ପାଟଣାଗଡ ସଅଁରାପଡାରେ ପରିବାରର ୬ଜଣଙ୍କ ମୃତ୍ୟୁ ଘଟଣା : ପାଟଣାଗଡ ଥାନାରେ ପହଞ୍ଚିଲେ ମୃତକଙ୍କ ୫ ପୁଅ ; ଘଟଣା ସମ୍ପର୍କରେ ଥାନାରେ ପଚରାଉଚରା ଜାରି 

172

କନକ ବ୍ୟୁରୋ : ବଲାଙ୍ଗୀର ପାଟଣାଗଡ ସଅଁରାରେ ଗୋଟିଏ ପରିବାର ୬ଜଣଙ୍କ ମୃତ୍ୟୁ ଘଟଣା ଏବେ ବି ରହସ୍ୟ ଘେରରେ ଅଛି ।  ୨୪ ଘଂଟା ପରେ ବି ପୁଲିସ କୌଣସି ଟେର ପାଉନାହିଁ । ସେପଟେ ପଟଣାଗଡରେ ପଂହଚିଛନ୍ତି ମୃତକଙ୍କ ୫ ପୁଅ । ସେପଟେ ସନ୍ଦେହରେ  ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ପୂର୍ବ ଶତ୍ରୁତାରୁ ସେମାନଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ ଘନୀଭୂତ ହୋଇଛି ।

ଗତକାଲି ପାଟଣାଗଡରେ ଗୋଟିଏ ପରିବାରର ୬ ଜଣଙ୍କ ମୃତଦେହ ମିଳିଥିଲା । ଏମାନଙ୍କ ମଧ୍ୟରେ ୪ ନାବାଳକ ଥିଲେ  । କମ୍ବଳ ଘୋଡା ଅବସ୍ଥାରେ ଘରର ସବୁ ସଦସ୍ୟ ପଡିଥିଲେ । କମ୍ବଳରେ ରକ୍ତ ଛିଟା ଲାଗିଥିଲା ।  ବର୍ତମାନ ସୁଦ୍ଧା ମୃତ୍ୟୁ କାରଣ ଜଣାପଡିନଥିବାରୁ ମୃତ୍ୟୁକୁ ନେଇ ବଢୁଛି ରହସ୍ୟ ।  ବଲାଙ୍ଗୀର ପୁଲିସ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ କରୁଥିଲେ ବି  କୌଣସି ଟେର ପାଇନାହିଁ ।  ଦୁର୍ବୃତଙ୍କୁ ଧରିବାକୁ ଅତିରିକ୍ତ ଏସପିଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇଛି ।

ବାହାରୁ  ଆସି ଏହି ଗାଁରେ ମୃତ ବୁଲୁ ଜାନିଙ୍କ ପରିବାର ରହୁଥିଲେ ।  ଘଟଣାସ୍ଥଳରୁ ବ୍ୟବହୃତ ଗଇଁତି ଜବତ ହୋଇଛି । ପାଟଣାଗଡର ଏହି ଅଂଚଳରେ ହିଁ କିଛି ବର୍ଷ ତଳେ ହୋଇଥିଲା  ବହୁଚର୍ଚ୍ଚିତ ପାର୍ସଲ ବୋମା ବିସ୍ଫୋରଣ ଘଟଣା ।  ଏବେ ଏହି ଘଟଣା ସାରା ରାଜ୍ୟରେ ଚାଂଚଲ୍ୟ ସୃଷ୍ଟି କରିଛି ।  ଏଥର ବୁଲ ଜାନୀ, ତାଙ୍କ ସ୍ତ୍ରୀ , ଦୁଇପୁଅ ଓ ଦୁଇ ଝିଅ ମୃତ୍ୟୁକୁ ନେଇ ସବୁଆଡେ ଚର୍ଚ୍ଚା ।