୋଇଥିବା ବେଳେ ବାଲିପାଟଣା ରେ ୮ଟି, ନନ୍ଦନକାନନରେ ୧୨ଟି, ତମାଣ୍ଡୋରେ ୧୪ଟି ଏବଂ ଖାରବେଳନଗର ଥାନାରେ ୧୭ଟି ଠକେଇ ମାମଲା ପଞ୍ଜୀକୃତ ହୋଇଛି । ତେବେ ବଡଗଡ ଥାନା ସର୍ବାଧିକ ୪୫ଟି ମାମଲାର ତଦନ୍ତ ଶେଷ କରିଥିବା ବେଳେ ଇନ୍ଫୋସିଟି ଥାନା ୨୨ଟି, ଲକ୍ଷ୍ମୀସାଗର ୨୦ଟି ଏବଂ ସହିଦନଗର ଥାନା ୧୯ଟି ମାମଲାର ତଦନ୍ତ ଶେଷ କରିଛି । ବାଲିପାଟଣା ଥାନା ଗୋଟିଏ ବି ହେଲେ ମାମଲାର ତଦନ୍ତ ଶେଷକରିପାରି ନାହିଁ ।
ଅନ୍ୟପଟେ ରାଜଧାନୀରେ ଠକଙ୍କ ପାର୍ଦୁଭାବ ବଢ଼ିଚାଲିଥିବା ବେଳେ ଏଥିରେ ରୋକ୍ ଲଗାଇବା ପାଇଁ କମିସନରେଟ୍ ପୁଲିସ ଅଣ୍ଟା ଭିଡ଼ିଥିଲା । ଆଣ୍ଟି ଫ୍ରଡ୍ ସେଲ୍ ଗଠନ କରି ବିଭିନ୍ନ ଠକେଇ ମାମଲାକୁ ହାତକୁ ନେଇ ଅପରାଧୀଙ୍କୁ ସାବାଡ୍ କରିଛି । ଚଳିତ ବର୍ଷ ସୁଦ୍ଧା ଏହି ସେଲ୍ ବିଭିନ୍ନ ଥାନାରେ ରୁଜୁ ହୋଇଥିବା ଠକେଇ ଜନିତ ୧୮୭ଟି ମାମଲାର ସମୀକ୍ଷା କରି ୭୩ ଟି ମାମଲାରେ ତଦନ୍ତ ଶେଷ କରିଛି ।
କେତେକ ଚର୍ଚ୍ଚିତ ଠକେଇ
ଓଏଲ୍ଏକ୍ସରେ ବିଜ୍ଞାପନ ଦେଇ ଲୋକଙ୍କୁ ଗାଡି କିଣାଇ ଦେବାର ପ୍ରତିଶ୍ରୁତି ଦେଇ ଲୋକଙ୍କୁ ଭୂଆଁ ବୁଲାଉଥିବା ଧଉଳି ଗୋପୀନାଥପୁର ଗାଁର ତୃପ୍ତି ରଞ୍ଜନ ଦାସଙ୍କୁ ବଡ଼ଗଡ଼ ଥାନା ଗିରଫ କରିଥିଲା । ଉତ୍କଳ ବିଶ୍ବବିଦ୍ୟାଳୟରୁ ଏମ୍ବିଏ ତଥା ଏଲ୍ଏଲ୍ବି ଶିକ୍ଷା ଲାଭ ପରେ ତୃପ୍ତି ଗାଡ଼ି ଦେବା ନାଁରେ ବିଭିନ୍ନ ଲୋକଙ୍କ ପାଖରୁ ଲକ୍ଷାଧିକ ଟଙ୍କା ନେଇ ଚମ୍ପଟ ମାରିଥିଲା । ତା ନାଁରେ ରାଜଧାନୀର ବିଭିନ୍ନ ଥାନାରେ ୪୭ ଟି ମାମଲା ପଞ୍ଜୀକୃତ ହୋଇଥିଲା ।
