ହଳଦୀ ପତ୍ରରୁ ପ୍ରସ୍ତୁତ ହେବ ସୁବାସିତ ତେଲ : କେନ୍ଦ୍ର ସରକାରଙ୍କ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ନବରଙ୍ଗପୁର ହୋଇଛି ମଡେଲ ଜିଲ୍ଲା 

195

କନକ ବ୍ୟୁରୋ : ନବରଙ୍ଗପୁରରୁ ଏମିତି ଏକ ଖବର ଆସିଛି, ତାହା ଜାଣିଲେ ଆପଣ ଖୁସି ହୋଇଯିବେ । ହଳଦୀ ଉତ୍ପାଦନ କରି ରୋଜଗାର କରୁଥିଲେ ଚାଷୀ, ଏବେ ହଳଦୀ ପତ୍ରରୁ ସୁବାସିତ ତେଲ ବାହାର କରି ଲାଭବାନ ହୋଇପାରିବେ ଚାଷୀ । ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ଅନ୍ତର୍ଗତ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ପକ୍ଷରୁ ନବରଙ୍ଗପୁର ଜିଲ୍ଲାକୁ ମଡେଲ୍ ଜିଲ୍ଲା ଭାବେ ଗ୍ରହଣ କରାଯାଇଛି । ସେଂଟାଲ ଇନଷ୍ଟିଚ୍ୟୁଟ ଅଫ୍ ମେଡିସିନାଲ ଆଣ୍ଡ ଆରୋମାଟିକ୍ ପ୍ଲାଂଟ୍ସ ବା ସିମ୍ୟାପ୍ ପକ୍ଷରୁ ନବରଙ୍ଗପୁରରେ ଏକ ସୁଗନ୍ଧିତ ତୈଳ ଉତ୍ପାଦନ ପ୍ଲାଂଟ ବସାଯାଇଛି । କେବଳ ହଳଦୀ ନୁହେଁ ଅନ୍ୟାନ୍ୟ ପତ୍ର ଓ ଘାସରେ ମଧ୍ୟ ସୁବାସିତ ତୈଳ ଉତ୍ପାଦିତ ହୋଇପାରୁଛି ।

ଏ ହେଉଛି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ସରୁଗୁଡ଼ା ଗାଁରେ ସ୍ଥାପନ ହୋଇଥିବା ସୁଗନ୍ଧିତ ଓ ଔଷଧୀୟ ତୈଳ ପ୍ରକ୍ରିୟାକରଣ ୟୁନିଟ୍ । ଗତ ଅକ୍ଟୋବରରୁ ଏହି ୟୁନିଟ୍ କାର୍ଯ୍ୟକ୍ଷମ ହୋଇଛି । ସିମାପ୍ ପକ୍ଷରୁ ଚାଷୀଙ୍କୁ ଚାଷୀଙ୍କୁ ଗତବର୍ଷ ଚାରା ଯୋଗାଇ ଦିଆଯାଇଥିଲା । ଏବେ ଆରମ୍ଭ ହୋଇଯାଇଛି ତୈଳ ପ୍ରକ୍ରିୟାକରଣ । ଲେମନ୍ ଗ୍ରାସ୍ ବା ଲେମ୍ବୁଘାସ, ତୁଳସୀ, ହଳଦୀ, ରୋଜାଘାସ, ସିଟ୍ରିନେଲା, ନୀଳଗିରି ଓ ବେଣା ଆଦି ପତ୍ରରୁ ବାହାର କରାଯାଉଛି ତେଲ । ଏହି ୟୁନିଟକୁ ଚାଷୀମାନେ ପରିଚାଲନା କରିବେ ।

