ହାଥରସ ଘଟଣା । ପୀଡିତାଙ୍କ ଗାଁକୁ ଗଲାବେଳେ ମଥୁରାରୁ ଗିରଫ ହେଲେ ୪ ପିଏଫଆଇ ସଦସ୍ୟ ଗିରଫ, ୟୁପିରେ ଦଙ୍ଗା ସୃଷ୍ଟି ପାଇଁ ଉଦ୍ୟମ କରୁଥିବା ଅଭିଯୋଗ

390

କନକ ବ୍ୟୁରୋ : ହାଥରସ୍ ହଙ୍ଗାମାରେ ଏବେ ଆଉ ଏକ ନୂଆ ମୋଡ୍ ସାମ୍ନାକୁ ଆସିଛି । ମଥୁରାରୁ ୪ ଜଣ ପିପୁଲସ୍ ଫ୍ରଂଟ ଅଫ୍ ଇଣ୍ଡିଆ ସଦସ୍ୟଙ୍କୁ ଗିରଫ କରିଛି ୟୁପି ପୋଲିସ । ଅଭିଯୋଗ ଆସୁଛି ହାଥରସ୍ ଦଳିତ ଯୁବତୀ ଗଣଦୁଷ୍କର୍ମ ଘଟଣା ପରେ ଦଙ୍ଗା ଭିଆଇବାକୁ ଏହି ୪ ଜଣ କରୁଥିଲେ ଷଡଯନ୍ତ୍ର । ଗଣଦୁଷ୍କର୍ମ ଅଭିଯୋଗ ଘଟଣା ପରେ ଏବେ ପୁରା ଉତରପ୍ରଦେଶରେ ରାଜନୈତିକ ମାହୋଲ ଗରମ୍ ରହିଛି । ଏପରି ସ୍ଥିତିରେ ଏହି ୪ ଜଣ ହାଥରସ୍ ଯାଉଥିବା ବେଳେ ମଥୁରାରୁ ଗିରଫ ହୋଇଛନ୍ତି । ଏହି ୪ ଜଣଙ୍କ ଠାରୁ ମୋବାଇଲ୍ , ଲାପଟପ୍ ଏବଂ ସନ୍ଦୀଗ୍ଧ ସାମଗ୍ରୀ ସହିତ ସନ୍ଦୀଗ୍ଧ କାଗଜପତ୍ର ଜବତ ହୋଇଛି ।

ଏହି ୪ ଜଣଙ୍କର ନିଶିଦ୍ଧ ସଂଗଠନ ପିଏଲଏଫ୍ଆଇ ସହିତ ସଂପୃକ୍ତି ଥିବା ପୋଲିସ ଦାବି କରିଛି । ଏହି ଘଟଣା ପରେ ପରେ ଅଧିକ ସଜାଗ ହୋଇଯାଇଛି ଉତରପ୍ରଦେଶ ପୋଲିସ । ହାଥରସ ଆଡକୁ ଆସୁଥିବା ସମସ୍ତ ଗାଡି ମୋଟର ଉପରେ ରଖାଯାଇଛି କଡା ନଜର । ମଥୁରାରେ ଗାଡି ଗୁଡିକର ଜୋରଦାର ଚେକିଂ ଚାଲିଥିଲା । ଏହି ୪ ଜଣ ଦିଲ୍ଲୀ ନଂବର ପ୍ଲେଟ୍ ଥିବା ଏକ ଗାଡିରେ ହାଥରସ୍ ଆସୁଥିଲେ । ଚେକିଂ ପଏଂଟରେ ଧରାପଡିଲେ । ୪ ଜଣଙ୍କ ମଧ୍ୟରୁ ଜଣେ ମଲ୍ଲାପୁରମ୍, ଅନ୍ୟ ୩ ଜଣ ମୁଜାଫରନଗର , ବାହାରାଇଚ୍ ଏବଂ ରାମପୁରରୁ ବୋଲି ଜଣାପଡିଛି ।

ସମସ୍ତଙ୍କର ମୋବାଇଲ୍ ଫୋନକୁ ଜବତ କରି ପୋଲିସ୍ ଅଧିକ ଯାଂଚ କରୁଛିା ହାଥରସ୍ ରେ ମାହୋଲ ଖରାପ କରିବାକୁ ଏହି ୪ ଜଣ ଗସ୍ତ କରୁଥିବା ସୂଚନା ମିଳିଛି । ସଂପ୍ରଦାୟିକ ହିଂସା ଏବଂ ଜାତୀ ଭିତିକ ହିଂସା ଖେଳାଇବାକୁ ଏହି ୪ ଜଣ ହାଥରସ୍ ଗସ୍ତ କରୁଥିବା କହିଛି ୟୁପି ପୋଲିସ । ସହର ସହର ଗୁଡିକରେ ହିଂସା ଖେଳାଇବାକୁ ବ୍ଲୁପ୍ରିଂଟ କରାଯାଇଥିବା ପୋଲିସ ସନ୍ଦେହ କରୁଛି । ସେଥିପାଇଁ ଏବେ ୟୁପି ପୋଲିସ ଅଧିକ ସଜାଗ ରହିଛି ।