କନକ ବ୍ୟୁରୋ: ବଲାଙ୍ଗୀର ଜାଲ୍ ସାର୍ଟିଫିକେଟ ମାମଲାରେ ରିମାଣ୍ଡ ଶେଷ ହେବା ପରେ ଜେଲ୍ ଗଲେ ୪ ଅଭିଯୁକ୍ତ । କୋଚିଂ ସେଣ୍ଟରରେ ତିଆରି ହେଉଥିଲା ଜାଲ୍ ସାର୍ଟିଫିକେଟ । ମାଷ୍ଟରମାଇଣ୍ଡ ମନୋଜ ମିଶ୍ର ଓ ସହଯୋଗୀ ଆଲୋକ ଉଦ୍ଗାତା ଚଳାଇଥିଲେ କଳାକାରନାମା । ଏମାନଙ୍କ ନେଟୱର୍କରେ ବହୁ ଲୋକଙ୍କ ସଂପୃକ୍ତି ରହିଛି । ବଲାଙ୍ଗୀର ଜିଲ୍ଲା ସମେତ ପଡ଼ୋଶୀ ଜିଲ୍ଲାରୁ ନେଇ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଲିଙ୍କ୍ ଅଛି । ଏପରିକି ରାଜ୍ୟ ବାହାରକୁ ବି ଲିଙ୍କ୍ ରଖି ବର୍ଷ ବର୍ଷ ହେଲା ନକଲି ସାର୍ଟିଫିକେଟ କାରବାର ଚାଲିଥିଲା ।

Advertisment

ମନୋଜ ନିଜ ନେଟୱର୍କରେ ଥିବା ବହୁ ବ୍ୟକ୍ତିଙ୍କ ନାଁ କ୍ରାଇମବ୍ରାଂଚକୁ ଦେଇଛନ୍ତି । ତିନି ଦିନିଆ ରିମାଣ୍ଡରେ ମାଷ୍ଟରମାଇଣ୍ଡ ମନୋଜ ଓ ସହଯୋଗୀ ଆଲୋକଙ୍କ ପାଖରୁ ଏଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଛି କ୍ରାଇମବ୍ରାଂଚ ଟିମ୍ । ଶନିବାର ମନୋଜ, ଆଲୋକ ସମେତ ଦୁଇ ଆବେଦନକାରୀ ତ୍ରିବିହାରୀ ପଣ୍ଡା, ପରେଶ ବୁଡ଼େକଙ୍କ ତିନି ଦିନିଆ ରିମାଣ୍ଡ ଅବଧି ସରିବା ପରେ ସେମାନଙ୍କୁ ମାଜିଷ୍ଟ୍ରେଟଙ୍କ ଆଗରେ ହାଜର କରାଇ ପୁଣି ବିଚାରବିଭାଗୀୟ ଜେଲ୍ ହାଜତକୁ ପଠାଇଛି । କ୍ରାଇମବ୍ରାଂଚ ଡିଏସ୍ପି ଦେବବ୍ରତ ଚକ୍ର କହିଛନ୍ତି, ଏହା ଏକ ବଡ଼ ମାମଲା । ବର୍ଷ ବର୍ଷ ହେଲା ଏ କାରବାର ଚାଲିଥିଲା । ବହୁ ତଥ୍ୟ ଆମକୁ ରିମାଣ୍ଡ ସମୟରେ ମିଳିଛି । ତଥ୍ୟ ଆଧାରରେ ଆଗକୁ କାମ କରିବୁ । ଆଗକୁ ଗିରଫଦାରୀ ବଢ଼ିବ ବୋଲି ସେ ସୂଚନା ଦେଇଛନ୍ତି । ସେପଟେ ଜାଲିଆତିର ଚେର ଏତେ ଲମ୍ବିଛି ଯେ ତାହା ଏବେ ତଦନ୍ତକାରୀ କ୍ରାଇମବ୍ରାଂଚ ଟିମର ନିଦ ହଜାଇ ଦେଇଛି । ମାଷ୍ଟରମାଇଣ୍ଡ ମନୋଜ କୁମାର ମିଶ୍ର ଲିଙ୍କରେ ୨୦୦ ରୁ ଉର୍ଦ୍ଧ୍ୱ ସନ୍ଦିଗ୍ଧଙ୍କୁ ଠାବ କରାଯାଇଛି । ଏମାନଙ୍କ ମଧ୍ୟରେ ଶିକ୍ଷା ବିଭାଗ, ଡାକ ବିଭାଗର ଅଧିକାରୀ ଓ କର୍ମଚାରୀଙ୍କ ସମେତ ଆଶାୟୀ ପ୍ରାର୍ଥୀଙ୍କ ନିକଟରେ ସାର୍ଟିଫିକେଟ୍ ପହଁଚାଇବାରେ ସହଯୋଗ କରୁଥିବା ଦଲାଲଙ୍କ ସମ୍ପୃକ୍ତି ରହିଥିବା କ୍ରାଇମବ୍ରାଂଚ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।