ତୈଳ ପ୍ରକ୍ରିିୟାକରଣ ୟୁନିଟରେ ଥିବା ଟ୍ୟାଙ୍କ୍ରେ ଉତ୍ପାଦିତ ଘାସ ଓ ପତ୍ରକୁ ଭର୍ତି କରାଯିବା ପରେ ଷ୍ଟିମ୍ ଜ୍ୟାକେଟ୍ରେ ବାମ୍ଫ ଦିଆଯାଏ । ଟ୍ୟାଙ୍କ୍ରେ ଥିବା ପତ୍ର ସିଝି ଯିବା ପରେ ସେଥିରୁ ତେଲ ବାହାରିଥାଏ । ୧ କ୍ୟୁଂଟାଲ ଘାସ ଓ ପତ୍ରରୁ ପ୍ରାୟ ୧ ଲିଟର ତେଲ ବାହାରିଥାଏ । ଏଥିପାଇଁ ପ୍ରାୟ ୩ରୁ ୪ ଘଂଟା ସମୟ ଲାଗିଥାଏ ।

ଏଠାରେ ଉତ୍ପାଦିତ ତେଲକୁ କଂଚାମାଲ ଭାବେ ବ୍ୟବହାର କରି ସାବୁନ୍, ସେଂଟ, ଧୂପକାଠି, ମଶାଧୂପ, ସାମ୍ପୁ, ଫିନାଇଲ୍, ଘର ବିଶୋଧନ ଆଦି ମୂଲ୍ୟଯୁକ୍ତ ଦ୍ରବ୍ୟ ପ୍ରସ୍ତୁତ କରାଯିବ । ଏହି ଦ୍ରବ୍ୟକୁ ନବରଙ୍ଗପୁର ବ୍ରାଣ୍ଡ୍ରେ ବିକ୍ରି କରାଯିବାକୁ ଯୋଜନା ରହିଛି । ବର୍ତମାନ ବଜାରରେ ଏହି ପ୍ରାକୃତିକ ତେଲର ଦାମ ଲିଟର ପିଛା ୯ଶହରୁ ୧୨ଶହ ଟଙ୍କା ପର୍ଯ୍ୟନ୍ତ ରହିଛି । ଫଳରେ ଅଧିକ ଲାଭବାନ ହୋଇପାରିବେ ଚାଷୀ । ଚାଷୀମାନେ ନିଜ ଖର୍ଚ୍ଚରେ ତେଲ ଉତ୍ପାଦନ କରିବେ । ଆଉ ଚାଷୀଙ୍କ ଠାରୁ ତେଲ କିଣି ମୂଲ୍ୟଯୁକ୍ତ ଦ୍ରବ୍ୟ ପ୍ରସ୍ତୁତ କରାଯିବ । ଲେମନ ଗ୍ରାସ ବା ଲେମ୍ବୁ ଘାସରୁ ବାହାରୁଥିବା ତେଲର ଚାହିଦା ଥିବାରୁ ଚାଷୀମାନେ ଏହି ଚାଷ କରିବାକୁ ଆଗ୍ରହ ଦେଖାଉଛନ୍ତି ।

ପୂର୍ବରୁ ହଲଦୀ ଉତ୍ପାଦନ କରୁଥିବା ବେଳେ ଏହାର ପତ୍ରକୁ ଫିଙ୍ଗି ଦେଉଥିଲେ ଚାଷୀ । ଏବେ କିନ୍ତୁ ହଲଦୀ ପତ୍ରରୁ ତେଲ ବାହାର କରି ଭଲ ଦି’ପଇସା ରୋଜଗାର କରିବାକୁ ସମର୍ଥ ହେବେ ନବରଙ୍ଗପୁରର ଚାଷୀ ।

ପାରମ୍ପରିକ ଚାଷରେ ଅଧିକ ଲାଭ ପାଉନଥିଲେ ଚାଷୀ । ତେବେ ଏହି ଯୋଜନା ସଫଳ ହେଲେ ଚାଷୀ ଅଧିକ ଲାଭବାନ ହେବେ । ଆଉ ଯୁବବର୍ଗ ମଧ୍ୟ ଏପରି ଚାଷ ପାଇଁ ମନ ବଳାଇବେ ।