ତ୍ରେତୟା ଯୁଗର ଜୀବନ୍ତ ଛବି ବର୍ଣ୍ଣନା କରିବ ଭବ୍ୟ ଶ୍ରୀରାମ ମନ୍ଦିର : “ଗୋପୁରମ୍‌” ନାମରେ ସ୍ଥାପିତ ହେବ ଚାରି ପ୍ରବେଶ ଦ୍ୱାର , ମନ୍ଦିର ବଖାଣିବ ୫୦୦ ବର୍ଷର ସଂଘର୍ଷ ଇତିହାସ , ରଘୁବୀରଙ୍କ ଜୀବନକୁ ଜାଣିବାପାଇଁ ତିଆରି ହେବ ୧୨୫ ମୂର୍ତ୍ତି

225

ଅଗଷ୍ଟ ୫ ଭୂମିପୂଜନ ପରେ ଅଯୋଧ୍ୟାରେ ଦିବ୍ୟ ଅଲୌକିକ ରାମମନ୍ଦିରର ନିର୍ମାଣର ପରିକଳ୍ପନା କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି । ମନ୍ଦିରର ପରିସର ରାମାୟଣ କାଳର ଚିତ୍ରିିତ ଦେଖିବାକୁ ଟ୍ରଷ୍ଟ ପକ୍ଷରୁ ଇଚ୍ଛାପ୍ରକାଶ କରାଯାଇଛି । ଏହାକୁ ଆଖିଆଗରେ ରଖି ମନ୍ଦିରକୁ ଏଭଳି ଢଙ୍ଗରେ ନିର୍ମାଣ କରାଯିବ ଯେଉଁଠି ପାଦ ରଖିବା କ୍ଷଣି ରାମଭକ୍ତଙ୍କୁ ତ୍ରେତୟାଯୁଗର ଜୀବନ୍ତ ଛବି ଦୃଶ୍ୟମାନ ହେବ । ମନ୍ଦିରରେ ୪ ଟି ପ୍ରବେଶ ଦ୍ୱାର ନିର୍ମିତ ହେବ ଯାହାକୁ “ଗୋପୁରମ୍‌” ନାମରେ ନାମିତ କରାଯିବ । ଏହାସହ ଅତିରିକ୍ତ ରାମକଥା କୁଞ୍ଜ,ରାମ ମ୍ୟୁଜିୟମ୍ ସହ ରଘୁବୀରଙ୍କ ଜୀବନ ଉପରେ ଆଧାରିତ ଗୁରୁକୁଳ ମଧ୍ୟ ସ୍ଥାପନ କରାଯିବ । ସରକାର ରାମମନ୍ଦିରକୁ ବିଶ୍ୱର ସବୁଠାରୁ ବଡ଼ ତୀର୍ଥସ୍ଥଳ କରିବାକୁ ଯୋଜନା କରିଛନ୍ତି । ରାମକଥା କୁଞ୍ଜରେ ଭଗବାନ ଶ୍ରୀରାମଙ୍କ ଜୀବନ ପ୍ରସଙ୍ଗକୁ ଦର୍ଶାଉଥିବା ୧୨୫ ଟି ମୂର୍ତ୍ତି ସ୍ଥାପିତ କରାଯିବ ଯାହା ସମ୍ପୁର୍ଣ୍ଣ ରାମାୟଣର ସାରତତ୍ୱକୁ ବୁଝାଉଥିବ । ଶ୍ରଦ୍ଧାଳୁଙ୍କ ଯାତ୍ରାକୁ ସହଜ କରିବା ପାଇଁ ହାଇୱେରୁ ରାମମନ୍ଦିର ପରିସର ପର୍ଯ୍ୟନ୍ତ ୪ ଟି କରିଡ଼ର୍ ପ୍ରସ୍ତୁତ କରାଯିବ । ମନ୍ଦିର ପରିସରରେ ରାମମନ୍ଦିର ପାଇଁ ହୋଇଥିବା ୫୦୦ ବର୍ଷ ସଂଘର୍ଷର ଇତିହାସକୁ ପ୍ରଦର୍ଶିତ କରାଯିବ । ଯୁବପିଢି ରାମମନ୍ଦିର ଆନ୍ଦୋଳନ ବିଷୟରେ ଯେମିତି ଜାଣିପାରିବେ ଏନେଇ ବ୍ୟବସ୍ଥା କରାଯିବ । ରାମ ଜନ୍ମଭୂମି ପରିସର ଗୁରୁକୁଳରେ ବେଦପାଠ ଶିକ୍ଷାଗ୍ରହଣ କରୁଥିବା ବାଳକ ରାମସଂସ୍କୃତି ତଥା ରାମାୟଣର ଶିକ୍ଷା ନେଇପାରିବେ । ଏତଦବ୍ୟତୀତ ପ୍ରସାଦସ୍ଥଳ , ଧର୍ମଶାଳା,ଭଜନସ୍ଥଳ , କଥା ମଣ୍ଡପ ଆଦି ମନ୍ଦିରର ଶୋଭାବର୍ଦ୍ଧନ କରିବ ।

ମନ୍ଦିର ପରିସରରେ ନକ୍ଷତ୍ର ବାଟିକା ପ୍ରସ୍ତୁତ ହେବ । ୨୭ ନକ୍ଷତ୍ର ପାଇଁ ୨୭ ଟି ବୃକ୍ଷରୋପଣ ହେବ । ସମ୍ପୁର୍ଣ୍ଣ ୭୦ ଏକର ଭୂମିରେ ସବୁଜିମା ଦେଖାଯିବ । ମନ୍ଦିରରେ ନବଗ୍ରହ ବାଟିକା ମଧ୍ୟ ପ୍ରସ୍ତୁତ କରାଯିବ । ଗ୍ରହ-ନକ୍ଷତ୍ରକୁ ଅନୁକୂଳ କରୁଥିବା ବୃକ୍ଷର ରୋପଣ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଗଲାଣି ।