ଚତୁର୍ଥ ସ୍ଥାନ ପାଇଁ ୪ଟି ଟିମ୍ । ଦିଲ୍ଲୀ, ଚେନ୍ନାଇ, ବାଙ୍ଗାଲୋର ପରେ କିଏ ପାଇବ ପ୍ଲେ-ଅଫ୍ ଟିକେଟ୍ ।

183

କନକ ବ୍ୟୁରୋ : ଆଇପିଏଲ୍ ୨୦୨୧ରେ ବର୍ତ୍ତମାନ ସୁଦ୍ଧା ୪୯ଟି ଲିଗ୍ ମୁକାବିଲା ଖେଳାଯାଇସାରିଲାଣି । ଆଉ ୭ଟି ମ୍ୟାଚ୍ ଖେଳାଯିବାକୁ ବାକି ଅଛି । ଆଉ ଏହାରି ଭିତରେ ୩ଟି ଟିମ୍ ପ୍ଲେ-ଅଫରେ ନିଜ ସ୍ଥାନ ପକ୍କା କରିସାରିଛନ୍ତି । ଏହି ୩ଟି ଟିମ୍ ହେଉଛି, ଚେନ୍ନାଇ ସୁପରକିଙ୍ଗସ, ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଏପରିକି ଏହି ୩ଟି ଟିମ୍ ଟପ୍-୩ରେ ମଧ୍ୟ ରହିବା ଏକପ୍ରକାର ନିଶ୍ଚିତ ହୋଇସାରିଛି । ତେବେ ସମସ୍ତଙ୍କ ନଜର ରହିଛି ଚତୁର୍ଥ ଦଳ ଭାବେ କେଉଁ ଟିମ ପ୍ଲେ-ଅଫରେ ସ୍ଥାନ ପାଇବ ।

ଚତୁର୍ଥ ସ୍ଥାନ ପାଇଁ ଏବେ ରେସରେ ରହିଛନ୍ତି ୪ଟି ଟିମ୍ । କୋଲକାତା ନାଇଟ୍ ରାଇଡର୍ସ, ମୁମ୍ବାଇ ଇଣ୍ଡିଆନ୍ସ, ରାଜସ୍ଥାନ ରୟାଲ୍ସ ଏବଂ ପଞ୍ଜାବ କିଙ୍ଗସ ।

କୋଲକାତା : ଇୟନ ମୋର୍ଗାନଙ୍କ ନେତୃତ୍ୱାଧୀନ କୋଲକାତା ନାଇଟ୍ ରାଇଡର୍ସ ମୋଟ୍ ୧୩ଟି ମ୍ୟାଚ୍ ଖେଳିଥିବା ବେଳେ ୧୨ ଅଙ୍କ ସହ ଏବେ ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନରେ ରହିଛି । ତେବେ ନେଟ୍ ରନ୍ ରେଟ୍ ଭଲ ରହିଥିବାରୁ କୋଲକାତା ପ୍ଲେ-ଅଫ୍ ଯିବାର ସମ୍ଭାବନା ଅଧିକ ରହିଛି ।
ରାଜସ୍ଥାନ : ପଏଣ୍ଟ ଟେବୁଲର ଷଷ୍ଠ ସ୍ଥାନରେ ରହିଥିବା ରାଜସ୍ଥାନ ରୟାଲ୍ସ ଏବେ ସୁଦ୍ଧା ମୋଟ୍ ୧୨ଟି ମ୍ୟାଚ ଖେଳିଥିବା ବେଳେ ୧୦ ଅଙ୍କ ହାସଲ କରିଛି ।
ମୁମ୍ବାଇ : ଡିଫେଣ୍ଡିଙ୍ଗ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ସିଜିନରେ ଟିକେ ଫିକା ପ୍ରଦର୍ଶନ କରିଛି । ଦଳ ମୋଟ୍ ୧୨ଟି ମ୍ୟାଚ୍ ଖେଳିଥିବା ବେଳେ ୧୦ ଅଙ୍କ ସହ ପଏଣ୍ଟ ତାଲିକାର ସପ୍ତମ ସ୍ଥାନରେ ରହିଛି ।
ପଞ୍ଜାବ : ପଞ୍ଜାବ କିଙ୍ଗସ ପାଇଁ ପ୍ଲେ-ଅଫ୍ସକୁ ଯିବା ହୁଏତ ଟିକେ କଠିନ ହୋଇପାରେ । କାରଣ ଦଳର ଆଉ ମାତ୍ର ଗୋଟିଏ ମ୍ୟାଚ୍ ବାକି ରହିଛି । ଏବେ ସୁଦ୍ଧା ପଞ୍ଜାବ ୧୩ଟି ମ୍ୟାଚ୍ ଖେଳିଥିବା ବେଳେ ମାତ୍ର ୫ଟିରେ ବିଜୟୀ ହୋଇ ୧୦ ଅଙ୍କ ସହ ପଞ୍ଚମ ସ୍ଥାନରେ ରହିଛି ।