ଆରମ୍ଭ ହେବାକୁ ଯାଉଛି ଯୁଦ୍ଧର ଭୟଙ୍କର ସ୍ଥିତି । ପୁଟିନ୍ ଖେଳିଲେ ନୂଆ ଚାଲ୍

336

କନକ ବ୍ୟୁରୋ : ଏବେ ବି ଜାରି ରହିଛି ଋଷ-ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ । ଆଜିକୁ ପ୍ରାୟ ୪ ମାସ ବିତିଯାଇଥିଲେ ବି ବିଶ୍ୱର ମହାଶକ୍ତି ଆଗରେ ହାର ମାନିବାକୁ ନାରାଜ ୟୁକ୍ରେନ୍ । ଫ୍ରେବୃଆରୀ ୨୪ ତାରିଖରେ ଯେତେବେଳେ ଋଷ ରାଷ୍ଟ୍ରପତି ୟୁକ୍ରେନ୍ ଉପରେ ଆକ୍ରମଣ କରିବା ପାଇଁ ଔପଚାରୀକ ଭାବେ ଘୋଷଣା କରିଥିଲେ ସେତେବେଳେକୁ ଋଷ ସେନା ୟୁକ୍ରେନର ମିଲିଟାରୀ ବେସଠାରୁ ମାତ୍ର କିଛି ଦୂରରେ ଆକ୍ରମଣ କରିସାରିଥିଲା । ସୀମାରେ ସୁରକ୍ଷା ପ୍ରହରୀଙ୍କୁ ଦଳି ୟୁକ୍ରେନରେ ପ୍ରବେଶ କରିଥିଲା ଋଷ ସେନା । ଆଉ ପୁଟିନ୍ ଯୁଦ୍ଧ ଘୋଷଣା କରିବା ସହ କହିଥିଲେ, ଅସ୍ତ୍ରଶସ୍ତ୍ର ଛାଡି ଆତ୍ମ ସମର୍ପଣ କରିନେଉ ୟୁକ୍ରେନ୍ । ପୁଟିନଙ୍କ ଏହି ପଦିଏ କଥା ଶୁଣିବା ପରେ ଲାଗୁଥିଲା । ୟୁକ୍ରେନକୁ କିଛି ଘଣ୍ଟା ମଧ୍ୟରେ ଋଷ ହରାଇ ୟୁକ୍ରେନକୁ ନିଜ ଅକ୍ତିଆରକୁ ନେଇଯିବ । ଋଷ ସେନା ଆଗରେ ୟୁକ୍ରେନ୍ ସେନା ଆତ୍ମସମର୍ପଣ କରିଦେବେ । କିନ୍ତୁ ଏମିତି କିଛି ବି ହେଲାନି । ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ମୈଦାନ ଉପରେ ରହି ଲଢିବାର ନିସ୍ପତ୍ତି ନେଇ ସାରିଥିଲେ । ଲୋକଙ୍କ ହାତରେ ବନ୍ଧୁକ ଧରାଇ ଦେଶ ପାଇଁ ଲଢିବା ପାଇଁ ନିସ୍ପତ୍ତି ନେଇଥିଲେ । ଆଉ ଆଜକୁ ଯୁଦ୍ଧ ପ୍ରାୟ ୪ମାସ ବିତିଯାଇଥିଲେ ବି ପଛଘୁଞ୍ଚା ଦେଇନି ୟୁକ୍ରେନ୍ ସେନା ।
ନୂଆ ଖେଳ ଖେଳିବାକୁ ଯାଉଛନ୍ତି ପୁଟିନ୍ :
