୨୯ରେ ୧୯ ମହାଯୁଦ୍ଧର ଅନ୍ତିମ ଫାଇଟ୍ । ରଣାଙ୍ଗନ କ୍ଷେତ୍ରରେ କମାଲ କରିବାକୁ ସିପାହୀଙ୍କ ସଂଘର୍ଷ, ସମରସଜ୍ଜା କରୁଛନ୍ତି ଶୀର୍ଷ ନେତା ।

90

କନକ ବ୍ୟୁରୋ: ରାଜନୀତିର ମହାଯୁଦ୍ଧ ୨୦୧୯ ସାଧାରଣ ନିର୍ବାଚନର ଶେଷ ପର୍ଯ୍ୟାୟ ଯେତେ ନିକଟତର ହେଉଛି ନେତାଙ୍କ ଛାତିରେ ସେତେ ଛନକା ଭରୁଛି । ଆସନ୍ତା ୨୯ ତାରିଖରେ ରାଜ୍ୟରେ ହେବ ଚତୁର୍ଥ ବା ଶେଷ ଲଢ଼େଇ । ଆଉ କିଏ ବାଜି ମାରିବ ତାହାକୁ ନେଇ ଚାଲିଛି କଳ୍ପନା ଜଳ୍ପନା । ତେବେ ଆସନ୍ତା ୨୯ ତାରିଖର ୬ଟି ଲୋକସଭା ଓ ୪୨ଟି ବିଧାନସଭା ବ୍ୟାଟେଲ୍ ଗ୍ରାଉଣ୍ଡକୁ ପ୍ରମୁଖ ଦଳର ପ୍ରାର୍ଥୀମାନେ ଓହ୍ଲାଇଛନ୍ତି । ଆଉ ପ୍ରଚାର କାର୍ଯ୍ୟକୁ ମଧ୍ୟ ଘମାସାନ କରୁଛନ୍ତି ପ୍ରାର୍ଥୀ ।

ସେପଟେ ଅନ୍ତିମ ଲଢ଼େଇ ପାଇଁ ୬ଟି ଲୋକସଭା କ୍ଷେତ୍ରରୁ ୪୯ ଜଣ ସାଂସଦ ପ୍ରାର୍ଥୀ ବ୍ୟଟେଲ୍ ଗ୍ରାଉଣ୍ଡକୁ ଓହ୍ଲାଇଥିବାବେଳେ ୪୨ଟି ବିଧାନସଭା ଆସନକୁ ଦଖଲ କରିବା ପାଇଁ ୪୦୯ ଜଣ ପ୍ରାର୍ଥୀ ପ୍ରସ୍ତୁତି ଚଳାଇଛନ୍ତି । ଅନ୍ତିମ ପର୍ଯ୍ୟାୟରେ ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଏବଂ ଏହା ଅଧିନସ୍ଥ ଥିବା ୪୨ଟି ଆସନରେ କଡ଼ା ମୁକାବିଲା କରିବାକୁ ପ୍ରମୁଖ ଦଳର ଶୀର୍ଷ ନେତାମାନେ ରଣାଙ୍ଗନ କ୍ଷେତ୍ରରେ ରଣ ହୁଙ୍କାର ଦେଉଛନ୍ତି । ନିଜ ଦଳୀୟ ପ୍ରାର୍ଥୀଙ୍କ ପାଇଁ ସମରସଜ୍ଜା କରି ଶେଷ ବାଜିରେ ବାଜିମାତ୍ କରିବାକୁ ଗୋଟିଚାଳନା କରୁଛନ୍ତି ।

ଅନ୍ୟପଟେ ଏହି ଶେଷ ଲଢ଼େଇ ପାଇଁ ଆସନ୍ତା ୨୭ ତାରିଖ ସଂନ୍ଧ୍ୟା ପର୍ଯ୍ୟନ୍ତ ୪୫୮ ପ୍ରାର୍ଥୀମାନଙ୍କ ପାଇଁ ଶେଷ ସୁଯୋଗ ରହିଛି । ତେଣୁ ଦିନ ରାତି ଏକ କରି ଜନତା ଜନାର୍ଦ୍ଦନଙ୍କ ନିକଟତର ହେବାକୁ ଆପ୍ରାଣ ଉଦ୍ୟମ ଚଳାଇଛନ୍ତି ପ୍ରାର୍ଥୀ । ହେଲେ ସବୁଠାରୁ ବଡ଼ କଥା ହେଲା ଯେ, ଠିକ୍ ମାସକ ପରେ ଅର୍ଥାତ୍ ଆସନ୍ତା ୨୩ ତାରିଖରେ ରାଜ୍ୟର ୨୧ ସଂସଦୀୟ କ୍ଷେତ୍ର ସହ ୧୪୭ ବିଧାନସଭା ଆସନର ପରୀକ୍ଷା ଫଳ ପ୍ରକାଶ ପାଇବ । ଆଉ ଏହା କାହା ଶିବିରରେ ହସ ଫୁଟାଇବ ଆଉ କାହା ଶିବିରକୁ ଝଟକା ଦେବ ତାକୁ ଅପେକ୍ଷା ।