ଆଇପିଏଲକୁ ଡରାଉଛି କରୋନା । ବଢୁଥିବା ସଂକ୍ରମଣ ଯୋଗୁଁ ଅଧାରୁ ସିରିଜ ଛାଡୁଛନ୍ତି ଖେଳାଳି ।

273

କନକ ବ୍ୟୁରୋ: କରୋନା କବଜାରେ ସାରା ବିଶ୍ୱ । ଦେଶରେ ଦୈନିକ ସଂକ୍ରମଣ ସାଢେ ୩ ଲକ୍ଷ ଅତିକ୍ରମ କରିଛି ଓ ବଢିଛି ଭୟର ବାତାବରଣ । ଏଥିରୁ ବାଦ ପଡିନି କ୍ରିକେଟ । ଆଇପିଏଲ ମହାସମର ଖେଳିବା ପାଇଁ ଭାରତରେ ଥିବା ବିଦେଶୀ ଖେଳାଳି ଏଠାକାର ସ୍ଥିତି ଦେଖି ଛାନିଆ ହୋଇପଡିଲେଣି । ତେଣୁ ଅଧାରୁ ସିରିଜ ଛାଡିବା ପାଇଁ ନିଷ୍ପତି ନେଉଛନ୍ତି । ରାଜସ୍ଥାନ ରୟାଲ୍ସର ଦ୍ରୁତ ବୋଲର ଆଣ୍ଡ୍ର୍ୟିୁ ଟାଇ ସିରିଜ ଅଧାରୁ ଛାଡିବା ପାଇଁ ନିଷ୍ପତି ନେଇଛନ୍ତି । ଆଗକୁ ଅଷ୍ଟ୍ରେଲିଆର ଆଉ କିଛି ଖେଳାଳି ମଧ୍ୟ ସମାନ ରାସ୍ତା ଆପଣାଇବାରେ ଆଶଙ୍କା ଦେଖାଦେଇଛି ।

ଭାରତରେ ଥିବା ଅଷ୍ଟ୍ରେଲିଆର ଖେଳାଳି, କୋଚ, କମେଂଟେଟର ଓ ଅନ୍ୟାନ୍ୟ ସଦସ୍ୟଙ୍କ ସହ ଯୋଗାଯୋଗ ରଖିଛି କ୍ରିକେଟ ଅଷ୍ଟ୍ରେଲିଆ ଓ ଅଷ୍ଟ୍ରେଲିଆ କ୍ରିକେଟ ସଂଘ । ସେହିପରି ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ ମହାସଂଘ ମଧ୍ୟ ବୟାନ ଜାରି କରି କହିଛି ଯେ, ଏପରି ସମୟରେ ଆମେ ଖେଳାଳିଙ୍କ ସହ ଯୋଗାଯୋଗରେ ଅଛୁ । ସିରିଜ ସରିଲେ ଖେଳାଳିଙ୍କୁ ସ୍ୱଦେଶ ଫେରାଇବା ପାଇଁ ଚାଟାର୍ଡ ବିମାନ ସେବା ଯୋଗାଇବା ପାଇଁ ଚିନ୍ତା କରୁଛି ଅଷ୍ଟ୍ରେଲିଆ କ୍ରିକେଟ ମହାସଂଘ ।

ଦିଲ୍ଲୀ କ୍ୟାପିଟାଲ୍ସ ଖେଳାଳି ଅଶ୍ୱିନ ମଧ୍ୟ ଆଇପିଏଲ ଛାଡିବାକୁ ନିଷ୍ପତି ନେଇଛନ୍ତି । ଟ୍ୱିଟ କରି ଆଇପିଏଲରୁ ବ୍ରେକ ନେଉଥିବା ଜଣାଇଛନ୍ତି । ବର୍ତମାନ ତାଙ୍କ ପରିବାର କରୋନା ସହ ଲଢୁଛି ଓ ତାଙ୍କ ସହ ରହିବା ଜୁରରୀ ଦର୍ଶାଇ ସେ ସିରିଜକୁ ଅଧାରୁ ଛାଡି ଯାଉଥିବା କହିଛନ୍ତି । ସେହିପରି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଖେଳାଳି କେନ ରିଚର୍ଡସନ ଓ ଆଡାମ ଜାମ୍ପା ବ୍ୟକ୍ତିଗତ କାରଣ ଦର୍ଶାଇ ସିରିଜ ଛାଡିବା ପାଇଁ ଘୋଷଣା କରିଛନ୍ତି ।

ସେପଟେ କୋଲକାତା ନାଇଟ ରାଇଡର୍ସର ମେଂଟର ଡେବିଡ ହସୀ କହିଛନ୍ତି ଯେ, ଖେଳାଳିଙ୍କ ସୁରକ୍ଷା ପାଇଁ ସମସ୍ତ ବନ୍ଦୋବସ୍ତ କରାଯାଇଛି ତଥାପି ସ୍ଥିତିକୁ ନେଇ ବ୍ୟସ୍ତ ବିବ୍ରତ ହୋଇପଡିଲେଣି ଖେଳାଳି । ସ୍ୱଦେଶ କେମିତି ଫେରିବେ ସେହି ଚିନ୍ତାରେ ଅଛନ୍ତି । ଏଭଳି ସ୍ଥିତି ଦେଖି ଚିନ୍ତିତ ହେବା ସ୍ୱାଭାବିକ । ବିସିସିଆଇର ଜଣେ ଅଧିକାରୀ କହିଛନ୍ତି, ଆଇପିଏଲ ଜାରି ରହିଥିବ । କେହି ଛାଡିବାକୁ ଚାହିଁଲେ ସେଥିରେ କୌଣସି ଆପତି ନାହିଁ ।