କନକ ବ୍ୟୁରୋ : ଶୁକ୍ରବାର ଉଜବେକିସ୍ତାନରେ ବସିବାକୁ ଯାଉଛି ଏସସିଓ ବା ସାଂଘାଇ କୋର୍ପୋସନ ଅର୍ଗାନାଇଜେସନ ବୈଠକ । ଏଥିପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି । ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍, ଚୀନ ରାଷ୍ଟ୍ରପତି ଜିନ୍ ପିଙ୍ଗଙ୍କ ସମେତ ପାକିସ୍ତାନ ପ୍ରଧାମନ୍ତ୍ରୀ ଶାହବାଜ ସରିଫ ଓ ଅନେକ ଦେଶର ନେତା ଉପସ୍ଥିତ ରହିବେ । ଏହି ବୈଠକ ଉପରେ ସାରା ବିଶ୍ୱର ନଜର ରହିଛି । କାରଣ ଦୀର୍ଘ ଦିନ ପରେ ଭାରତ ଏବଂ ପାକିସ୍ତାନ ପ୍ରଧାନମନ୍ତ୍ରୀ ଗୋଟିଏ ମଂଚରେ ଏକାଠି ହେବାକୁ ଯାଉଛନ୍ତି । ସେହିପରି କରୋନା ମହାମାରୀ ପାଇଁ ବିବାଦରେ ଥିବା ଚୀନ ରାଷ୍ଟ୍ରପତି ଜିନ୍ ପିଙ୍ଗ ମଧ୍ୟ ପ୍ରଥମ ଥର ପାଇଁ ଏପରି ଏକ ବୈଠକରେ ଉପସ୍ଥିତ ରହିବେ । ସେହିପରି ଋଷ-ୟୁକ୍ରେନ ଯୁଦ୍ଧ ପାଇଁ ବିବାଦରେ ଥିବା ପୁଟିନ ମଧ୍ୟ ଉପସ୍ଥିତ ରହିବେ ।

Advertisment

ଋଷ-ୟୁକ୍ରେନ ଯୁଦ୍ଧ ପରେ ଆମେରିକା ସମେତ ୟୁରୋପୀୟ ଦେଶ ଋଷ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଅନ୍ୟପଟେ ଋଷ ଭାରତକୁ ଶସ୍ତାରେ ତେଲ ଯୋଗାଇ ଚାଲିଛି । ଯାହାକୁ ନେଇ ଭାରତ ଉପରେ ଆମେରିକା ଅସନ୍ତୋଷ ରହିଛି । ଅନ୍ୟପଟେ ଅନ୍ତର୍ଜାତୀୟ ମିଡିଆ ରିପୋର୍ଟ କହୁଛି ଭାରତକୁ ପୁଟିନ ବଡ ଉପହାର ଦେଇପାରନ୍ତି । ଏପରି ସ୍ଥିତିରେ ଆମେରିକା ସହିତ ଭାରତର ସମୀକରଣ ବିଗିଡିପାରେ । ସେହିପରି ଏଲଏସିରୁ ସୈନ୍ୟ ଅପସାରଣ ପରେ ଜିନପିଙ୍ଗଙ୍କ ସହ ମୋଦୀଙ୍କର ପ୍ରଥମ ଭେଟଘାଟ ହେଉଛି । ଆଉ ଏହି ଭେଟଘାଟ ଭାରତୀୟ ରାଜନୀତି ମଧ୍ୟରେ ପ୍ରଭାବ ପକାଇପାରେ ।

ଏସସିଓ ବା ସାଂଘାଇ କୋର୍ପୋସନ ଅରଗାନାଇଜେସନ । ଏହି ବୈଠକରେ କ୍ଷେତ୍ରୀୟ ସୁରକ୍ଷା, ସୀମା ବିବାଦର ସମାଧାନ, ଆତଙ୍କବାଦ ପ୍ରସଙ୍ଗରେ ଆଲୋଚନା ହୁଏ । ଏଥିସହ ରାଜନୀତି, ଅର୍ଥନୀତି, ବିକାଶ ଏବଂ ସେନା ଭଳି ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୁଏ । ୧୯୯୬ରେ ପ୍ରଥମେ ଆରମ୍ଭ ହୋଇଥିଲା ଏହି ସଂଗଠନ । ସେତେବେଳେ ୫ଟି ଦେଶ ଥିଲା ତେଣୁ ଏହାର ନାମ ‘ସାଂଘାଇ ଫାଇଭ୍’ ବୋଲି ନାମକରଣ କରାଯାଇଥିଲା । ପରେ ୨୦୦୧ରେ ସାଂଘାଇ କୋର୍ପୋସନ ଅର୍ଗାନାଇଜେସନ ନାମରେ ନାମିତ ହୋଇଛି । ଏଥିରେ ଏବେ ଭାରତ-ପାକିସ୍ତାନ ସମେତ ୪ ପର୍ଯ୍ୟବେକ୍ଷକ ଦେଶ ରହିଥିବା ବେଳେ ୬ଟି ଦେଶ ଡାଏଲଗ ପାର୍ଟନର ରହିଛନ୍ତି । ଆସନ୍ତାବର୍ଷ ଭାରତ ଏହି ବୈଠକ କରିବାକୁ ଯାଉଛି ।