ହାତୀ ମୁତ୍ୟୁ ଭିତରେ ନନ୍ଦନକାନନରୁ ଆସିଲା ସାଂଘାତିକ୍ ଚିତ୍ର । ଦାରୁଠେଙ୍ଗ ଡମ୍ପିଂୟାର୍ଡ ଦେଇ କାଞ୍ଜିଆ ହ୍ରଦକୁ ଆସୁଥିବା କଳା ମଚ ମଚ ପାଣି ହାତୀ ମୃତ୍ୟୁର କାରଣ ନୁହେଁ ତ?

588

କନକ ବ୍ୟୁରୋ : ହରପିସ୍ ମାରୁଛି ହାତୀ । ଗୋଟିଏ ମାସ ଭିତରେ ନନ୍ଦନକାନନରେ ଗଲାଣି ୪ଟି ହାତୀର ଜୀବନ । ବଡ଼ କଥା ହେଉଛି ଏହା ପୂର୍ବରୁ ୩ଟି ନୀଳଗିରି ହନୁ, ବାଘୁଣୀ ପ୍ରିୟଙ୍କା, ବାରାସିଂହ, ଓରାଙ୍ଗଓଟାଙ୍ଗ, ସିଂମ୍ପାଜି, ଗଧିଆଙ୍କ ବିଭିନ୍ନ କାରଣରୁ ମୃତ୍ୟୁ ହୋଇଛି । ପ୍ରଶ୍ନ ହେଉଛି, ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଜୀବଜନ୍ତୁ ଭୂତାଣୁରେ ଆକ୍ରାନ୍ତ ହେଉଛନ୍ତି କେମିତି? ଦୂଷିତ ଜଳ ଏହି ଭୂତାଣୁର କାରଣ କି? ଏହି ତମାମ୍ ପ୍ରଶ୍ନର ଉତର ଖୋଜିବାକୁ ଉଦ୍ୟମ କରିଛି କନକ ନ୍ୟୁଜ୍ ଟିମ୍ ।

ନନ୍ଦନକାନନ ପ୍ରାଣୀ ଉଦ୍ୟାନ ସଂପୂର୍ଣ୍ଣ ନିର୍ଭରଶୀଳ ଥିବା କାଞ୍ଜିଆ ଦ୍ରହକୁ ପାଣି ଆସୁଛି କେମିତି? ସବୁଦିନିଆ ଜଳସ୍ରୋତ, ଦାରୁଠେଙ୍ଗ-ଭୁଆଶୁଣୀ ଡମ୍ପିଂୟାର୍ଡରୁ ବଡ଼ବନ୍ଧ, ବଡ଼ବନ୍ଧରୁ ଯୁଝଗଡ଼ସଙ୍ଖ, ଯୁଝଗଡ଼ସଙ୍ଖରୁ ଫିଡର ଫାର୍ମ ଦେଇ କାଞ୍ଜିଆ ହ୍ରଦରେ ପହଂଚୁଛି ପାଣି । ତେବେ ଏହି ପାଣିକୁ ନନ୍ଦନକାନନରେ ଥିବା ପଶୁପକ୍ଷୀଙ୍କ ପାଇଁ ବ୍ୟବହାର କରାଯାଇଛି । କିନ୍ତୁ ବଡ କଥା ହେଲା ଏ ପାଣି ଏତେ ସ୍ୱଚ୍ଛ ନୁହେଁ ଯେ ଏହାକୁ ପଶୁପକ୍ଷୀଙ୍କ ପାଇଁ ବ୍ୟବହାର କରାଯାଇପାରିବ । କାରଣ ଦାରୁଠେଙ୍ଗ-ଭୁଆଶୁଣୀ ଡମ୍ପିଂୟାର୍ଡରେ ଗଦା ହୋଇଥିବା କୁଢ କୁଢ ଆବର୍ଜନା ଉପରେ ବର୍ଷା ପଡିବା ପରେ କଳା ମଚମଚ ପ୍ରଦୂଷିତ ପାଣି ଝରି ଆସି କାଞ୍ଜିଆ ହ୍ରଦରେ ମିଶିଥାଏ । ଆଉ ଏହି ପ୍ରଦୂଷିତ ତେଲିଆ ପାଣି ନନ୍ଦନକାନନର ପଶୁପକ୍ଷୀଙ୍କ ପାଇଁ ବ୍ୟବହାର କରାଯାଇଥାଏ ।

