୨୯ରେ ୧୯ ମହାଯୁଦ୍ଧର ମହାଲଢ଼େଇ । ହାତରେ ଆଉ ଦିନଟିଏ, ଶେଷ ଲଢ଼େଇ ପାଇଁ ସିପାହୀ ଓ ଶୀର୍ଷ ନେତାଙ୍କ ପ୍ରାଣମୂର୍ଚ୍ଛା ପ୍ରଚାର ।

ବ୍ୟାଟେଲ୍ ଗ୍ରାଉଣ୍ଡରେ ବିଜୟୀ ପାଇଁ ଦିନ ରାତି ଏକ କରି ଝାଳ ବୁହାଉଛନ୍ତି ପରୀକ୍ଷାର୍ଥୀ ।

128

କନକ ବ୍ୟୁରୋ: ୧୯ ଯୁଦ୍ଧର ଅନ୍ତିମ ଲଢ଼େଇ ପ୍ରସ୍ତତି ପାଇଁ ହାତରେ ଆଉ ଗୋଟିଏ ଦିନ । ବ୍ୟାଟେଲ୍ ଗ୍ରାଉଣ୍ଡରେ ଦିନ ରାତି ଏକ କରି ଝାଳ ବୁହାଉଛନ୍ତି ପରୀକ୍ଷାର୍ଥୀ । ଆଉ ଆସନ୍ତା ୨୯ ତାରିଖରେ ୬ଟି ସଂସଦୀୟ କେନ୍ଦ୍ର ସହ ୪୨ଟି ବିଧାନସଭା କୁରୁକ୍ଷେତ୍ରକୁ ଓହ୍ଲାଇ ଭାଗ୍ୟ ପରୀକ୍ଷା କରିବେ ପ୍ରମୁଖ ଦଳର ପ୍ରାର୍ଥୀ । ଏପରିକି ମେ’ ୨୩ରେ ବାହାରିବାକୁଥିବା ଫଳାଫଳରେ କିଭଳି ନିଜ ଦଳ ମୁଖିଆଙ୍କୁ ଖୁସି କରି ଦଳରେ ନିଜ ଦବଦବା ଜାହିର କରିବେ ସେନେଇ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି ।

ଅନ୍ୟପଟେ ଏହି ୧୯ ବ୍ୟାଟେଲ୍ ଗ୍ରାଉଣ୍ଡରେ ବିଜୟୀ ହେବାକୁ କେବଳ ପ୍ରାର୍ଥୀ ନୁହେଁ ବରଂ ଦଳର ଶୀର୍ଷ ନେତାମାନେ ଗୋଟିଚାଳନା କରୁଥିବା ଦେଖିବାକୁ ମିଳୁଛି । କେତେବେଳେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପ୍ରଚାର ତ କେତେବେଳେ ଦିଲ୍ଲୀ ଦରବାରରୁ ବିଜେପିର ଶୀର୍ଷ ନେତାମାନେ ଓଡ଼ିଶା ଦଖଲ କରିବାକୁ ମାରାଥନ୍ ପ୍ରଚାର କରୁଛନ୍ତି । ତେବେ ଏହି ମହାଯୁଦ୍ଧରେ କିଏ କାହା ଉପରେ ଭାରି ପଡ଼ିବ ତାହା ଆକଳନ କରିବା ସାଧାରଣ ଲୋକଙ୍କ ମଧ୍ୟରେ କାଠିକର ପାଠ ।

୧୯ କୁରୁକ୍ଷେତ୍ରରେ ନିଜ ନିଜର ସିପାହୀକୁ ବାଛି ଶେଷ ପର୍ଯ୍ୟାୟରେ କିଭଳି ବିଜୟ ତିଳକ ପିନ୍ଧିବେ ସେନେଇ ଦିନରାତି ଏକ କରିଛନ୍ତି ଦଳର ମୁଖିଆ । ହେଲେ ହାତରେ ଆଉ ଗୋଟିଏ ଦିନ ବାକିଥିବାବେଳେ ବିଭିନ୍ନ ରଣକୌଶଳ ଆପଣାଇ ଜନତା ଜନାର୍ଦ୍ଧନଙ୍କ ଭରସା ଜିତିବାକୁ ପ୍ରୟାସ କରୁଛନ୍ତି ପ୍ରମୁଖ ଦଳର ସିପାହୀ । ଗତ ତିନୋଟି ପରୀକ୍ଷା ଦେଇଥିବା ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍ ବକ୍ସରେ ସିଲ୍ ହୋଇଥିବାବେଳେ ଶେଷ ଲଢ଼େଇକୁ ବେଶ୍ ଗୁରୁତ୍ୱ ଦେଇ ପ୍ରଚାର ମାଧ୍ୟମରେ ଜନ ସମର୍ଥନ ସାଉଣ୍ଟିବାକୁ ଶେଷ ବାଜି ଖେଳୁଛନ୍ତି ପ୍ରାର୍ଥୀ ।

ସବୁଠାରୁ ବଡ଼ କଥା ହେଲା କି’ ବିଗତ ଦୁଇ ଦଶନ୍ଧି ଧରି ରାଜ୍ୟରେ ଶାସନ ଭାର ସମ୍ଭାଳିଥିବା ଶାସକ ବିଜେଡିକୁ ଏଥର ମାତ୍ ଦେବାକୁ ଦିଲ୍ଲୀ ଦରବାରର ଶୀର୍ଷ ନେତାମାନେ ଓଡ଼ିଶାକୁ ମାରଥନ୍ ଗସ୍ତ କରୁଛନ୍ତି । ଆଉ ୨୦୧୪ରୁ ଦେଶର ବିଭିନ୍ନ ରାଜ୍ୟରେ ‘ପଦ୍ମ’ ଫୁଟାଇବାକୁ ସକ୍ଷମ ହୋଇଥିବା ବଜେପି ଓଡ଼ିଶାକୁ ମଧ୍ୟ ଏଥର ଫୋକସ କରିଛି । ସେହିପରି ୨୦୧୪ରୁ ଦେଶରେ ଧିରେ ଧିରେ ଦୁର୍ବଳ ହୋଇପଡ଼ିଥିବା ‘ହାତ’ ନିକଟରେ ‘ପଦ୍ମ’କୁ ପଛାଡ଼ି ବିଜେପିର କିଛି ଗଡ଼କୁ ଅକ୍ତିଆର କରିଛି । ଆଉ ଏହି ଜୋଶକୁ ପାଥେୟ କରି କଂଗ୍ରେସ ମଧ୍ୟ ଓଡ଼ିଶାରେ କମାଲ କରିବାକୁ ଲକ୍ଷ୍ୟ ରଖିଛି ।