ବିହାରରେ ଭାଙ୍ଗିଲା ଓୱେସୀଙ୍କ ପାର୍ଟି, ୫ ରୁ ୪ ବିଧାୟକ ଆରଜେଡିରେ ସାମିଲ

274

କନକ ବ୍ୟୁରୋ : ମହାରାଷ୍ଟ୍ର ପରେ ବିହାର ରାଜନୀତି ସରଗରମ । ଅସଦୁଦ୍ଦିନ ଓୱେସୀଙ୍କ ଏଆଇଏମଆଇଏମକୁ ବଡ ଝଟକା ଲାଗିଛି । ବିହାରରେ ପାର୍ଟିର ମୋଟ ୫ ଜଣ ବିଧାୟକଙ୍କ ମଧ୍ୟରୁ ୪ ଜଣ ବିଧାୟକ ଲାଲୁଙ୍କ ରାଷ୍ଟ୍ରୀୟ ଜନତା ଦଳରେ ସାମିଲ ହୋଇଛନ୍ତି । ଏନେଇ ବିହାର ବିଧାନସଭାର ବିରୋଧୀଦଳ ନେତା ତେଜସ୍ୱୀ ଯାଦବ ସୂଚନା ଦେଇଛନ୍ତି ।

ଯେଉଁ ବିଧାୟକମାନେ ଏଆଇଏମଆଇଏମ ଛାଡି ଆରଜେଡିରେ ଯୋଗ ଦେଉଛନ୍ତି ସେମାନଙ୍କ ମଧ୍ୟରେ ଅଛନ୍ତି ମହମ୍ମଦ ଇଜହାର, ଶାହନବାଜ ଆଲମ, ଶକନୁଦ୍ଦିନ ଅହମ୍ମଦ ଓ ଅନଜାର ନଇମୀ

 

ଏହା ପୂର୍ବରୁ ମଙ୍ଗଳବାର ଦିନ ତେଜସ୍ୱୀ ଯାଦବ ଏଆଇଏମଆଇଏମର ୪ ଜଣ ବିଧାୟକଙ୍କୁ ସାଥିରେ ନେଇ ବିଧାନସଭା ବାଚସ୍ପତି ବିଜୟ ସିହ୍ନାଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟିଥିଲେ । ସେପଟେ ଏହି ୪ ଜଣ ବିଧାୟକ ଆରଜେଡିରେ ସାମିଲ ହେବା ପରେ ବିହାରରେ ବିଜେପିକୁ ପଛରେ ପକାଇ ଆରଜେଡି ସବୁଠାରୁ ବଡ ପାର୍ଟି ହୋଇଛି । ଏବେ ବିହାରରେ ଆରଜେଡିର ୭୫ ଜଣ ବିଧାୟକ ଥିଲେ । ଏହି ୪ ଜଣଙ୍କୁ ମିଶାଇ ଏବେ ଆରଜେଡି ପାଖରେ ୭୯ ବିଧାୟକ ହୋଇଛନ୍ତି । ହେଲେ ବିହାରରେ ବିଜେପି ପାଖରେ ମୋଟ ୭୭ ବିଧାୟକ ରହିଛନ୍ତି ।