ଆଉ ଆଜି ଯେତେବେଳେ ମାସେ ଭିତରେ ୪ଟି ହାତୀଙ୍କ ମୃତ୍ୟୁ ହୋଇଛି, ସ୍ୱାଭାବିକ ଭାବରେ ନନ୍ଦନକାନନର ମୁଖ୍ୟଜଳସ୍ରୋତକୁ ନେଇ ପ୍ରଶ୍ନ ଉଠିଛି । ଏପରିକି ଏହି ପ୍ରଦୂଷିତ ପାଣି ପାଇଁ ନନ୍ଦନକାନନ ଜୀବଜନ୍ତୁଙ୍କର ମୃତ୍ୟୁ ହେଉଛି ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି । ଏହି ଡମ୍ପିଂୟାର୍ଡରୁ ମାତ୍ର ୫ଶହ ମିଟର ଭିତରେ ଆସୁଛି ଚନ୍ଦକା ଅଭୟାରଣ୍ୟ, ଆଉ ମାତ୍ର ଗୋଟିଏ କିଲୋମିଟର ଭିତରେ ଅଛି ନନ୍ଦନକାନନ । ଏପଟେ ନନ୍ଦନକାନନ କର୍ତୃପକ୍ଷ କହୁଛନ୍ତି ଜୀବଜନ୍ତୁଙ୍କୁ ହ୍ରଦର ପାଣିକୁ ବିଶୋଧନ କରି ଦିଆଯାଉଛି । ତେବେ ପ୍ରଶ୍ନ ଉଠୁଛି ଏହି ହ୍ରଦର ପାଣି ଜୀବଜନ୍ତୁଙ୍କ ପାଇଁ କେତେ ଉପଯୋଗୀ ଓ ସୁରକ୍ଷିତ ।

ନନ୍ଦନକାନନରେ ୪ଟି ହାତୀ ହରପିସ ଭୁତାଣୁ ସଂକ୍ରମଣରେ ପ୍ରାଣ ହରାଇଥିବା ବେଳେ ଏବେ ଏହି ଭୁତାଣୁ ନନ୍ଦନକାନନ ବାହାରକୁ ବ୍ୟାପିଥିବାର ଆଶଙ୍କା କରାଯାଉଛି । ଚନ୍ଦକା ଡ଼ମପଡ଼ା ଅଭୟାରଣ୍ୟ ବାଆଁରା ଠାରେ ଏକ ମାଇ ହାତୀ ଗୁରତର ହୋଇଥିବା ଜଣାପଡ଼ିଛି । ପିସିସିଏଫ ହରିଶଙ୍କର ଉପାଧ୍ୟାୟ, ସିଜେଡ୍ ସଦସ୍ୟ ସଂପାଦକ ଏସ୍ ପି ଯାଦବଙ୍କ ସହିତ ଓୟୁଏଟି ଓøଷଧ ବିଭାଗର ପ୍ରଫେସର ନିରଂଜନ ସାହୁ ପହଂଚି ହାତୀର ଚିକିତ୍ସା ଜାରି ରଖିଛନ୍ତି । ତେବେ ଏହି ହରପିସ ଭୂତାଣୁ ଡ଼ମପଡ଼ାକୁ ବ୍ୟାପିଥିବା ଅନୁମାନ କରାଯାଉଛି । ନନ୍ଦନକାନନ ପରେ ଏବେ ଅଭୟାରଣ୍ୟର ହାତୀ ସମ୍ପଦ ଉପରେ ଏହା ବିପଦ ସୃଷ୍ଟି କରିଛି । ହାତୀ ମୃତ୍ୟୁର ତଦନ୍ତ ଜାରି ରହିଥିବା ବେଳେ ଗତକାଲି କେନ୍ଦ୍ରୀୟ ଚିଡିଆଖାନା କତୃପକ୍ଷ ନନ୍ଦନକାନନରେ ପହଂଚି ଏହାର ଅନୁଧ୍ୟାନ କରିଛନ୍ତି ।