ମରୁଭୂମିର ବାଲି ତଳୁ ମିଳିଲା ୪୫୦୦ ବର୍ଷ ତଳର ସୂର୍ଯ୍ୟ ମନ୍ଦିର । ଜାଣନ୍ତୁ କେଉଁଠୁ ମିଳିଲା ଏହି ମନ୍ଦିର? 

164

କନକ ବ୍ୟୁରୋ : ଇଜିପ୍ଟର ଦକ୍ଷିଣରେ ଥିବା ସହର ଆବୁ ଗୋରାବର ମରୁଭୂମି ତଳୁ ମିଳିଲା ପ୍ରାଚୀନ ମନ୍ଦିର । ଯାହା ପ୍ରତ୍ନତତ୍ତ୍ୱବିତଙ୍କୁ ଆଶ୍ଚର୍ଯ୍ୟ କରିଛି । ମରୁଭୂମିର ବାଲି ତଳୁ ଏହି ସୂର୍ଯ୍ୟ ମନ୍ଦିର ମିଳିଛି । ଯାହା ୪୫୦୦ ବର୍ଷ ତଳର ବୋଲି କୁହାଯାଉଛି । ଦୀର୍ଘ ୪୫୦୦ ବର୍ଷ ହେବ ମରୁଭୂମିର ବାଲି ତଳେ ପୋତି ହୋଇ ରହିଥିଲା ଏହି ମନ୍ଦିର । ଏହାକୁ ରାଜା ଫାରୋସ ନିର୍ମାଣ କରିଥିଲେ ।

ଇଜିପ୍ଟରେ ଏହି ମନ୍ଦିର ସାମ୍ନାକୁ ଆସିବା ପରେ ପ୍ରତ୍ନତତ୍ତ୍ୱବିତ୍ କହିଛନ୍ତି, ଏଭଳି ପ୍ରାଚୀନ ମନ୍ଦିର ଖୋଜିବାକୁ ଦୀର୍ଘ ସମୟ ଲାଗିଥାଏ । କିନ୍ତୁ ଯେତେବେଳେ ଏହିଭଳି କିଛି ମିଳିଥାଏ ସେତେବେଳେ ଏହାର ସଭ୍ୟତା, ସଂସ୍କୃତି ଓ ସେ ସମୟର ନିର୍ମାଣଶୈଳୀ ବାବଦରେ ଅନେକ କିଛି ତଥ୍ୟ ମିଳିଥାଏ ।ଆଉ ଏହି ସଭ୍ୟତାରୁ ଅନେକ କିଛି ଶିଖିବାକୁ ମିଳିଥାଏ । ଏହାକୁ ମିଶରର ରାଜା ଫେରୋହ ନିର୍ମାଣ କରିଥିଲେ । ତାଙ୍କର ଉଦ୍ଦେଶ୍ୟ ଥିଲା କିଭଳି ତାଙ୍କୁ ଲୋକେ ମନେରଖନ୍ତୁ ଓ ଭଗବାନ ଭଳି ପୂଜା କରନ୍ତୁ । କାରଣ ମନ୍ଦିର ସହ ଏଠାରେ ପିରାମିଡ ନିର୍ମାଣ କରାଯାଇଥିଲା । ଯେଉଁଠାରେ ଫେରୋହଙ୍କୁ ମୃତ୍ୟୁ ପରେ କବର ଦିଆଯାଇଥିଲା ।

ଏହାପୂର୍ବରୁ ଇଜିପ୍ଟର ପୂର୍ବ ଅଞ୍ଚଳରେ ଏକ ପ୍ରାଚୀନ ସୂର୍ଯ୍ୟ ମନ୍ଦିର ମିଳିଥିଲା । ଆଉ ଏହିଠାରୁ ଜଣାପଡିଥିଲା ଯେ, ଦେଶରେ ଆହୁରି ଏଭଳି ସୂର୍ଯ୍ୟ ମନ୍ଦିର ରହିଛି । ଆଉ ସେବେଠାରୁ ଏହି ମନ୍ଦିର ଖୋଜିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଦେଶରେ ଏଭଳି ୬ଟି ସୂର୍ଯ୍ୟମନ୍ଦିର ମାଟି ତଳେ ରହିଥିବା ଜାଣିବାକୁ ମିଳିଥିଲା । ଆଉ ଏବେ ଅଭୁ ଗୋରାବର ମରୁଭୂମି ଅଞ୍ଚଳରୁ ଗୋଟିଏ ସୂର୍ଯ୍ୟ ମନ୍ଦିର ଠାବ କରାଯାଇଛି । ଏହି ମନ୍ଦିରକୁ ମାଟିରେ ତିଆରି ହୋଇଥିବା ଇଟାରେ ନିର୍ମାଣ କରାଯାଇଥିଲା । ଏହି ମନ୍ଦିରରୁ ଧଳା ଚୂନ ପଥରର ଦୁଇ ଫୁଟ ମୋଟେଇର ଖମ୍ବ ମିଳିଛି । ଯାହା ଦର୍ଶାଉଛି ସୂର୍ଯ୍ୟ ମନ୍ଦିରର ନିମ୍ନ ପାଶ୍ୱର୍ କେତେ ଶକ୍ତ ଥିଲା । ଏହାସହ ମନ୍ଦିରରେ କିଛି ମାଟି ଭର୍ତ୍ତି ପାତ୍ର ମିଳିଛି, ଯାହା ୪୫୦୦ ବର୍ଷ ତଳ କଳା ଭାସ୍କର୍ଯ୍ୟର ନମୁନା ।

ତେବେ ଇଜିପ୍ଟରେ ଏଭଳି ସୂର୍ଯ୍ୟ ମନ୍ଦିର ନିର୍ମାଣ ପଛରେ କଣ କାରଣ ରହିଛି ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । କିନ୍ତୁ ଅନେକ ରାଜାଙ୍କ ଦ୍ୱାରା ଏଠାରେ ସୂର୍ଯ୍ୟ ମନ୍ଦିର ନିର୍ମାଣ ହେବାର ଇତିହାସ ରହିଛି । ସାଧାରଣତଃ ଇଜିପ୍ଟରେ ସୂର୍ଯ୍ୟଙ୍କୁ ରା ନାମରେ ଡକାଯାଇଥାଏ ।