କେଉଁ ଟିମ୍ ପାଖରେ ଅଛି କେତେ ଟଙ୍କା? ଆଇପିଏଲ ମିନି ନିଲାମୀରେ କିଏ ହେବେ ଦାମୀ ଖେଳାଳୀ, କେଉଁ ଖେଳାଳୀଙ୍କ ଉପରେ ରହିବ ସମସ୍ତଙ୍କର ନଜର?

415

କନକ ବ୍ୟୁରୋ : ଡିସେମ୍ବର ୧୯ରେ ଦୁବାଇରେ ହେବ ଆଇପିଏଲ ମିନି ନିଲାମୀ । ତେବେ ଏହି ମିନି ନିଲାମୀ ପୂର୍ବରୁ ଫ୍ରାଞ୍ଚାଇଜ ଗୁଡିକ ଅନେକ ଖେଳାଳୀଙ୍କୁ ରିଲିଜ କରିଥିବା ବେଳେ ଟ୍ରେଡ ମଧ୍ୟ ଶେଷ ହୋଇଛି । ଦୁବାଇରେ ହେବାକୁ ଥିବା ନିଲାମୀରେ ଅନେକ ଷ୍ଟାର ଖେଳାଳୀଙ୍କୁ ଦେଖିବାକୁ ମିଳିବ । ଖାସକରି ବିଶ୍ୱକପରେ ଦମଦାର ପ୍ରଦର୍ଶନ କରିଥିବା ଷ୍ଟାର୍କ, କମିନ୍ସ, ରଚିନ ରବୀନ୍ଦ୍ର, ଡାରେଲ ମିଚେଲଙ୍କ ଭଳି ଖେଳାଳୀ ନିଲାମୀରେ ନିଜ ନାଁ ସାମିଲ କରିପାରନ୍ତି । ଏଭଳି ସ୍ଥିତିରେ କେଉଁ ଖେଳାଳୀଙ୍କୁ କେତେ ଟଙ୍କାରେ କିଏ ନିଜ ଦଳରେ ସାମିଲ କରିବ ତାହା ଉପରେ ସମସ୍ତଙ୍କର ନଜର ରହିବ । ତେବେ ନିଲାମୀ ପୂର୍ବରୁ କେଉଁ ଫ୍ରାଞ୍ଚାଇଜ ପାଖରେ କେତେ ଟଙ୍କା ରହିଛି ତାହା ବେଶ ଗୁରୁତ୍ୱପୂର୍ଣ୍ଣ ।

ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମୁମ୍ବାଇ ଟ୍ରେଡ କରି ନିଜ ଦଳରେ ସାମିଲ କରିବା ପରେ ଗୁଜୁରାଟ ଟାଇଟନ୍ସ ପାଖରେ ସର୍ବାଧିକ ୩୮.୧୫ କୋଟି ବଳକା ରହିଛି । ଗୁଜୁରାଟ ଟାଇଟନ୍ସରେ ହାର୍ଦ୍ଦିକଙ୍କୁ ୧୫ କୋଟି ମିଳୁଥିଲା । ଏହାଛଡା ଆସନ୍ତା ନିଲାମୀରେ ଗୁଜୁରାଟ ପାଖରେ ୯ ଜଣ ଖେଳାଳୀଙ୍କୁ ନିଜ ଦଳରେ ସାମିଲ କରିବାର ସୁଯୋଗ ରହିଛି । ଏହି ୯ ଜଣଙ୍କ ମଧ୍ୟରୁ ୨ ଜଣ ବିଦେଶୀ ଖେଳାଳୀଙ୍କ ପାଇଁ ସ୍ଲଟ୍ ଫାଙ୍କା ରହିଛି ।
ସେହିଭଳି ଗତବର୍ଷର ଆଇପିଏଲ ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗସ ପାଖରେ ୩୧.୪ କୋଟି ବଳକା ରହିଛି । ଚେନ୍ନାଇ ଚଳିତ ବର୍ଷ ବେନ ଷ୍ଟୋକ୍ସଙ୍କ ଭଳି ଷ୍ଟାର କ୍ରିକେଟରଙ୍କୁ ରିଲିଜ କରିଛି । ଏବେ ଚେନ୍ନାଇ ଟିମରେ ୬ ଜଣ ଖେଳାଳୀଙ୍କ ପାଇଁ ସ୍ଲଟ ବାକି ରହିଛି, ଯେଉଁଥିରେ ୩ ଜଣ ବିଦେଶୀ ଖେଳାଳୀଙ୍କୁ ନେଇପାରିବ ଧୋନୀଙ୍କ ଟିମ୍ । ଦିଲ୍ଲୀ କ୍ୟାପିଟାଲ୍ସ ପର୍ସରେ ୨୮.୯୫ କୋଟି ଟଙ୍କା ରହିଛି । ଦିଲ୍ଲୀ ଟିମରେ ୯ଟି ସ୍ଲଟ ଫାଙ୍କା ଥିବା ବେଳେ ୪ ଜଣ ବିଦେଶୀ ଖେଳାଳୀଙ୍କୁ ନେଇପାରିବ ଦଳ ।

