ସରିଲା ପ୍ରଚାର ରଜନୀ । ଆଉ ଗାଁ ଛକରେ ବସିବେନି ରାଜନୀତି ପଣ୍ଡିତ, ହେବନି ଗୋଟି ଚାଳନା, କି ମିଳିବନି ପ୍ରତିଶ୍ରୁତିର ପୁଳା ପୁଳା ପୁଡ଼ିଆ ।

ଏସବୁ ଭିତରେ ନା ଆଉ ଗାଁକୁ ଆସିବ ପ୍ରଚାର ଗାଡି ନା ପ୍ରାର୍ଥୀଙ୍କ ପାଇଁ ଶୁଭିବ ଜିନ୍ଦାବାଦର ନାରା ।

182

କନକ ବ୍ୟୁରୋ : ଆଉ ରଙ୍ଗୀନ୍ ହେବନି ଗାଁ ଗହଳିରେ ଥିବା କାନ୍ଥ କି ରାସ୍ତା ଘାଟରେ ଶୁଭିବନି ମା’ ମାଉସୀ ଡ଼ାକ । କାରଣ ୧୯ ଯୁଦ୍ଧ ପାଇଁ ଶେଷ ପ୍ରଚାର କରି ନିଜ ନିଜ ଶିବିରକୁ ଫେରିଛନ୍ତି ଶୀର୍ଷ ନେତା । ଗତ ଏକମାସ ଧରି ରାଜ୍ୟରେ ଗଣତନ୍ତ୍ରର ମହାପର୍ବକୁ ନେଇ ସହରଠୁ ଆରମ୍ଭ କରି ଗାଁ ଗଳିକନ୍ଦି ପର୍ଯ୍ୟନ୍ତ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା । ଏବେ ପ୍ରଚାର ସରିଲା, କେବଳ ଫଳାଫଳକୁ ଅପେକ୍ଷା ।

ଗଣତନ୍ତ୍ରର ମହାର୍ପବକୁ ବେଶ୍ ଧୁମଧାମରେ ଦୀର୍ଘ ଏକ ମାସ ଧରି ପାଳନ କରିଥିଲେ ପ୍ରମୁଖ ଦଳର ପ୍ରାର୍ଥୀ ଓ ଶୀର୍ଷ ନେତା । ଏପରିକି ଗାଁ ଠାରୁ ସହର ପର୍ଯ୍ୟନ୍ତ ଯେଉଁ ଘମାଘୋଟ୍ ପ୍ରଚାର ଚାଲିଥିଲା ସେଥିରେ ଏକ ପ୍ରକାର ବିରାମ ପଡ଼ିଛି । ଏସବୁ ଭିତରେ ନା ଆଉ ଗାଁକୁ ଆସିବ ପ୍ରଚାର ଗାଡି ନା ପ୍ରାର୍ଥୀଙ୍କ ପାଇଁ ଶୁଭିବ ଜିନ୍ଦାବାଦର ନାରା । ଏପରିକି ନେତାଙ୍କ ଠାରୁ ମିଳିବ ଆଉ ମିଳିବନି ପ୍ରତିଶୃତିର ପୁଳା ପୁଳା ପୁଡିଆ । ଛକରେ ବି ଶୁଣିବାକୁ ମିଳିବନି ରାଜନୀତିର ଗସିପ୍ । କାରଣ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ଲଢ଼େଇ ପାଇଁ ଚାଲିଥିବା ପ୍ରଚାରରେ ପଡ଼ିଛି ପୂର୍ଣ୍ଣଛେଦ ।

