ଦୀର୍ଘ ବର୍ଷର ସାଧନାକୁ ମିଳିଲା ସ୍ୱୀକୃତି । ଓଡିଶାର ୪ ଜଣ ପଦ୍ମଶ୍ରୀ ମନୋନୀତ ହେବା ପରେ ଛୁଟୁଛି ଶୁଭେଛାର ସୁଅ

163

କନକ ବ୍ୟୁରୋ : ପାଦେ ପାଦେ ଥିଲା ସଂଘର୍ଷ, କିନ୍ତୁ ସାଧନା ପଥରୁ କେବେ ଓହରି ଯାଇ ନାହାଁନ୍ତି । ନା’ କେବେ କିଛି ଆଶା ରଖିଛନ୍ତି, ନା’ କିଏ କେବେ ତାଙ୍କୁ କୌଣସି ଆଶ୍ୱାସନା ଦେଇଛି । ନିଃସ୍ୱାର୍ଥପର ଭାବେ କରି ଚାଲିଥିବା ସାଧନା ଆଜି ତାଙ୍କୁ ସ୍ୱୀକୃତି ଆଣି ଦେଇଛି । ଯେଉଁ ସ୍ୱୀକୃତି କେବଳ ବ୍ୟକ୍ତିଗତ ଭାବେ ତାଙ୍କୁ ଗର୍ବିତ କରିଛି ତାହା ନୁହେଁ ବରଂ ସାମଗ୍ରୀକ ଭାବେ ପ୍ରତିଟି ଓଡ଼ିଆ ଆଜି ଗୌରବାନ୍ୱିତ । ପାରମ୍ପରିକ ଶୈଳୀରେ କୃଷ୍ଣଲୀଳାକୁ ଲୋକପ୍ରିୟ କରିବା ପାଇଁ କମ ପରିଶ୍ରମ କରି ନାହାଁନ୍ତି । ଗଞ୍ଜାମ ଜିଲ୍ଲାର ଗୋପୀନାଥ ସ୍ୱାଇଁ ୧୦୫ ବର୍ଷ ବୟସରେ ବି ଗୀତ ଗାଉଛନ୍ତି, ଗୀତ ଶିଖାଇ ନୂଆ ପୀଢ଼ିକୁ ପ୍ରସ୍ତୁତ କରୁଛନ୍ତି ।

କଳାର କ୍ଷେତ୍ର ଉକ୍ରଳ । ଓଡ଼ିଶାର କୋଣ-ଅନୁକୋଣରେ କଳାର ସାଧକ । ଏଇ ଯେମିତି ବରଗଡ଼ ଜିଲ୍ଲାର ଭାଗବତ ପ୍ରଧାନ । ୮୫ ବର୍ଷ ବୟସରେ ମଧ୍ୟ ଥକି ନାହାଁନ୍ତି । ଶବ୍ଦ ନୃତ୍ୟ ଶୈଳୀର ଲୋକନୃତ୍ୟ ପ୍ରଚାର-ପ୍ରସାର ପାଇଁ ଏବେ ବି ଉଦ୍ୟମ ଜାରି ରଖିଛନ୍ତି । ସମ୍ବଲପୁରର ବିନୋଦ ପଶାୟତଙ୍କ ମଧ୍ୟ ସମାନ କାହାଣୀ । ସମ୍ବଲପୁରର ଘରେ ଘରେ ପରିଚିତ ସଙ୍ଗୀତକାର ବିନୋଦ ପଶାୟତଙ୍କ ସାଧନା, ଅନେକ କଳାକାର ଗଢ଼ି ତୋଳିଛି । ପଶାୟତଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିବାର ଖବର ଯେମିତି ପ୍ରତିଟି ଓଡ଼ିଆକୁ ଉତ୍ସାହିତ କରିଦେଇଛି ।

ପଟ୍ଟଚିତ୍ର, ପଟ୍ଟକଳା ତ’ ଯେମିତି ପୁରୀ ମାଟିର ହୃଦୟରେ ବସିଛି । ପିଲାଟି ବେଳରୁ ପଟ୍ଟଚିତ୍ର ପ୍ରତି ଆକର୍ଷିତ ହୋଇଥିବା ବିନୋଦ ମହାରଣାଙ୍କ ଜନ୍ମ ପୁରୀ ସହରରେ । ମାତ୍ର ୧୪ ବର୍ଷରେ ଆରମ୍ଭ କରିଥିବା ସାଧନା ଆଜି ତାଙ୍କୁ ସଫଳତାର ଓ ଗୌରବର ଶୀର୍ଷରେ ପହଂଚାଇ ଦେଇଛି । ୭୯ ବର୍ଷରେ ବି ସେ ନୂଆ । କାରଣ ଯୁଗ ସହ ତାଳଦେଇ ପଟ୍ଟଚିତ୍ରରେ ଆଧ୍ୟାତ୍ମିକତା ଓ ଆଧୁନିକତାର ଏକ ଅପୂର୍ବ ସଂଯୋଗ ଯୋଡ଼ି ପାରିଛନ୍ତି, ଚଳିତବର୍ଷ ପଦ୍ମଶ୍ରୀ ପାଇ ଓଡ଼ିଶାକୁ ଗର୍ବିତ କରିଥିବା ବିନୋଦ ମହାରଣା    ।

ଜଣେ ଯେ, କୌଣସି ବି କାମ କରନ୍ତୁ ନାଁ କାହିଁକି, ଯଦି ନିଷ୍ଠାର ସହ ସାଧନା କରନ୍ତି, ସଫଳତା ଓ ସ୍ୱୀକୃତି ନିଶ୍ଚୟ ମିଳିବ । ଏହାର ଉକ୍ରୃଷ୍ଟ ଉଦହାରଣ ହେଉଛନ୍ତି ଓଡ଼ିଶାରୁ ପଦ୍ମଶ୍ରୀ ପାଇଥିବା ଏହି ୪ ସାଧକ ।