ଓଡ଼ିଶା ପାଇଁ ଭଲ ଖବର । ଏକାଥରେ ସୁସ୍ଥ ହେଲେ ୪ କରୋନା ଆକ୍ରାନ୍ତ, ଭଦ୍ରକରୁ ୩, ବାଲେଶ୍ୱରରୁ ଜଣେ ହେଲେ ସୁସ୍ଥ । ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ୬୦କୁ ବୃଦ୍ଧି ।

2,796

କନକ ବ୍ୟୁରୋ: ବାଲେଶ୍ୱର-ଭଦ୍ରକ ପାଇଁ ଭଲ ଖବର । ଆଜି ରାଜ୍ୟର ୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଭଦ୍ରକ ଜିଲ୍ଲାରୁ ୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ବାଲେଶ୍ୱର ଜିଲ୍ଲାରୁ ମଧ୍ୟ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । ଏଥି ସହିତ ରାଜ୍ୟରେ କରୋନା ଆକ୍ରାନ୍ତରୁ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୬୦ରେ ପହଞ୍ଚିଛି ।

ରାଜ୍ୟରେ ଏଯାଏଁ ମୋଟ ୧୬୨ ଜଣ ଲୋକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେଥିରୁ ୬୦ ଜଣ ସୁସ୍ଥ ହୋଇଛନ୍ତି । ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ଏବେ ରାଜ୍ୟର ବିଭିନ୍ନ କୋଭିହ୍ ହସ୍ପିଟାଲରେ ୧୦୧ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି । ବାଲେଶ୍ୱର ଜିଲ୍ଲାରୁ ମୋଟ ୨୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିରୁ ୪ ଜଣ ବ୍ୟକ୍ତି ସୁସ୍ଥ ହୋଇଥିବା ବେଳେ ୧୭ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଛି । ସେହିପରି ଭଦ୍ରକ ଜିଲ୍ଲାରେ ଏଯାଏଁ ୧୯ ଜଣ ବ୍ୟକ୍ତି ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିରୁ ୧୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୭ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଛି ।