ଝାରୁସୁଗୁଡାରେ ରେଳ ଧକ୍କାରେ କଟିଗଲେ ୪ ହାତୀ ! ରେଳ ଧାରଣା ପାର ହେବାବେଳେ ଧକ୍କା ଦେଲା ମୁମ୍ବାଇ-ହାୱଡା ମେଲ, ରେଳବାଇ ଓ ବନ ବିଭାଗର ବେପରୁଆ ମନୋଭାବକୁ ନେଇ ଉଠିଲା ପ୍ରଶ୍ନ

54

କନକ ବ୍ୟୁରୋ: ରାତି ପାହିବା ପୂର୍ବରୁ ରେଳ ଧାରଣା ଉପରେ ଟଳି ପଡିଥିଲେ ବିରାଟକାୟ ଗଜରାଜ । ସେମାନଙ୍କର ବାସ୍ ଭୁଲ୍ ଏତିକି ଯେ, ସେମାନେ ମଣିଷ ଦ୍ୱାରା ବିଛାଯାଇଥିବା ମୃତ୍ୟୁଜାଲକୁ ବୁଝିପାରିନଥିଲେ । ହାତୀର ବାସସ୍ଥାନ ଏହି ଘଂଚ ଜଙ୍ଗଲ ଭିତରେ କମ୍ ବେଗରେ ଟ୍ରେନ୍ ଚଳାଇବାର ନିୟମ ଥିଲେ ମଧ୍ୟ କେହି ଏହାକୁ ମାନନ୍ତି ନାହିଁ ଏବଂ ଏହିପରି କଥା କହିବାର ଶକ୍ତି ନଥିବା ନୀରିହ ଜନ୍ତୁଙ୍କୁ ପାଦ ତଳେ ଦଳି ଦେଇ ସହଜରେ ପାର୍ ହୋଇଯାଆନ୍ତି ।

ଝାରସୁଗୁଡାର ବାଗଡିଗି ରେଂଜର ତେଲଡିହି ଠାରେ ରେଳ ଧାରଣା ଉପରକୁ ଆସିଯାଇଥିବା ହାତୀ ପଲକୁ ହାୱଡା-ବମ୍ବେ ମେଲ୍ ଏତେ ଜୋରରେ ଧକା ମାରିଥିଲା ଯେ, ଚାରି ଚାରିଟି ବିରାଟକାୟ ହାତୀ ଛିଟିକି ପଡିଥିଲେ । ଏବଂ ଗୋଟିଏ ଦନ୍ତା ଓ ଗୋଟିଏ ଛୁଆ ହାତୀ ସହ ଦୁଇଟି ମାଇ ହାତୀ ପ୍ରାଣ ହରାଇସାରିଥିଲେ ।

ଦୁର୍ଘଟଣାରେ ୪ ଟି ହାତୀଙ୍କ ଜୀବନ ଯିବା ପରେ ଚାଲିଛି କାରଣ ଖୋଜା । ବନବିଭାଗ ଓ ରେଳ ବିଭାଗର ଦୋଷ ଲଦାଲଦି ଭିତରେ ପ୍ରଶ୍ନ ଉଠୁଛି..

– ଏହି ଅଂଚଳକୁ ବନବିଭାଗ ହାତୀ ଚଳପ୍ରଚଳ ଅଂଚଳ ଭାବେ ଚିହ୍ନଟ କରିନଥିଲା କାହିଁକି?

– ସ୍ଥାନୀୟ ଅଂଚଳରେ ଚିହ୍ନଟ ପାଇଁ କୌଣସି ଫଳକ ଲଗାଯାଇନଥିଲା କାହିଁକି?

– ଦୁର୍ଘଟଣା ବେଳେ ଟ୍ରେନ୍ର ଗତି ଅଧିକ ଥିଲା କି?

ଏଠାରେ ଆମେ କହି ରଖୁଛୁ କି, ବର୍ଷକ ଭିତରେ ଏହି ଅଂଚଳରେ ଟ୍ରେନ୍ ଧକାରେ ୭ଟି ହାତୀର ପ୍ରାଣ ଗଲାଣି ।