କନକ ବ୍ୟୁରୋ: ଭଣ୍ଡ ଜ୍ୟୋତିଷ ନିଳାମ୍ବର ପାଣିଙ୍କ ଗୋଟିଏ ପରେ ଗୋଟିଏ କଳା କାରନାମା ପଦାକୁ ଆସୁଛି । ଲୋକଙ୍କୁ ବିଭ୍ରାନ୍ତ କରିବା ପାଇଁ ସୋସିଆଲ ମିଡିଆକୁ ଅସ୍ତ୍ର ଭାବେ ବ୍ୟବହାର କରି ବିଭିନ୍ନ ଭିଡିଓ ପୋଷ୍ଟ କରୁଥିଲା । ମହିଳା ଓ କଲେଜ ଛାତ୍ରୀଙ୍କୁ ଟାର୍ଗେଟ କରି ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଇଥିବା ଚର୍ଚ୍ଚା ଜୋର ଧରିଛି ।

ସୋସିଆଲ ମିଡିଆରେ ମିଠା ମିଠା କଥା କହି ଲୋକଙ୍କୁ ଲୁଟ କରି ଚାଲିଥିବା ଏହି କୁହା ମୁଣ୍ଡା କପିଳା ଏବେ ଜେଲରେ । ଏହି ଠକ ଏତେ ମାରାତ୍ମକ ଯେ, ଯାହାକୁ ଥରେ ଟାର୍ଗେଟ କରେ ତାକୁ ତଳିତଳାନ୍ତ ନକଲା ଯାଏଁ ଶାନ୍ତିରେ ରହି ପାରେନି । ପାରିବାରିକ ସମସ୍ୟା, ବିବାହ ଓ ପ୍ରେମରେ ବିଚ୍ଛେଦ, ମାନସିକ ଅବସାଦ, ପାଠ ପଢାରେ ଦୁର୍ବଳ, ଗ୍ରହ ଶାନ୍ତି, ବାସ୍ତୁ ଦୋଷ ସବୁ କିଛିର ସମାଧାନ ବାଟ ବତାଏ ଏହି ଧୃତ ଠକ । ସବୁ ପ୍ରକାରର ବିଦ୍ୟାରେ ପାରଦର୍ଶୀତା ଲାଭ କଲା ଭଳି ଲମ୍ବା ଲମ୍ବା ଭାଷଣ ବାଜି କରିବା ସହ ବଡ ବଡ ସମସ୍ୟା ଗୁଡିକୁ ଲବଙ୍ଗ ସାହାଯ୍ୟରେ ସମାଧାନ କରୁଥିଲା ।

କେବଳ ସେତିକି ନୁହେଁ ସୋସିଆଲ ମିଡିଆରେ ଏହିଭଳି ଶତାଧିକ ଭିଡିଓ ତିଆରି କରି ମହିଳା ଓ କଲେଜ ଛାତ୍ରୀଙ୍କୁ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଇଥିବା ଚର୍ଚ୍ଚା ଜୋର ଧରିଛି । ତେବେ ଲୋକ ଲଜ୍ଜା ଭୟରେ ମହିଳା ଓ ଯୁବତୀମାନେ ଥାନାକୁ ଆସୁନଥିବା ଜଣାପଡ଼ିଛି । । ପୁଲିସ କହିଛି ଏହି ଠକ ଜ୍ୟୋତିଷ ଠାରୁ ଠକେଇ ହୋଇଥିବା ବ୍ୟକ୍ତି ନିକଟସ୍ଥ ଥାନାରେ ନିଜର ଅଭିଯୋଗ କରି ପାରିବେ । ସେମାନଙ୍କ ପରିଚୟ ଗୋପାନ ରଖାଯିବ । ଏହାସହିତ ଠକ ଜ୍ୟୋତିଷକୁ ରିମାଣ୍ଡରେ ଆଣି ପଚରା ଉଚରା କରିବାକୁ ଯୋଜନା କରୁଛି କମିସନରେଟ ପୁଲିସ ।

ଜଣେ ମହିଳାଙ୍କୁ ଲବଙ୍ଗ ଦେଇ ଦୁଷ୍କର୍ମ ଉଦ୍ୟମ କରିବା ନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ ଆସିବା ପରେ, ଏହି ଠକ ଜ୍ୟୋତିଷର କଳା କାରନାମା ସାମ୍ନାକୁ ଆସିଥିଲା । ପ୍ରଶ୍ନ ଉଠୁଛି -
ଏହି ଲମ୍ପଟ ଜ୍ୟୋତିଷ କେବେଠାରୁ ଏପରି ଠକେଇ କରି ଆସୁଛି?
କେତେ ମହିଳା ଓ ଯୁବତୀଙ୍କ ସହ ଅସଦାଚରଣ କରିଛି?
କେବଳ ଭ୍ଦ୍ରକ, ଭୁବନେଶ୍ୱର ନା’ ଅନ୍ୟ କୌଣସି ସହରରେ ଏପରି ଠକେଇ କରିଛି?
ଏଭଳି ଅନେକ ପ୍ରଶ୍ନର ଉତର ଖୋଜୁଛି ପୁଲିସ ।