ଭାରତର ଶକ୍ତିଶାଳୀ ତାଲିକାରେ ଓଡ଼ିଶାର ୪ ଚର୍ଚ୍ଚିତ ଚେହେରା । ନବୀନ ଓ ଧର୍ମେନ୍ଦ୍ରଙ୍କ ସହ ପ୍ରମୋଦ-ଶକ୍ତି ସାମିଲ ।

1,674

କନକ ବ୍ୟୁରୋ: ଦେଶର ଶକ୍ତିଶାଳୀ ତାଲିକାରେ ୪ ଓଡ଼ିଆ । ‘ଦ ଇଣ୍ଡିଆନ୍ ଏକ୍ସପ୍ରେସ୍’ ତରଫରୁ କରାଯାଇଥିବା ‘ମୋଷ୍ଟ ପାୱାରଫୁଲ୍ ଇଣ୍ଡିଆନ୍ସ’ ସର୍ଭେ ରିପୋର୍ଟ ଅନୁସାରେ ଦେଶର ୧୦୦ ଜଣ ଶକ୍ତିଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ୪ ପ୍ରଭାବଶାଳୀ ଓଡ଼ିଆ । ଏମାନଙ୍କ ମଧ୍ୟରେ ରହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରଧାନମନ୍ତ୍ରୀଙ୍କ ପ୍ରମୂଖ ସଚିବ ଡକ୍ଟର ପ୍ରମୋଦ କୁମାର ମିଶ୍ର, ଆରବିଆଇର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଧର୍ମେନ୍ଦ୍ର ପ୍ରଧାନ: କେନ୍ଦ୍ରମନ୍ତ୍ରୀ

ଏହି ତାଲିକା ମୁତାବକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଶର ୧୦୦ ଜଣ ଶକ୍ତିଶାଳୀଙ୍କ ମଧ୍ୟରେ ୧୪ ନମ୍ବର ଶକ୍ତିଶାଳୀ ଭାରତୀୟ ଭାବେ ଚଳିତ ବର୍ଷ ସ୍ଥାନିତ ପାଇଛନ୍ତି । ଆଉ ତାଲିକାରେ କରାଇଥିବା ସର୍ଭେ କହୁଛି କି, ରାଜ୍ୟ ବିଜେପିର ଅଭିବୃଦ୍ଧି, ସଂଗଠନକୁ ସୁଦୃଢ଼ କରିବା କ୍ଷେତ୍ରରୁ ଆରମ୍ଭ କରି ମୋଦିଙ୍କ ମନ୍ତ୍ରୀମଣ୍ଡଳରେ କ୍ୟାବିନେଟ୍ ପାହ୍ୟା ପାଇ ବିଭାଗୀୟ କ୍ଷେତ୍ରରେ ନରନ୍ତର କାର୍ଯ୍ୟ ଦକ୍ଷତା ଯୋଗୁଁ ତାଙ୍କୁ ଏହି ତାଲିକାରେ ଶକ୍ତିଶାଳୀ ଭାରତୀୟ ଭାବେ ସ୍ଥାନ ମିଳିଛି । ଏପରିକି ସାଧାରଣ ନିର୍ବାଚନୀ ସମୟରେ ଧର୍ମେନ୍ଦ୍ର ପିଡିଏସ ଜରିଆରେ ୧ଟଙ୍କାରେ ଡାଲି, ଲୁଣ ଓ ଚାଉଳ ଘୋଷଣା କରିବା ତାଙ୍କର ସବୁଠାରୁ ମାଷ୍ଟରଷ୍ଟ୍ରୋକ୍ ଥିଲା ବୋଲି ସର୍ଭେ କହୁଛି । ଯାହା ତାଙ୍କୁ ୨୦୧୮ରେ ଶକ୍ତିଶାଳୀ ତାଲିକାର ୩୨ତମ ସ୍ଥାନରୁ ଚଳିତ ତାଲିକାର ୧୪ତମ ସ୍ଥାନକୁ ପହଁଚାଇଛି ।

ଡକ୍ଟର ପ୍ରମୋଦ କୁମାର ମିଶ୍ର: ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ

ଅନ୍ୟପଟେ ଶକ୍ତିଶାଳୀ ୧୦୦ ଭାରତୀୟଙ୍କ ତାଲିକାର ୧୯ ନମ୍ବର ସ୍ଥାନରେ ରହିଛନ୍ତି ଆଉ ଜଣେ ଓଡ଼ିଆ ପୁଅ ବା ଦେଶର ସବୁଠାରୁ ପାୱାରଫୁଲ୍ ଅଫିସର କୁହାଯାଉଥିବା ପ୍ରଧାନମନ୍ତ୍ରୀଙ୍କ ପ୍ରମୂଖ ସଚିବ ଡକ୍ଟର ପ୍ରମୋଦ କୁମାର ମିଶ୍ର । ଗୁଜୁରାଟରେ ଯେତେବେଳେ ମୋଦି ମୁଖ୍ୟମନ୍ତ୍ରୀ ଥିଲେ ସେତେବେଳେ ମୋଦିଙ୍କ ଅତି ନିକଟତମ ବ୍ୟକ୍ତି ବା ପ୍ରଶାସନିକ ଅଧିକାରୀ ଭାବେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ବହନ କରିଥିଲେ । ତେଣୁ ଗତ କିଛି ଦିନ ତଳେ ମୋଦିଙ୍କ ଭରସା ଜିତିଥିବା ଏହି ଓଡ଼ିଆ ପୁଅଙ୍କୁ ମୋଦି ତାଙ୍କର ପ୍ରମୁଖ ସଚିବ ଭାବେ ଦାୟିତ୍ୱ ଦେବା ପରେ ତାଙ୍କୁ ଦେଶର ସବୁଠାରୁ ଶକ୍ତିଶାଳୀ ପ୍ରଶାସକ ଭାବେ ଅବିହିତ କରାଯାଛି । ତେଣୁ ଗତ ୨୦୧୮ ଶକ୍ତିଶାଳୀ ଭାରତୀୟ ତାଲିକାର ୪୪ତମ ସ୍ଥାନରୁ ଚଳିତ ଶକ୍ତିଶାଳୀ ତାଲିକାର ୧୯ତମ ସ୍ଥାନକୁ ଆଣିଛି ।

