କନକ ବ୍ୟୁରୋ: ଦେବଗଡର ପିହୁ ଅଗ୍ରୱାଲ ଅପହରଣ ମାମଲାରେ ୪ଗିରଫ । ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛି ଦେବଗଡ ପୋଲିସ । ଗତ ୧୮ତାରିଖରେ ଟିଉସନ ସାରି ନିଜ ଆଈ ସହ ଫେରୁଥିବା ବେଳେ ଘର ନିକଟରେ ଆଈ ପାଖରୁ ଦୁର୍ବୃତ୍ତମାନେ ପିହୁକୁ ଛଡ଼ାଇ ନେଇଥିଲେ । ଘଟଣାର ମାଷ୍ଟରମାଇଣ୍ଡ ଦେବଗଡ଼ ଥାନା ନୂଆଗାଁର ହିମାଂଶୁ ନାରଙ୍ଗ । ଅନ୍ୟ ଅଭିଯୁକ୍ତମାନେ ହେଲେ ମେଣ୍ଢୀପାଲି ସାଧୁବାହାଳ ଗାଁର ଦୀପକ ନାଏକ, ବଲଣ୍ଡା ଗାଁର ରୋହିତ ପାତ୍ର ଓ ଜରେଇକେଲା ଗାଁର ମହେଶ୍ୱର ଶଗଡ଼ିଆ । ଏହି ଘଟଣାରେ ମାଷ୍ଟରମାଇଣ୍ଡ ସମେତ ୪ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ଠାରୁ ଅପହରଣରେ ବ୍ୟବହୃତ କାର, ଦୁଇଟି ବାଇକ ଓ ୪ଟି ମୋବାଇଲ ଫୋନ୍ ଜବତ ହୋଇଛି ।
ବିଳାସପୂର୍ଣ୍ଣ ଜୀବନ ଅତିବାହିତ କରିବାପାଇଁ ମୋଟା ଅଙ୍କର ଟଙ୍କା ରୋଜଗାର ପାଇଁ ଗତ ସେପ୍ଟେମ୍ବର ମାସରେ ଯୋଜନା କରିଥିଲେ ଗିରଫ ଅଭିଯୁକ୍ତ । ଟଙ୍କା ପାଇଁ ଟ୍ୟୁସନରୁ ଫେରିବାବେଳେ ଅପହରଣ କରିଥିଲେ ଦୁବୃର୍ତ । ଯୋଜନା ଅନୁଯାୟୀ ଭାଇ ଭାଇ ଲୁଗା ଦୋକାନ ପରିବାରର ସଦସ୍ୟଙ୍କୁ ଅପହରଣ କରି ମୁଣ୍ଡ ଜାମିନ ରଖି ୨କୋଟି ଟଙ୍କା ଅସୁଲ କରିବା ପାଇଁ ଲକ୍ଷ୍ୟ ରଖିଥିଲେ । ଏବଂ ମୁଣ୍ଡପିଛା ୫୦ଲକ୍ଷ ଟଙ୍କା ଲେଖାଏଁ ଭାଗ ପାଇଁ ଯୋଜନା କରିଥିଲେ । ଯୋଜନକୁ କାର୍ଯ୍ୟକାରୀ କରିବା ପାଇଁ ନଭେମ୍ବର ମାସର ପ୍ରୟାସ କରିଥିଲେ ବି ତାହା ଫେଲ୍ ମାରିଥିଲେ । ପରେ ପୁଣି ଡିସେମ୍ବର ୧୮ ତାରିଖରେ ପିହୁକୁ ଅପହରଣ କରିନେଇଥିଲେ । ତେବେ ବଡ଼ଧରଣର ଛାନଭିନ ପରେ ବଡ଼ଗାଁ ଥାନା ଭୋଇପାଲି ସର୍ଭିସ ରୋଡ ପୋଲ ନିକଟରେ ପିହୁକୁ ଛାଡ଼ି ପଳାଇଥିଲେ । ଅପହରଣର ୧୨ଘଂଟା ପରେ ଉଦ୍ଧାର ହୋଇଥିଲା ଶିଶୁ କନ୍ୟା ପିହୁ । ଏହାସହ ସପ୍ତାହକ ଭିତରେ ସମସ୍ତ ଅଭିଯୁକ୍ତଙ୍କୁ ପୁଲିସ ଚିହ୍ନଟ କରି ଗିରଫ କରିଛି ।