ନିଲାମୀ ପୂର୍ବରୁ ଟ୍ରେଡରେ ଦୁଇ ଜଣ ଖେଳାଳୀଙ୍କୁ ଦଳରେ ସାମିଲ କରିଛି ଆରସିବି । ମୁମ୍ବାଇର କ୍ୟାମେରନ ଗ୍ରୀନଙ୍କୁ ୧୭.୫୦ କୋଟି ଟଙ୍କାରେ ଟ୍ରେଡ୍ କରିଛି ଆରସିବି । ସେହିଭଳି ହସରଙ୍ଗା, ହାଜେଲଉଡ, ହର୍ଷଲ ପଟେଲଙ୍କ ଭଳି ଖେଳାଳୀଙ୍କୁ ରିଲିଜ ମଧ୍ୟ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ନିଲାମୀ ପୂର୍ବରୁ ଆରସିବି ପର୍ସରେ ୨୩.୨୫ କୋଟି ଟଙ୍କା ଥିବା ବେଳେ ଦଳରେ ୬ ଜଣ ଖେଳାଳୀଙ୍କ ପାଇଁ ସ୍ଲଟ ଫାଙ୍କା ରହିଛି । ଯେଉଁଥିରୁ ୩ ଜଣ ବିଦେଶୀ ଖେଳାଳୀଙ୍କୁ ସାମିଲ କରିପାରିବ ଦଳ । ଖାସକରି ଅଧିକ ବୋଲରଙ୍କୁ ଦଳ ରିଲିଜ କରିଥିବା ବେଳେ ନିଲାମୀରେ ବୋଲରଙ୍କ ଉପରେ ଅଧିକ ଫୋକସ କରିବ ଆରସିବି ।

ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମୁମ୍ବାଇ ଟ୍ରେଡ କରି ଦଳରେ ସାମିଲ କରିବା ପରେ ଦଳର ପର୍ସରେ ଏବେ ମାତ୍ର ୧୭.୭୫ କୋଟି ଟଙ୍କା ରହିଛି । କିନ୍ତୁ ଦଳରେ ଏବେ ବି ୮ଟି ସ୍ଲଟ ଫାଙ୍କା ରହିଛି । ୮ ସ୍ଲଟ ମଧ୍ୟରୁ ୪ଟି ସ୍ଲଟ ବିଦେଶୀ ଖେଳାଳୀଙ୍କ ପାଇଁ ରହିଛି । କେକେଆରର ପର୍ସରେ ୩୨ କୋଟି ରହିଥିବା ବେଳେ ସର୍ବାଧିକ ୧୨ଟି ସ୍ଲଟ ଫାଙ୍କା ରହିଛି । ଯେଉଁଥିରୁ ୪ଟି ସ୍ଲଟ ବିଦେଶୀ ଖେଳାଳୀଙ୍କ ପାଇଁ ରହିଛି । ବିଶ୍ୱକପ ବିଜୟୀ ଅଧିନାୟକ ପାଟ କମିନ୍ସଙ୍କୁ ଚଳିତଥର ନିଲାମୀରେ ପୁଣି କିଣିପାରେ ଦଳ । ଲକ୍ଷ୍ନୌ ପାଖରେ ୧୩.୧୫ କୋଟି ଟଙ୍କା ରହିଥିବା ବେଳେ ୬ଟି ସ୍ଲଟ ଫାଙ୍କା ରହିଛି । ଦଳ କୌଣସି ବଡ ଚେହେରାଙ୍କୁ ରିଲିଜ କରି ନଥିବାରୁ ନିଲାମୀରେ ନିର୍ଣ୍ଣାୟକ ଭୂମିକା ତୁଲାଇପାରେ ।

ନିଲାମୀକୁ ଯିବା ପୂର୍ବରୁ ପଞ୍ଜାବ କିଙ୍ଗସ ପର୍ସରେ ୨୯ କୋଟି ଥିବା ବେଳେ ଦଳରେ ମାତ୍ର ୮ଟି ସ୍ଲଟ ବାକି ରହିଛି । ନିଲାମିରେ ସର୍ବାଧିକ ୨ ଜଣ ବିଦେଶୀ ଖେଳାଳୀଙ୍କୁ ଦଳରେ ସାମିଲ କରିପାରିବ ପଞ୍ଜାବ । ତେଣୁ ବିଶ୍ୱକପରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ବଡ ଚେହେରାଙ୍କ ଉପରେ ପଞ୍ଜାବ ଫୋକସ କରିପାରେ । ରାଜସ୍ଥାନ ପାଖରେ ମାତ୍ର ୧୪.୫ କୋଟି ଥିବା ବେଳେ ଟିମରେ ସ୍ଲଟ ୮ଟି ବାକି ରହିଛି । ନିଲାମୀରେ ସର୍ବାଧିକ ୩ ଜଣ ବିଦେଶୀ ଖେଳାଳୀଙ୍କୁ ଦଳରେ ସାମିଲ କରିବାର ସୁଯୋଗ ରାଜସ୍ଥାନ ପାଖରେ ରହିଛି । ଦଳରେ ଷ୍ଟାର ଅଲରାଉଣ୍ଡରଙ୍କର ଅଭାବ ରହିଛି, ତେଣୁ ବେନ୍ ଷ୍ଟୋକ୍ସଙ୍କୁ ଦଳରେ ସାମିଲ କରିପାରେ ରାଜସ୍ଥାନ । ସନରାଇଜର୍ସ ହାଇଦ୍ରାବାଦ ପାଖରେ ୩୪ କୋଟି ଟଙ୍କା ଥିବା ବେଳେ ନିଲାମୀରେ ବଡ ଧରଣର ଓଲଟପାଲଟ କରିପାରେ ଦଳ । ଦଳରେ ଏବେ ୬ଟି ସ୍ଲଟ ବାକି ଥିବା ବେଳେ ସର୍ବାଧିକ ୩ ଜଣ ବିଦେଶୀ ଖେଳାଳୀଙ୍କୁ କିଣିପାରିବ ଦଳ । ସନରାଇଜର୍ସ ହାଇଦ୍ରାବାଦ ଯେହେତୁ ସେଭଳି କୌଣସି ବଡ ଚେହେରାଙ୍କୁ ରିଲିଜ୍ କରିନାହିଁ । ତେଣୁ ନିଲାମୀରେ ବେଶ ଫାଇଦାରେ ରହିବ ହାଇଦ୍ରାବାଦ ।