ଗଜପତିରେ ୨୦୦ କୋଟିର ବାୟୋ ଫୁଏଲ ଇଥାନଲ୍ ପ୍ରକଳ୍ପ, ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

74

କନକ ବ୍ୟୁରୋ : ଦେଶରେ ବଢୁଥିବା ଇଥାନଲର ଆବଶ୍ୟକତା ଓ ରାଜ୍ୟରେ ନିଯୁକ୍ତି ସୃଷ୍ଟି ନେଇ ରାଜ୍ୟ ସରକାର ତତ୍ପରତା ଦେଖାଇଛନ୍ତି । ଏହି କ୍ରମରେ ଗଜପତି ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ୨୦୦ କୋଟି ଟଙ୍କାର ବାୟୋ ଫୁଏଲ ଇଥାନଲ ପ୍ରକଳ୍ପକୁ ଭର୍ଚୁଆଲ ମୋଡରେ ଶିଳାନ୍ୟାସ କରିଛନ୍ତି ।

ଶିଳ୍ପବିହୀନ ଗଜପତି ଜିଲ୍ଲାର କୋଷ୍ଟାଲ ବାୟୋଟେକ ପ୍ରାଇଭେଟ ଲିମିଟେଡ ପକ୍ଷରୁ ୨୦୦ କୋଟି ଟଙ୍କାର ବାୟୋ ଫୁଏଲ ଇଥାନଲ ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି । ଗାରାବନ୍ଧ ଥାନା ମାରିଙ୍ଗିଡି ଠାରେ ନିର୍ମିତ ହେବାକୁ ଥିବା ଏହି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭଚୁଆଲ ମୋଡରେ ଶିଳାନ୍ୟାସ କରିଛନ୍ତି । ଏହାସହ ସ୍ଥାନୀୟ ଜିଲ୍ଲାପାଳ ଏହି ପ୍ରୋଜେକ୍ଟକୁ ସମ୍ପୂର୍ଣ୍ଣ ସହଯୋଗ କରୁଥିବା ନେଇ କମ୍ପାନୀ ପକ୍ଷରୁ କୁହାଯାଇଛି । ଜିଲ୍ଲାର ପ୍ରଥମ ମେଗା ଶିଳ୍ପାନୁଷ୍ଠାନ ଭାବେ ପ୍ରସ୍ତାବିତ ଏହି ପ୍ରକଳ୍ପ ପ୍ରତିଷ୍ଠା ଦିଗରେ ଓଡିଶା ଶିଳ୍ପ ବିଭାଗର ମୁଖ୍ୟ ସଚିବ, ଇପକଲ୍ ପରିଚାଳନା ନିର୍ଦ୍ଦେଶ ଓ ଇଡକୋର ଏକଜିକ୍ୟୁଟିଭ ଡାଇରେକ୍ଟର ସହାୟତା ଯୋଗାଇ ଦେଇଥିବା କମ୍ପାନୀ ପକ୍ଷରୁ କୁହାଯାଇଛି । ଜାତୀୟ ବାୟୋ ଫୁଏଲ ନୀତି ମୁତାବକ ଏହି ଶିଳ୍ପ ପ୍ରତିଷ୍ଠା ହେବା ଦ୍ୱାରା ସ୍ଥାନୀୟ ଲୋକଙ୍କୁ ବ୍ୟାପକ ନିଯୁକ୍ତି ମିଳିବା ସହ ଅଞ୍ଚଳବାସୀଙ୍କ ଆର୍ଥିକ ବିକାଶରେ ସହାୟତା ହେବ ବୋଲି କୁହାଯାଇଛି   । ଅନ୍ୟପଟେ ୨୦୨୩ ଜାନୁଆରୀ ମାସ ସୁଦ୍ଧା ଏହି ପ୍ରକଳ୍ପରୁ ଉତ୍ପାଦନ ଆରମ୍ଭ ହେବ ବୋଲି କମ୍ପାନୀ ଆଶା କରିଛି ।