ବାହାଘର ହେଲା କାଳ: ୟୁପିରେ ବରଯାତ୍ରୀ ଗାଡ଼ି ଦୁର୍ଘଟଣାଗସ୍ତ; ଟ୍ରକକୁ ପଛପଟୁ ଧକ୍କା ଦେଲା ବୋଲେରୋ, ୬ ଶିଶୁଙ୍କ ସମେତ ୧୪ ଜଣଙ୍କ ମୃତ୍ୟୁ

ଗଭୀର ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

233

କନକ ବ୍ୟୁରୋ: ବରଯାତ୍ରୀରୁ ଶେଷ ଯାତ୍ରା । ଟ୍ରକକୁ ପଛରୁ ପିଟିଲା ବରଯାତ୍ରୀ ଭର୍ତି ବୋଲେରୋ । ଦୁର୍ଘଟଣାରେ ଚାଲିଗଲା ୧୪ଜଣଙ୍କ ଜୀବନ । ଉତର ପ୍ରଦେଶ ପ୍ରତାପଗଡ ମାନିକପୁର ଥାନା ଦେଶରାଜ ଅଂଚଳରେ ଏହି ଦୁର୍ଘଟଣା ଘଟିଛି । ସମସ୍ତ ମୃତକ ବରଯାତ୍ରୀ ଭାବେ ଯୋଗ ଦେଇ ନିଜ ଗାଁକୁ ଫେରୁଥିବାବେଳେ ଏହି ଦୁର୍ଘଟଣା ଘଟିଛି । ମୃତକଙ୍କ ମଧ୍ୟରେ ୬ଜଣ ନାବାଳକ ରହିଛନ୍ତି । ଘଟଣାସ୍ଥଳରେ ପୋଲିସ ପହଁଚି ଦୁର୍ଘଟଣାଗ୍ରସ୍ତ ଗାଡିକୁ ଗ୍ୟାସ କଟରରେ କାଟି ମୃତକମାନଙ୍କୁ ବାହାର କରିଛି । ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।

ଗୁରୁବାର ବିଳମ୍ବିତ ରାତ୍ରୀରେ ଉତ୍ତର ପ୍ରଦେଶର ପ୍ରତାପଗଡ଼ରେ ସଡ଼କ ଦୁର୍ଘଟଣା ଯୋଗୁଁ ଛଅଜଣ ପିଲାଙ୍କ ସମେତ ୧୪ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ସେମାନେ ଯାତ୍ରା କରୁଥିବା ‘ଏସ୍‌ୟୁଭି’ଟି ଏକ ଟ୍ରକ୍‌ ସହ ଧକ୍କା ଖାଇବାରୁ ଦୁର୍ଘଟଣା ଘଟିଥିବା ପ୍ରକାଶ। ‘ଏସ୍‌ୟୁଭି’ରେ ଥିବା ସମସ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିବା ସହ ଅନ୍ୟ କେତେ ଜଣ ଆହତ ହୋଇଛନ୍ତି। ଏକ ବିବାହ ଉତ୍ସବରେ ଯୋଗ ଦେଇ ସେମାନେ ନିଜ ଗ୍ରାମ ଗୋଣ୍ଡାକୁ ଫେରୁଥିଲେ। ମୃତବ୍ୟକ୍ତିମାନଙ୍କ ପରିବାରବର୍ଗଙ୍କୁ ସବୁ ପ୍ରକାର ସହାୟତା ଯୋଗାଇ ଦିଆଯାଇଛି ବୋଲି ପୁଲିସ କହିଛି।

ପ୍ରୟାଗରାଜ-ଲକ୍ଷ୍ନୌ ରାଜପଥର ଯେଉଁ ସ୍ଥାନରେ ଦୁର୍ଘଟଣା ଘଟିଛି ତାହା ମାଣିକପୁର ଥାନା ଅଧୀନରେ ଆସୁଛି। ରାତି ପ୍ରାୟ ୧୧. ୪୫ ମିନିଟ୍‌ରେ ଦେଶରାଜ ଇନ୍‌ରା ଗାଁ ନିକଟରେ ମହିନ୍ଦ୍ରା କାର୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ନଷ୍ଟ ହୋଇଯାଇଥିବା କାର୍‌ଟିକୁ ଟ୍ରକ୍‌ ପଛପଟୁ ବାହାର କରାଯାଇଥିବା ଫଟୋରୁ ଜଣାପଡୁଛି। ପ୍ରତାପଗଡ଼ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ଅନୁରାଗ ଆର୍ଯ୍ୟ କହିଛନ୍ତି ଯେ, ମୃତ ବ୍ୟକ୍ତିମାନଙ୍କ ମଧ୍ୟରେ ଥିବା ପିଲାମାନେ ହେଉଛନ୍ତି ୭ ରୁ ୧୫ ବର୍ଷ ବୟସ ମଧ୍ୟରେ। ଏହି ସଡ଼କ ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୋକ ପ୍ରକାଶ କରିବା ସହ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ସମ୍ଭାବ୍ୟ ସାହାଯ୍ୟ ଯୋଗାଇ ଦେବାକୁ ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି ବୋଲି ତାଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ।

Comments are closed.