କନକ ବ୍ୟୁରୋ : ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ୮ମ ଦିନରେ ପହଞ୍ଚିଛି । ୠଷର ପ୍ରଚଣ୍ଡ ଆକ୍ରମଣର ଜବାବ ଦେଉଛି ୟୁକ୍ରେନ । ତେବେ ଏହି ଯୁଦ୍ଧକୁ ନେଇ ପୂରା ବିଶ୍ୱ ଭୟଭୀତ । କାରଣ କେତେବେଳେ କଣ ଯେ ଘଟିବ ତାହାର ଆକଳନ କରିବା କଷ୍ଟକର ହୋଇପଡିଛି । ଆଉ ଏହି ଯୁଦ୍ଧକୁ ରୋକିବାକୁ ବାରମ୍ବାର ଜାତିସଂଘରେ ବୈଠକ ବସୁଛି, ଆଲୋଚନା ହେଉଛି । କିନ୍ତୁ ଏଯାବତ ଏହି ମାମଲାରେ ଜାତିସଂଘରେ କୌଣସି ନିଷ୍କର୍ସ ବାହାରି ନାହିଁ । ତଥାପି ଜାତିସଂଘରେ ଋଷ ବିରୋଧରେ ବାରମ୍ବାର ପ୍ରସ୍ତାବ ଆସୁଛି । ଯୁଦ୍ଧ ରୋକିବା ସହ ଋଷ ନିଜର ସୈନ୍ୟଙ୍କୁ ୟୁକ୍ରେନରୁ ଫେରାଇ ଆଣୁ ବୋଲି ଆସିଥିବା ପ୍ରସ୍ତାବ ଜାତିସଂଘ ସୁରକ୍ଷା ପରିଷଦରେ ପାସ୍ ହୋଇଛି ସତ । କିନ୍ତୁ ଏହି ପ୍ରସ୍ତାବ ବିରୋଧରେ ଛିଡା ହୋଇଛନ୍ତି ୪ ଦେଶ । ଅଥାର୍ତ ଏହି ୪ ଦେଶଙ୍କୁ ୟୁକ୍ରେନ୍ ରାଷ୍ଟ୍ରପତି ଋଷର ବନ୍ଧୁ ବୋଲି କହିଛନ୍ତି ।

Advertisment

୧୯୩ ସଦସ୍ୟ ବିଶିଷ୍ଟ ଜାତିସଂଘ ସୁରକ୍ଷା ପରିଷଦରେ ଯେତେବେଳେ ଋଷକୁ ନେଇ ଆସିଥିବା ପ୍ରସ୍ତାବ ଉପରେ ଭୋଟିଂ ହେଉଥିଲା ସେତେବେଳେ ଭାରତ ଏଥିରେ ଭାଗ ନେଇନଥିଲା । ୧୪୧ ଟି ଦେଶ ଏହି ପ୍ରସ୍ତାବ ସମର୍ଥନରେ ବାହାରିଥିବା ବେଳେ ୩୪ଟି ଦେଶ ଚୁପ୍ ରହିବା ସହ ଏହି ଭୋଟିଂରୁ ଦୂରେଇ ରହିଥିଲେ । କିନ୍ତୁ ଭୋଟିଂ ବେଳେ ୫ ଦେଶ ଏହି ପ୍ରସ୍ତାବକୁ ବିରୋଧ କରିଥିଲେ । ଋଷିଆ ଏହି ପ୍ରସ୍ତାବ ବିରୋଧରେ ଭୋଟ କରିଥିବା ବେଳେ ବେଲାଋଷ, ଇରିଟ୍ରିଆ, ଉତ୍ତରକୋରିଆ ଓ ସିରିଆ ଭଳି ଦେଶ ମଧ୍ୟ ଏହି ପ୍ରସ୍ତାବ ବିରୋଧରେ ଭୋଟ କରିଥିଲେ । ଆଉ ଏହାକୁ ନେଇ ୟୁକ୍ରେନ୍ ରାଷ୍ଟ୍ରପତି କହିଛନ୍ତି, ଏହି ୪ ଦେଶକୁ ଛାଡିଦେଲେ ଋଷର ଅନ୍ୟ କେହି ବନ୍ଧୁ ରାଷ୍ଟ୍ର ନାହାନ୍ତି ।

ଋଷ-ୟୁକ୍ରେନ ମାମଲାରେ ଭାରତରୁ ପ୍ରଥମରୁ ହିଁ ମାପିଚୁପି ବୟାନ ରଖୁଛି । ନା କାହା ସମର୍ଥନରେ ନା କାହା ବିପକ୍ଷରେ । ଭାରତ ତରଫରୁ ପ୍ରଥମରୁ ହିଁ ସ୍ପଷ୍ଟ କରାଯାଇଥିଲା ଯେ, ୟୁକ୍ରେନରେ ଫଶିଥିବା ଭାରତୀୟଙ୍କୁ ଉଦ୍ଧାର କରିବା ଆମର ପ୍ରାଥମିକତା । ଭାରତ ଯୁଦ୍ଧବିରାମକୁ ସମର୍ଥନ କରୁଛି । କିନ୍ତୁ ଏଥିପାଇଁ ଉଭୟ ଦେଶ ମଧ୍ୟରେ କୂଟନୈତିକ ସ୍ତରରେ ଆଲୋଚନା ମାଧ୍ୟମରେ ଏହାର ସମାଧାନ କରାଯାଉ ।