ଉତରପ୍ରଦେଶରେ ଜୋର ଧରିଲା ନେତାଙ୍କ ଦଳ ଡିଆଁ ପର୍ବ: ସମାଜବାଦୀ ପାର୍ଟିରେ ସାମିଲ ହେଲେ ବିଜେପିର ୮ ବିଦ୍ରୋହୀ ବିଧାୟକ 

131

କନକ ବ୍ୟୁରୋ: ପାଂଚ ରାଜ୍ୟରେ ବିଧାନସଭା ନିର୍ବାଚନ ଯେତେ ପାଖେଇ ଆସୁଛି, ରାଜନୈତିକ ଗତିବିଧୀ ସେତେ ଜୋର ଧରିଛି । ବିଧାନସଭା ନିର୍ବାଚନ ହାତ ଗଣତି କିଛି ଦିନ ରହିଥିବା ବେଳେ ନେତାଙ୍କ ଦଳ ବଦଳ ପ୍ରକ୍ରିୟା ଜୋର ଧରିଛି । ଆଜି ବିଜେପିରୁ ଦୁଇ ଦିନ ତଳେ ଇସ୍ତଫା ଦେଇଥିବା ସ୍ୱାମୀ ପ୍ରସାଦ ମୌର୍ୟ୍ୟ ଓ ବିଜେପିର ବିଦ୍ରୋହୀ ବିଧାୟକ ସମାଜବାଦୀ ପାର୍ଟିରେ ସାମିଲ ହୋଇଛନ୍ତି ।

ଉତରପ୍ରଦେଶରେ ନେତାଙ୍କ ଦଳ ବଦଳ ସଙ୍କେତ ଦେଉଛି ନିର୍ବାଚନ ପୂର୍ବରୁ ବିଜେପି ବିରୋଧରେ ଏକ ନୂଆ ସମୀକରଣର ସୃଷ୍ଟି ହେଉଛି । ବିଜେପିର ବିଦ୍ରୋହୀ ବିଧାୟକ କେଶବ ପ୍ରସାଦ ମୌର୍ୟ୍ୟ, ଧରମ ସିଂ ସୈନି, ଭାଗବତୀ ସାଗର, ବିନୟ ସାକ୍ଷ୍ୟ, ରାଜେନ୍ଦ୍ର ପ୍ରତାପ ସିଂ ସମାଜବାଦୀ ପାର୍ଟିରେ ସାମିଲ ହୋଇଛନ୍ତି । ସେହିପରି ବିଏସପି ଓ କଂଗ୍ରେସର ନେତା ମଧ୍ୟ ସପା ମୁଖ୍ୟ ଅଖିଳେଶ ଯାଦବଙ୍କ ଉପସ୍ଥିତିରେ ଦଳର ପ୍ରାଥମିକ ସଦସ୍ୟତା ଗ୍ରହଣ କରିଛନ୍ତି । ସପାରେ ସାମିଲ ପରେ ବିଜେପି ଉପରେ ବର୍ଷିଛନ୍ତି, ସ୍ୱାମୀ ପ୍ରସାଦ ମୌର୍ୟ୍ୟ । ସେହିପରି ବିଜେପିର ୱିକଟ ଖସୁଛି ବାବା କ୍ୟାଚ କରିପାରୁ ନାହାନ୍ତି ବୋଲି କଟାକ୍ଷ କରିଛନ୍ତି ଅଖିଳେଶ ଯାଦବ ।

ରାଜ୍ୟର ପଛୁଆ ବର୍ଗଙ୍କ ମଧ୍ୟରେ ସ୍ୱାମୀ ପ୍ରସାଦ ମୌର୍ୟ୍ୟଙ୍କ ବେଶ ପ୍ରଭାବ ରହିଛି । ଏହାଛଡା ବିଜେପି ଛାଡିଥିବା ଅଧିକାଂଶ ନେତା ପଛୁଆ ବର୍ଗର ହୋଇଥିବାରୁ ଏଥର ବିଜେପିର ଭୋଟ କଟିବ ବୋଲି ଚର୍ଚ୍ଚା ହେଉଛି । ସେପଟେ ବିଜେପି କିନ୍ତୁ କହିଛି, ଏହାର କିଛି ପ୍ରଭାବ ପଡିବ ନାହିଁ ।

ଲକ୍ଷେ୍ନøର ସମାଜବାଦୀ ପାର୍ଟିର ମୁଖ୍ୟ କାର୍ୟ୍ୟାଳୟରେ ଏହି ମିଶ୍ରଣ କାର୍ୟ୍ୟକ୍ରମ ଆୟୋଜିତ ହୋଇଥିଲା । ଶହ ଶହ ସମର୍ଥକ ଏଥିରେ ସାମିଲ ହୋଇ ଖୋଲାଖୋଲି କରୋନା ଗାଇଡଲାଇନ ଉଲ୍ଲଂଘନ କରିଛନ୍ତି । ଏହାଛଡା ନିର୍ବାଚନ କମିସନ ଜାନୁୟାରୀ ୧୫ ଯାଏଁ ରାଲି, ସମାବେଶ ଉପରେ ରୋକ ଲଗାଇଥିବାରୁ ଆବଶ୍ୟକ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି କହିଛି ଜିଲ୍ଲା ପ୍ରଶାସନ ।