ଆଣ୍ଟି ଫ୍ରଡ୍ ସେଲ୍ ଓ ସହିଦନଗର ଥାନାର ମିଳିତ ଉଦ୍ୟମରେ ପ୍ଲଟ ନମ୍ବର ୬୯, ସହିଦନଗର ସ୍ଥିତ ମା ତାରିଣୀ ଇଷ୍ଟକନ ପ୍ରାଇଭେଟ ଲିମିଟେଡର ମ୍ୟାନେଜିଙ୍ଗ୍ ଡାଇରେକ୍ଟର ନିରଞ୍ଜନ ରଣାଙ୍କୁ ଗିରଫ କରାଯାଇଥିଲା । ନିରଞ୍ଜନ ସିହଦନଗର ଥାନାର ୧୫ ଟି ମାମଲା, ବାଲିଅନ୍ତା ଥାନାର ୮ ଟି ମାମଲା ଏବଂ ବଡଗଡ ଥାନାର ୨ ଟି ମାମଲାରେ ରହିଛି ।
ଆଣ୍ଟି ଫ୍ରଡ୍ ସେଲ୍ ଓ ସହିଦନଗର ଥାନାର ମିଳିତ ଉଦ୍ୟମରେ ସାରଳା ରିଅଲକନ ପ୍ରାଇଭେଟ ଲିମିଟେଡର ମ୍ୟାନେଜିଙ୍ଗ୍ ଡାଇରେକ୍ଟର ଗୟାଧର ଜେନାକୁ ଗିରଫ କରାଯାଇଥିଲା । ଗୟାଧର ଜେନାଙ୍କ ନାମରେ ୨୦୧୪ ମସିହାରୁ ସହିଦନଗର ଥାନାରେ ୬ ଟି ମାମଲା, ଲକ୍ଷ୍ମୀସାଗର ଥାନାରେ ୧୫ ଟି ମାମଲା ତଥା ମଞ୍ଚେଶ୍ବର ଥାନାରେ ୫ଟି ବିଭିନ୍ନ ମାମଲା ରୁଜୁ ହୋଇଥିଲା । ସେ ପୂର୍ବରୁ ବହୁତ ଥର ଜମି ଜାଲିଆତି ସହ ଠକାମି କରି ଜେଲ ଯାଇଥିଲେ ।
ନାଗେଶ୍ବରଟାଙ୍ଗୀର ଏମ୍ଏସ୍ ଆପୋଲୋ ଇନଫ୍ରା ପ୍ରୋଜେକ୍ଟ ଲିମିଟେଡର ମ୍ୟାନେଜିଙ୍ଗ୍ ଡାଇରେକ୍ଟର ଦୀପକ ମହାନ୍ତିଙ୍କୁ ଆଣ୍ଟି ଫ୍ରଡ୍ ସେଲ୍ର ଗିରଫ କରିଥିଲା । ତା ନାମରେ ବଡଗଡରେ ୨୭ ଲକ୍ଷ ଟଙ୍କା ଓ ଜଟଣୀ ଥାନାରେ ୧ କୋଟି ଟଙ୍କା ହଡପ ଅଭିଯୋଗ ଥିଲା । ଲିଙ୍ଗରାଜ ଥାନାର ମଧ୍ୟ ଦୁଇଟି ମାମଲାରେ ରହିଛି ।
ଚାକିରି ଯୋଗାଇଦେବା ଅଳରେ ବହୁ ଆଶାୟୀ ପ୍ରାର୍ଥୀମାନଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକେଇ ମାମଲାରେ ଶୁଭମ୍ ପ୍ଲେସ୍ମେଣ୍ଟ ଆଣ୍ଡ ସର୍ଭିସେସର ଡାଇରେକ୍ଟର ବିଶ୍ବରଞ୍ଜନ ତ୍ରିପାଠୀକୁ ଚନ୍ଦ୍ରଶେଖରପୁର ଥାନା ଗିରଫ କରିଥିଲା ।
ୟୁନିଅନ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର କଳିଙ୍ଗ ନଗର ବ୍ରାଞ୍ଚରେ ଆସିଷ୍ଟାଣ୍ଟ ମ୍ୟାନେଜର ଭାବେ କାମକରୁଥିବା ମୀନା ନାୟକଙ୍କୁ ୧ କୋଟି ୧୬ ଲକ୍ଷ ୮୭ ହଜାର ଟଙ୍କାର ଠକେଇ ମାମଲାରେ ଭରତପୁର ଥାନା ପୁଲିସ ଗିରଫକରି କୋର୍ଟ ଚାଲାଣ କରିଥିଲା ।