ମହାନଦୀରେ ୪ଟି ମୃତଦେହ । ପାଣି ଭିତରୁ ମିଳିଲା ମାଆ, ପୁଅ ଓ ଦୁଇ ଝିଅଙ୍କ ଶବ । ରହସ୍ୟ ଘେରରେ ମୃତ୍ୟୁର କାରଣ । ହତ୍ୟା ନା ଦାରିଦ୍ର୍ୟ ପାଇଁ ଆତ୍ମହତ୍ୟା?

32

କନକ ବ୍ୟୁରୋ: ପାରାଦୀପ କୁଜଙ୍ଗ ନିକଟ ମହାନଦୀରୁ ଆଜି ୪ ଜଣଙ୍କ ମୃତଦେହ ମିଳିଛି । ମୃତକ ମାନେ ସମସ୍ତେ ଗୋଟିଏ ପରିବାରର । ମାଆ, ଦୁଇ ଝିଅ ଓ ପୁଅ । ଦୁଇ ଝିଅଙ୍କ ବୟସ ୯ ବର୍ଷ ଓ ୫ ବର୍ଷ ହୋଇଥିବା ବେଳେ ପୁଅର ବୟସ ୪ ବର୍ଷ । କିଛି ଦିନ ତଳେ ଏକ ଦୁର୍ଘଟଣାରେ ବାପା, ପ୍ରାଣ ହରାଇଥିଲେ । ଦାରିଦ୍ର୍ୟ ଯୋଗୁଁ ପୁରା ପରିବାର ଆତ୍ମହତ୍ୟା କରିଥିବା କୁହାଯାଉଛି । ତେବେ ମୃତକଙ୍କ ଜଣେ ସମ୍ପର୍କୀୟ କହିଛନ୍ତି, ପୂର୍ବରୁ ସେମାନଙ୍କ ପରିବାରର ଜମିବିବାଦ ଥିଲା । ତେଣୁ ସେମାନଙ୍କୁ ହତ୍ୟା କରାଯାଇଥାଇପାରେ । ସେପଟେ ପୋଲିସ ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି ।

ପ୍ରାୟ ଦୁଇ ମାସ ତଳେ କୁଜଙ୍ଗ ଜଗନ୍ନାଥପୁରର ଏହି ପରିବାରର ମୁଖ୍ୟ ଅନନ୍ତ ସେଠୀଙ୍କ ଏକ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା । ସ୍ଥାନୀୟ କାରଖାନାରେ ଶ୍ରମିକ ଭାବେ କାମ କରୁଥିଲେ ଅନନ୍ତ । ତାଙ୍କ ମୃତ୍ୟୁ ପରେ ଦାରିଦ୍ର୍ୟ ମଧ୍ୟରେ ଗତି କରୁଥିବା ଏହି ପରିବାର ସଂପୂର୍ଣ୍ଣଭାବେ ଭାଂଗି ପଡିଥିଲା । ସ୍ଥାନୀୟ ଲୋକଙ୍କ କହିବା କଥା, ଅତ୍ୟନ୍ତ ଗରିବ ହୋଇଥିବାରୁ ସ୍ୱାମୀଙ୍କ ମୃତ୍ୟୁ ପରେ ମାଆ, ପିଲାଙ୍କୁ ନେଇ ପାଣିକୁ ଡେଇଁ ଆତ୍ମହତ୍ୟା କରିଥାଇପାରନ୍ତି । ତେବେ ଏହା ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି ସଂପର୍କୀୟ । ଏବଂ ଏଥିପାଇଁ ପରିବାରରେ ଲାଗି ରହିଥିବା ଜମିବାଡି ବିବାଦ ଦାୟୀ ବୋଲି ସେ କହିଛନ୍ତି ।

ତେବେ ଏକାସଙ୍ଗେ ଚାରି ଚାରିଟି ଜୀବନ ଚାଲିଯିବା ଘଟଣା ଯେତିକି ଆଶ୍ଚର୍ଯ୍ୟକର ସେତିକି ସନ୍ଦେହଜନକ ମଧ୍ୟ । ଏହି ଘଟଣା ଅନେକ ପ୍ରଶ୍ନ ସୃଷ୍ଟି କରୁଛି..

– କାହିଁକି ଆଉ କେଉଁ ପରିସ୍ଥିତିରେ ଘଟିଲା ଅଘଟଣ?

– ଦାରିଦ୍ର୍ୟ ପାଇଁ ଆତ୍ମହତ୍ୟା କରିଛନ୍ତି କି ପରିବାର?

– ନା, ଜମିବାଡି ପାଇଁ ପୂରା ପରିବାରକୁ ହତ୍ୟା କରାଯାଇଛି?