ଗରାଖ ବେଶରେ ଆସୁଥିଲେ ଲୁଟେରା । ଚୋରି କରିବା ପୂର୍ବରୁ ଠାକୁରଙ୍କୁ ଲଗାଉଥିଲେ ରସଗୋଲା ଭୋଗ ।

212

କନକ ବ୍ୟୁରୋ : ରାଜଧାନୀରେ ଔଷଧ ଦୋକାନରୁ ଲୁଟ୍ ଘଟଣାର ପର୍ଦାଫାଶ ହୋଇଛି । ଘଟଣାରେ ଜଡିତ ୪ ଜଣ ଆନ୍ତଃରାଜ୍ୟ ଡକାୟତଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ପଶ୍ଚିମବଙ୍ଗରେ ଚୋରି କରି ବାରମ୍ବାର ଗିରଫ ହେବା ପରେ ପଡୋଶୀ ଓଡିଶାକୁ ଟାର୍ଗେଟ କରିଥିଲେ ଏମାନେ । ଆଉ ତାପରେ ସହରରୁ ସହର ବୁଲି ଲୁଟି ଚାଲିଥିଲେ ଲକ୍ଷାଧିକ ଟଙ୍କା । ତେବେ ରୋଚକ କଥା ହେଉଛି ଚୋରୀ କରିବା ପୂର୍ବରୁ ଯେମିତି କିଛି ବାଧାବିଘ୍ନ ନଘଟୁ ସେଥିପାଇଁ ଠାକୁରଙ୍କୁ ପୂଜା କରିବା ସହ ରସଗୋଲା ଭୋଗ ଲଗାଉଥିଲେ ଏହି ଚୋର ।

ଚୋରଙ୍କ ରସଗୋଲା ଭୋଗ । ଚୋରି କରିବା ଆଗରୁ ଠାକୁରଙ୍କୁ ଭୋଗ ଲଗାଇ ପୂଜା କରୁଛନ୍ତି ଲୁଟେରା । ଯେପରି ବାଧା ବିଘ୍ନ ନଆସୁ ସେଥିପାଇଁ ଲୁଟପାଟ ପୂର୍ବରୁ ଲଜରେ ଏଭଳି ପୂଜାର୍ଚ୍ଚନା କରି ବାହାରୁଥିଲେ ଚାରି ଜଣ ଲୁଟେରା । ଭଗବାନଙ୍କ ଫଟୋ ରଖି ଧୂପକାଠି, ରସଗୋଲା ଏବଂ ପିତଳ ପାତ୍ରରେ ପାଣି ଛଡାଇ ପୂଜା ପ୍ରକ୍ରିୟା ଶେଷ କରି ଆରମ୍ଭ କରୁଥିଲେ ଅପରେସନ୍ ।

ଘର ପଶ୍ଚିମବଙ୍ଗରେ, ଚୋରି ଓଡିଶାରେ । ଗରାଖ ବେଶରେ ଆସୁଥିଲେ ଲୁଟେରା । ଚାରି ଧୁରନ୍ଦର ପଶ୍ଚିମବଙ୍ଗରେ ଚୋରି କରି ବାରମ୍ବାର ଗିରଫ ହେବା ପରେ ପଡୋଶୀ ଓଡିଶାକୁ ଟାର୍ଗେଟ କରିଥିଲେ । ଆଉ ତାପରେ ସହରରୁ ସହର ବୁଲି ଲୁଟି ଚାଲିଥିଲେ ଲକ୍ଷାଧିକ ଟଙ୍କା । ପ୍ରଥମେ ବ୍ରହ୍ମପୁରରୁ ଲକ୍ଷାଧିକ ଟଙ୍କା ଚୋରି କରିବା ପରେ ସ୍ମାର୍ଟସିଟିକୁ କରିଥିଲେ ଟାର୍ଗେଟ । ବଡ଼ଗଡ଼ ଅଞ୍ଚଳରୁ ୩୫ ହଜାର, ରବି ଟକିଜ ମେଡିସିନ ଷ୍ଟୋରରୁ ୨୦ ହଜାର, ନୟାପଲ୍ଲୀରୁ ୪୮ ହଜାର ଏବଂ ଖାରବେଳ ଅଞ୍ଚଳରୁ ୬ ହଜାର ଟଙ୍କା ଲୁଟି ନେଇଥିଲେ । ଏମାନଙ୍କ ଲୁଟିବାର ତରିକା ଥିଲା ସମ୍ପୂର୍ଣ୍ଣ ଅଲଗା । ଲକଡାଉନରେ କାମ ଧନ୍ଦା ପାଉନଥିବା ଏହି ରଙ୍ଗ ମିସ୍ତ୍ରୀମାନେ ଚୋରି କରିବା ପାଇଁ ଅଭିନବ ଉପାୟ ଆପଣାଇଥିଲେ । ବିଭିନ୍ନ ମେଡିସିନ ଷ୍ଟୋରରୁ ଲୁଟ୍ କରିବା ପରେ କମିଶନରେଟ ପୁଲିସର ନିଦ ହଜିଯାଇଥିଲା ।

ପଶ୍ଚିମବଙ୍ଗର ଚାରି ଲୁଟେରା ଗ୍ୟାଙ୍ଗଙ୍କୁ ପୁଲିସ ଗିରଫ କରି ସଫଳତା ହାସଲ କରିଥିବା ବେଳେ ଟଙ୍କପାଣି ରୋଡରେ ସମାନ ଘଟଣା ଦେଖିବାକୁ ମିଳିଛି । ଏକ ଇଣ୍ଟେରିଅର ଦୋକାନ ଭିତରେ ପଶି ଡ୍ରୟରରୁ ସେହି ଷ୍ଟାଇଲରେ ଲକ୍ଷେ ୨୮ ହଜାର ଟଙ୍କା ଲୁଟ ହୋଇଥିବା ଅଭିଯୋଗ କରିଛନ୍ତି ଦୋକାନୀ । ଏହାସହିତ ଆଉ ଏକ ଚୋରିର ସିସିଟିଭି ଫୁଟେଜ୍ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

କିଛି ଦିନ ଧରି ପୁଲିସର ନିଦ ହଜାଇ ଦେଇଥିବା ପଶ୍ଚିମବଙ୍ଗର ଲୁଟେରା ଗ୍ୟାଙ୍ଗ ପୁଲିସ ହାତରେ ଧରାପଡିଥିବା ବେଳେ ଏବେ ପୁଣି ଡ୍ର ଭଙ୍ଗା ଲୁଟେରାମାନେ ଆତଙ୍କ ସୃଷ୍ଟି କରିଛନ୍ତି । ରାଜଧାନୀର ବ୍ୟବସାୟୀଙ୍କୁ ପୁଲିସ କେତେ ସୁରକ୍ଷା ଦେଇପାରୁଛି ତାକୁ ନେଇ ପ୍ରଶ୍ନ ଉଠିଛି ।