ଶକ୍ତିକାନ୍ତ ଦାସ: ଆରବିଆଇ ଗଭର୍ଣ୍ଣର

ସେହିଭଳି ତାଲିକାର ୨୯ ତମ ସ୍ଥାନରେ ରହିଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ୨୦୧୮ ଡିସେମ୍ବର ମାସରେ ଏହି ଓଡ଼ିଆ ପୁଅଙ୍କୁ ଦେଶର ଭଣ୍ଡାର ଘର ଦାୟିତ୍ୱ ମିଳିଥିଲା । ଯାହା ପରେ ବିଭିନ୍ନ କ୍ଷେତ୍ରରେ ସୁଧ ହାର ହ୍ରାସ କରିବା ସହ ଅର୍ଥମନ୍ତ୍ରଣାଳୟ ସହ ଆରବିଆଇର ସମ୍ମନ୍ୱୟ କିଭଳି ଗୁରୁତ୍ୱ ଦେଇ ବୃଦ୍ଧି କରାଯିବ ସେଥିରେ ଶକ୍ତିକାନ୍ତ ଦାସ ସଫଳ ହୋଇଥିବା ବିଭିନ୍ନ ଜାତୀୟ ରିପୋର୍ଟରେ ପ୍ରକାଶ ପାଇଛି । ତେଣୁ ପ୍ରଥମ କରି ଏହି ଓଡ଼ିଆ ପୁଅ ଭାରତର ୧୦୦ ଜଣ ଶକ୍ତିଶାଳୀ ତାଲିକାରେ ସ୍ଥାନ ପାଇଛନ୍ତି ।

ନବୀନ ପଟ୍ଟନାୟକ: ମୁଖ୍ୟମନ୍ତ୍ରୀ

ଏସବୁ ବାଦ୍ ଦେଶର ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏହି ୧୦୦ ଜଣ ଶକ୍ତିଶାଳୀ ଭାରତୀୟ ତାଲିକାରେ ସ୍ଥାନ ପାଇଛନ୍ତି । ପାଞ୍ଚ ଥର ଓଡ଼ିଶାର ମଙ୍ଗ ସମ୍ଭାଳିଥିବା ନବୀନଙ୍କ ଦବଦବା ଏହି ୧୦୦ ଜଣ ଶକ୍ତିଶାଳୀ ତାଲିକାରେ ୩୯ତମ ସ୍ଥାନରେ ରହିଛନ୍ତି । ଏପରିକି ତାଙ୍କ ଶାସନକାଳର ନୀତିଗତ ନିଷ୍ପତି ବିଭିନ୍ନ ଯୋଜନାମାନ ଓ ନବୀନଙ୍କ ସଫଳତାର ସୂତ୍ରକୁ କେବଳ ରାଜ୍ୟରେ ନୁହେଁ ବରଂ ଅନ୍ୟରାଜ୍ୟ ଗୁଡ଼ିକ ମଧ୍ୟ ଅନୁକରଣ କରୁଥିବା ଖବର ସାମ୍ନାକୁ ଆସିଛି । ୨୦୧୮ରେ ବିଶ୍ୱ ପୁରୁଷ ହକି କପର ଆୟୋଜନ ଏବଂ ପ୍ରଳୟଙ୍କାରୀ ବାତ୍ୟା ‘ଫୋନି’ର ସଫଳ ରୂପାୟନ ପାଇଁ ତାଙ୍କୁ ଭାରତର ପ୍ରଭାବଶାଳୀ ବା ଶକ୍ତିଶାଳୀ ତାଲିକାର ୩୯ତମ ସ୍ଥାନରେ ସ୍ଥାନିତ ହୋଇଛନ୍ତି ।

ଏସବୁ ବାଦ୍ ଦେଶର ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତି ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ତାଲିକାର ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି । ସାରା ଦେଶରେ ମୋଦି ମ୍ୟାଜିକ୍ ବଜାୟ ରଖି ଦ୍ୱିତୀୟଥର ପାଇଁ କେନ୍ଦ୍ରରେ କ୍ଷମତା ଡୋରୀ ଧରିବା, ୭୦ ବର୍ଷର କଳା ଇତିହାସ ବାଦଲ ହଟାଇ ଜମ୍ମୁ-କଶ୍ମୀରରୁ ଧାରା ୩୭୦କୁ ହଟାଇବା ଏବଂ ତିନ୍ ତଲାକ୍ ଭଳି ବିଭିନ୍ନ ଐତିହାସିକ ନିଷ୍ପତି ଯୋଗୁଁ ତାଙ୍କୁ ପୁଣି ଏହି ତାଲିକାର ୧ ନମ୍ବର ଶକ୍ତିଶାଳୀ ବ୍ୟକ୍ତିଭାବେ ସ୍ଥାନ ପାଇଛନ୍ତି ।