ଋଷ-ୟୁକ୍ରେନ୍ ଯୁଦ୍ଧ ଏବେ ଚରମ ସୀମାରେ ପହଞ୍ଚିଯାଇଛି । ମାରିଉପୋଲ ଭଳି ସହରକୁ କବ୍ଚାକୁ ନେବା ପରେ ଋଷ ୟୁକ୍ରେନ୍ କବ୍ଚା ପାଇଁ ତାର ରଣନୀତି ବଦଳାଇଛି । ରାଜଧାନୀ କିବକୁ ଛାଡି ପୂର୍ବ ୟୁକ୍ରେନ୍ ସହର ଗୁଡିକୁ କବ୍ଚା କରିବାରେ ଲାଗିପଡିଛି ଋଷ । ସେବେରୋଦୋନେସ୍କ ଓ ଲିସିଚଂସ୍କ ଭଳି ସହରକୁ ଘେରି ରହିଛନ୍ତି ଋଷ ସେନା । ଖାରବିକ ଉପରେ ରହି ଡୋନାବାସକୁ ନିଜ ଅଧିନକୁ ନେବା ପାଇଁ ଚେଷ୍ଟା ଚଳାଇଛି ଋଷ । ଏପରି କରିବା ପଛରେ ଋଷର ଏକ ବଡ ଚାଲ ରହିଛି । ଯଦି ପୂରା ୟୁକ୍ରେନ୍ ଉପରେ ଋଷ କବ୍ଚା କରିନପାରେ ତାହେଲେ ୟୁକ୍ରେନର ଏକ ବଡ ଅଂଶକୁ ଅଲଗା କରିବାରେ ସଫଳ ହୋଇପାରିବା ନେଇ ନୂଆ ରଣ ନୀତି ଆପଣାଇଛନ୍ତି ପୁଟିନ୍ । ଏପରି କୁହାଯାଉଛି କି, ଋଷ ରଣନୀତି ହିସାବରେ, ଯେଉଁଠି ଶତ୍ରୁ ଦୁର୍ବଳ ଏବଂ ସୁରକ୍ଷା ମୁଦ୍ରାରେ ନଥିବେ ସେହି ଦିଗରେ ଶତ୍ରୁ ଉପରେ ଆଗ ଆକ୍ରମଣ କରିବା ଜରୁରୀ ହୋଇଥାଏ । କାରଣ ଏପରି କରିବା ଦ୍ୱାରା ଶତ୍ରୁକୁ ଶୀଘ୍ର ହରାଯାଇପାରିବ ।
ଅନ୍ୟପଟେ ଋଷକୁ ୟୁରୋପ ଗ୍ୟାସ୍ ସପ୍ଲାଇ ବନ୍ଦ କରି ୟୁକ୍ରେନକୁ ସହାୟତା କରୁ ଥିବା ଦେଶଗୁଡିକୁ ଉପରେ ଚାପ ବଢିବାବାରେ ଲାଗିଛି । ଅପରପକ୍ଷରେ ଫିନଲ୍ୟାଣ୍ଡ, ସ୍ୱିଡେନକୁ ନାଟୋରେ ସାମିଲ କରିବା ପ୍ରୟାସ ନେଇ ଋଷ ଚେତାବନୀ ଦେଇଛି । ବେଲାରୁଷକୁ ଲାଗି ରହିଥିବା ଲୁଥିଆନିୟା ଉପରେ କୌଣସି ମୁହୁର୍ତ୍ତରେ ବି ଋଷ ଆକ୍ରମଣ କରିଦେଇପାରେ ବୋଲି ଆଶଂକା ବଢୁଛି । ତେଣୁ ୟୁକ୍ରେନ୍ ଠାରୁ ଆରମ୍ଭ ହୋଇଥିବା ଯୁଦ୍ଧ ଅନ୍ୟ ଦେଶକୁ ବ୍ୟାପିବାର ଆଶଂକା ବଢିବାରେ ଲାଗିଛି । କାରଣ ଲିଥୁଆନିଆ ପାର କଲେ ପୋଲାଣ୍ଡ ସୀମା ଆରମ୍ଭ ହେଉଛି । ଯାହାକୁ ବ୍ୟବହାର କରି ଆମେରିକା ଏବଂ ୟୁରୋପ ୟୁକ୍ରେନରେ ଯୁଦ୍ଧାସ୍ତ୍ର ପହଞ୍ଚାଉଛନ୍ତି । ତେଣୁ ଲୁଥିଆନିଆ ଋଷ କବ୍ଚାକୁ ଆସିବା ପରେ ପୋଲାଣ୍ଡ ଉପରେ ବିପଦ ବଢିଯିବ । ସେପଟେ ୟୁକ୍ରେନକୁ ୟୁରୋପ ସଂଘର ସଦସ୍ୟ ହେବା ପାଇଁ ପାଇଁ ଗ୍ରୀନ୍ ସିଗନାଲ ମିଳିବାକୁ ଯାଉଛି । ଯାହାକୁ ନେଇ ଋଷ ଆହୁରି ଭୟଙ୍କର ହୋଇପାରେ ବୋଲି କୁହାଯାଉଛି ।