ପୁଲିସଠାରୁ ଏକେ-୪୭ ବନ୍ଧୁକ ଛଡେଇ ନେଇଥିଲା ଗ୍ୟାଙ୍ଗଷ୍ଟର ହାଇଦର : ସେଥିପାଇଁ ତା’ଉପରକୁ ଗୁଳି ଚଳାଇଥିବା ଏଫଆଇଆରରେ ଉଲ୍ଲେଖ

305

କନକ ବ୍ୟୁରୋ : ପୋଲିସଠାରୁ ଏକେ-୪୭ ବନ୍ଧୁକ ଛଡାଇ ନେବାରୁ ଗ୍ୟାଙ୍ଗଷ୍ଟର ହାଇଦର ଉପରକୁ ଗୁଳି ଚଳାଇଥିଲା ପୋଲିସ । ବାଲେଶ୍ୱର ସିମୁଳିଆ ଥାନାରେ ଦିଆଯାଇଥିବା ଏଫଆଇଆରରେ ଏହା ଲେଖାଯାଇଛି । ହାଇଦରକୁ ଏସକର୍ଟ କରି ନେଇଥିବା ଥାନା ଅଧିକାରୀ ଗଙ୍ଗାଧର ସାସେନି ସିମୁଳିଆ ଥାନାରେ ଏହି ଏଫଆଇଆର ଦେଇଛନ୍ତି ।

ଏଥିରେ ଲେଖା ଯାଇଛି ଯେ, ସିମୁଳିଆରେ ପରିସ୍ରା କରିବା ପାଇଁ ହାଇଦର କହିବାରୁ ତାକୁ ନେଉଥିବା ଗାର୍ଡ, ଗୋଟିଏ ହାତର ହ୍ୟାଣ୍ଡକପ ଖୋଲିଥିଲେ । ଆଉ ଏହାର ସୁଯୋଗ ନେଇ ଗାର୍ଡଙ୍କଠାରୁ ଏକେ-୪୭ ବନ୍ଧୁକ ଛଡାଇ ନେଇ ପୋଲିସ ଆଡକୁ ଦେଖାଇ ଧମକାଇ ଥିଲା ଗ୍ୟାଙ୍ଗଷ୍ଟର ହାଇଧର । ପୂର୍ବରୁ ଥରେ ଫେରାର ହୋଇଥିବାବେଳେ ପୋଲିସ ତାକୁ ହାଇଦ୍ରାବାଦରୁ ଧରିବାରେ ସମର୍ଥ ହୋଇଥିବା କଥା କହିଥିଲା । କିନ୍ତୁ ଏଥର ଖସିଗଲେ ଆଉକେହି ଧରିପାରିବେନି ବୋଲି କହିଥିଲା ହାଇଦର । ଏପରିକି ତାକୁ ଧରିବା ପାଇଁ କେହି ଆଗକୁ ବଢିଲେ ଗୁଳି କରିଦେବ ବୋଲି ଧମକ ଦେଇଥିଲା ।

ତେଣୁ ସେ ଓ ପୋଲିସ ଏସଆଇ ଅସିତ ଜେନା ତାକୁ ସମର୍ପଣ କରିବା ପାଇଁ ଆହ୍ୱାନ ଦେଇଥିଲେ । ହେଲେ ସେ ଏସକର୍ଟ ପାର୍ଟି ଉପରକୁ ଗୁଳି କରିବାକୁ ଉଦ୍ୟମ କରିବାରୁ ତାକୁ ନିଜ ସର୍ଭିସ ରିଭଲଭରରୁ ୩ ରାଉଣ୍ଡ ଗୁଳି କରିଥିଲେ ଏସଆଇ ଏସିତ ଜେନା । ଏସକର୍ଟ ପାର୍ଟିର ଜୀବନ ବଂଚାଇବାକୁ ଏହି ଗୁଳି କରାଯାଇଥିବା ଏଫଆଇରରେ ଉଲ୍ଲେଖ ରହିଛି ।