କନକ ବ୍ୟୁରୋ: ଭାରତ ପହଞ୍ଚିଲା ଭାରତୀୟଙ୍କୁ ନେଇ ଯାଉଥିବା ବେଳେ ଫ୍ରାନ୍ସରେ ଅଟକ ଥିବା ବିମାନ । ଆଜି ଭୋର ୪ଟା ବେଳେ ୨୭୬ଜଣ ଯାତ୍ରୀଙ୍କୁ ନେଇ ମୁମ୍ବାଇ ବିମାନ ବନ୍ଦରରେ ପହଞ୍ଚିଛି ଏହି ବିମାନ । ୪ଦିନ ଧରି ଫ୍ରାନ୍ସରେ ଫସିଥିବା ଏହି ବିମାନ ଶେଷରେ ମୁମ୍ବାଇରେ ଅବତରଣ କରିଛି ।
ମାନବ ଚାଲାଣ ନେଇ ସନ୍ଦେହ ପରେ ଏହି ବିମାନକୁ ଫ୍ରାନ୍ସରେ ଅଟକାଇ ଦିଆଯାଇଥିଲା । ତେବେ ବିମାନଟି ଭାରତ ଫେରିବା ପରେ ଯାତ୍ରୀ ଆଶ୍ୱସ୍ତ ହୋଇଛନ୍ତି ।

Advertisment

ସୂଚନା ଅନୁସାରେ ୩୦୩ଜଣ ଯାତ୍ରୀଙ୍କ ମଧ୍ୟରୁ ୨ନାବାଳକ ଓ ଅନ୍ୟ ୨୫ଜଣ ଯାତ୍ରୀ ଫ୍ରାନ୍ସରେ ଶରଣ ନେବାକୁ ଚାହିଁଥିଲେ । ତେବେ ସେଥିପାଇଁ ଏବେ ସେମାନେ ସେଠାରେ ଅଛନ୍ତି । ଦୁବାଇରୁ ଭାରତୀୟଙ୍କୁ ନେଇ ନିକାରାଗୁଆ ଯାଉଥିବା ବିମାନରେ ମାନବ ଚାଲାଣ ନେଇ ସନ୍ଦେହ ପରେ ଫ୍ରାନ୍ସ ରାଜଧାନୀ ପ୍ୟାରିସ ଠାରୁ ଦେଢ଼ ଶହ କିଲୋମିଟର ଦୂର ଭେଟ୍ରୋ ବିମାନ ବନ୍ଦରରେ ବିମାନକୁ ଅଟକାଇ ଦିଆଯାଇଥିଲା । ଏହାସହ ସମସ୍ତ ଯାତ୍ରୀଙ୍କୁ ପଚରାଉଚରା କରାଯାଇଥିଲା । ରୋମାନିଆ ଚାର୍ଟଡ କମ୍ପାନୀ ଲିଜେଣ୍ଡ ଏୟାରଲାଇନ୍ସର ଏହି ବିମାନ ଉଡାଣ ଭରିବା ପରେ ଇନ୍ଧନ ଭର୍ତି କରିବା ପାଇଁ ଭେଟ୍ରୋ ବିମାନ ବନ୍ଦରରେ ଅବତରଣ କରିଥିଲା ।

ପ୍ୟାରିସର ସରକାରୀ ଓକିଲଙ୍କ କହିବା କଥା ହେଲା ମାନବ ଚାଲାଣ ନେଇ ଅଜ୍ଞାତ ବ୍ୟକ୍ତିଙ୍କ ସୂଚନା ପରେ ବିମାନକୁ ଅଟକ ରଖାଯାଇ ଯାଂଚ କରାଗଲା । ଭାରତୀୟ କାଉନସିଲର ମଧ୍ୟ ଯାତ୍ରୀଙ୍କ ନିକଟରେ ପହଂଚିଥିଲେ । ଏହାରି ଭିତରେ ମାନବ ଚାଲାଣ ହେଉନଥିବା ପଚରଉଚରାରୁ ଜଣାପଡ଼ିବା ପରେ ଯାତ୍ରୀଙ୍କୁ ନେଇ ମୁମ୍ବାଇ ଫେରିଛି ବିମାନ ।