ଶେଷ ହୋଇଛି ଗଣତନ୍ତ୍ର ମହାପର୍ବର ଗୋଟିଏ ଅଧ୍ୟାୟ । ଗତ ଏକମାସ ଧରି ରାଜ୍ୟରେ ଗଣତନ୍ତ୍ରର ମହାପର୍ବକୁ ନେଇ ସହରଠୁ ଆରମ୍ଭ କରି ଗାଁ ଗଳିକନ୍ଦି ପର୍ଯ୍ୟନ୍ତ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା । ନିର୍ବାଚନ ଯୁଦ୍ଧ ଜିତିବା ପାଇଁ ରଣକ୍ଷେତ୍ରକୁ ଓହ୍ଲାଇଥିଲେ ବିଭିନ୍ନ ଶିବିରର ଯୋଦ୍ଧା । ୧୯ ମହାଯୁଦ୍ଧରେ ବାଜିମାତ କରିବା ପାଇଁ ସାରା ରାଜ୍ୟରେ ନିର୍ବାଚନୀ ଯୁଦ୍ଧ ଡ଼ାକାରା ଦେଇଥିଲେ ପ୍ରମୁଖ ଦଳର ଶୀର୍ଷ ନେତା । କିଏ ନିର୍ବାଚନ ଯୁଦ୍ଧ ଜିତିବା ପାଇଁ ନୂଆ ନୂଆ ରଣନୀତି ପ୍ରସ୍ତୁତ କରୁଥିଲା ତ ଆଉ କିଏ ଘରଘର ବୁଲି ପଖାଳ ଭଜା ଖାଇ ସୁଃଖ ଦୁଃର ଦ୍ୱାହି ଦେଇ ଭୋଟ୍ ପାଇଁ ଗୋଟି ଚାଳନା କରୁଥିଲେ । ହେଲେ ଅଦିନିଆ ବର୍ଷା ପରି ଯେଉଁ ରାଜନୀତି ଛିଟା ଛକ ଛକକୁ ଭିଜାଉଥିଲା ତାହା ଆଉ ଦେଖିବାକୁ ମିଳିବନି ।

ଏହି ନିର୍ବାଚନ ଯୁଦ୍ଧରେ ବିଜୟ ସ୍ୱାଦକୁ ଚାଖିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରିଥିଲେ ପ୍ରମୁଖ ଦଳର ସିପାହୀ । ଆଉ ତାଙ୍କ ସଫଳତାର ଚାବିକାଠି ଜନତା ଜନାର୍ଦ୍ଦନଙ୍କ ହାତରେ ଥିବାବେଳେ କିଭଳି ଜନତାଙ୍କୁ ସନ୍ତୁଷ୍ଟ କରିବେ ସେନେଇ ପ୍ରସ୍ତୁତ କରିଥିଲେ ମାଷ୍ଟର ପ୍ଲାନ୍ । ସେପଟେ ପ୍ରତିପକ୍ଷକୁ ପରାଜୟର ଦ୍ୱାରଦେଶ ଦେଖାଇବା ପାଇଁ ସାଧାରଣ ଲୋକଙ୍କ ନିକଟତର ହେବାକୁ ଗୋଟି ଚାଳନା କରିଥିଲେ ପ୍ରମୁଖ ଦଳ । ତେଣୁ ଯୋଦ୍ଧା ରୂପି ନେତାଙ୍କ ଫୋକସରେ ରହିଥିଲେ ସାଧାରଣ ଜନତା ବା ଭୋଟର । ନିର୍ବାଚନ ତାରିଖ ଘୋଷଣା ଓ ପରେ ପରେ ପ୍ରାର୍ଥୀ ତାଲିକା ଆସିବା ପରଠାରୁ ଗାଁ ଗହଳିରେ ନିଜ ନିଜ ସମର୍ଥକଙ୍କ ସହ ଭୋଟ୍ ଭିକ୍ଷା କରିଥିଲେ ବିଭିନ୍ନ ଦଳର ସିପାହୀ ।

ସବୁଠାରୁ ବଡ଼ କଥା ହେଲା ଯେ, ଝଡ଼ ପୂର୍ବରୁ ଯେଉଁ ଭଳି ଚାରିଆଡ଼ ଶୁନଶାନ୍ ହୋଇଯାଏ ଠିକ୍ ସେହିଭଳି ଏବେ ଗାଁ ଗହଳିରେ ନେତା ଓ କର୍ମୀଙ୍କ କୋଳାହାଳ ଆଉ ଶୁଭିବନି । କାରଣ ମେ’ ୨୩ରେ ହେବାକୁଥିବା ରାଜନୈତିକ ଝଡ଼ କେଉଁ ରୂପ ଧାରଣ କରିବ ତାହାକୁ ଅପେକ୍ଷା । ତେବେ ରାଜନୀତି ସମୀକ୍ଷକଙ୍କ କହିବା ମୁତାବକ, ଏହି ମେ’ ୨୩ର ଫଳାଫଳ ଝଡ଼ କାହା ଶିବିରକୁ ହତାସାର ପବନରେ ଭାଙ୍ଗିବ ଆଉ କାହା ଶିବିରକୁ ହସ ଉଲ୍ଲାସର ଭରିଦେବ ତାହାକୁ ହିଁ ସମସ୍ତଙ୍କ ଅପେକ୍ଷା ।

Comments are closed.