ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୂଳପତିଙ୍କୁ କାହିଁକି ହତ୍ୟାକଲା ପ୍ରବୀଣ ? ଶହେ ଟଙ୍କା ପାଇଁ ଟାଙ୍ଗିଆ ଚୋଟର ଖୋଳତାଳ କରୁ କରୁ ଜଣାପଡ଼ିଲା ସତ

791

କନକ ବ୍ୟୁରୋ : ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୂଳପତିଙ୍କୁ କାହିଁକି ହତ୍ୟାକଲା ଅଭିଯୁକ୍ତ ପ୍ରବୀଣ ଧରୁଆ । ୧୦୦ ଟଙ୍କା ପାଇଁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ପରିବାର ଲୋକଙ୍କ ଅଭିଯୋଗ ପରେ ଅଧିକ ତଦନ୍ତ କରିଥିଲା ପୋଲିସ । ଆଉ ମାଛ ଚୋରି ବିବାଦରୁ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି । ପ୍ରଫେସର ଧ୍ରୁବରାଜ ୩ ବର୍ଷ ତଳେ ଘର ପାଖରେ ଥିବା ନିଜ ପୋଖରୀକୁ ଲିଜ ଆକାରରେ କାଙ୍କମାଲ ଗାଁର ଜଣେ ବ୍ୟକ୍ତିଙ୍କୁ ଦେଇଥିଲେ । ହେଲେ ସର୍ଗିଗୁଡା ଗାଁର ପ୍ରବୀଣ ସହିତ କିଛି ବ୍ୟକ୍ତି ନିୟମିତ ସେହି ପୋଖରିରୁ ମାଛ ଚୋରି କରୁଥିଲେ ।

ଏଥିପାଇଁ ଲିଜ ନେଇଥିବା ବ୍ୟକ୍ତି ଓ ପ୍ରବୀଣଙ୍କ ଭିତରେ କଥା କଟାକଟି ହେଉଥିଲା । ୧୫ ଦିନ ଆଗରୁ ଲିଜ ନେଇଥିବା ବ୍ୟକ୍ତି ପ୍ରବୀଣ ନାଁରେ ଲଇକେରା ଥାନାରେ ଅଭିଯୋଗ କରିଥିଲେ । ପ୍ରବୀଣ ସହିତ ଅନ୍ୟ ଦୁଇଜଣ ମଧ୍ୟ ଏହି ଅଭିଯୋଗରେ ଜେଲ ଯାଇ ଜାମିନରେ ଗାଁକୁ ଫେରିଥିଲେ । ତେବେ ଫ୍ରଫେସର ଧ୍ରୁବରାଜଙ୍କ ଯୋଗୁଁ ସେମାନେ ଜେଲ ଯାଇଥିବା ଅଭିଯୋଗ କରି ତାଙ୍କ ଉପରେ ରାଗ ରଖିଥିଲେ । ସେହି କାରଣରୁ ପ୍ରବୀଣ ଗତକାଲି ପ୍ରଫେସରଙ୍କ ଘରେ ପଶି ଗାଳିଗୁଲଜ କରିବା ପରେ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା ।

ଉଲ୍ଲେଖଯୋଗ୍ୟ ଯେ ଡ. ଧ୍ରୁବରାଜ ନାଏକ ୧୯୩୮ ମସିହା ଜୁନ୍‌ ୧୨ ତାରିଖ ଦିନ ପିତା ସ୍ବର୍ଗତ ହେମସାଗର ନାଏକ ଓ ମାତା ସ୍ବର୍ଗତା ଲାବଣ୍ୟ ଦେବୀଙ୍କ ଔରସରୁ ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକ କୁଅଁରମାଲ ଠାରେ ଜନ୍ମଗ୍ରହଣ କରିଥିଲେ। ଝାରସୁଗୁଡ଼ା ମନମୋହନ ଏମ୍‌ଇ ସ୍କୁଲ, ସୁନ୍ଦରଗଡ଼ ଭବାନୀଶଙ୍କର ହାଇସ୍କୁଲରେ ସ୍କୁଲ ଶିକ୍ଷା ଗ୍ରହଣ କରିଥିଲେ। ଗଙ୍ଗାଧର ମେହେର କଲେଜରୁ ୧୯୬୦ ରେ ବିଏସ୍‌ସି, ବନାରସ ହିନ୍ଦୁ ବିଶ୍ବ ବିଦ୍ୟାଳୟରୁ ୧୯୬୨ରେ ଏମ୍‌ଏସ୍‌ସି ପାସ୍‌ କରିଥିଲେ। ପ୍ରାଣୀ ବିଜ୍ଞାନ ବିଭାଗରେ ସେ ପ୍ରଥମ ଶ୍ରେଣୀରେ ପ୍ରଥମ ହୋଇ ସ୍ବର୍ଣ୍ଣପଦକ ବିଜୟୀ ହୋଇଥିଲେ। ୧୯୬୨ରୁ ୧୯୭୩ ପର୍ଯ୍ୟନ୍ତ ସେ ଓଡ଼ିଶା ସରକାରଙ୍କ ଶିକ୍ଷାସେବାରେ ଅଧ୍ୟାପକ, ପ୍ରାଧ୍ୟାପକ ଭାବରେ କାର୍ଯ୍ୟ କରିଥିଲେ ।

୧୯୭୩ ରୁ ୧୯୯୮ ଉତ୍କଳ ବିଶ୍ବ ବିଦ୍ୟାଳୟରେ ପ୍ରାଧ୍ୟାପକ ଓ ପ୍ରଫେସର। ୧୯୭୯ ରୁ ୧୯୮୦  ମସିହାରେ ସେ ବିଶ୍ବ ବିଦ୍ୟାଳୟ ଅନୁଦାନ ବୃତ୍ତିରେ ଆମେରିକାର ନର୍ଥ କେରୋଲାଇନା ବିଶ୍ବ ବିଦ୍ୟାଳୟରେ ପରିଦର୍ଶକ ବୈଜ୍ଞାନିକ ଭାବରେ ଗବେଷଣା କରିଥିଲେ। ୧୯୯୦ ରୁ ୯୨ ପର୍ଯ୍ୟନ୍ତ ସେ ଟୋକିଓର ଜିଜେଇ ବିଶ୍ବ ବିଦ୍ୟାଳୟରେ ପରିଦର୍ଶକ ପ୍ରଫେସର ଦାୟିତ୍ବ ନିର୍ବାହ କରିଥିଲେ। ୧୯୯୦ ରୁ ୯୨ ଉତ୍କଳ ବିଶ୍ବ ବିଦ୍ୟାଳୟରେ ପ୍ରାଣୀ ବିଜ୍ଞାନ ବିଭାଗ ମୁଖ୍ୟ ଭାବେ ଦାୟିତ୍ବ ନିର୍ବାହ କରିଥିଲେ। ୧୯୯୮ ରୁ ୨୦୦୧ ମସିହା ପର୍ଯ୍ୟନ୍ତ ସମ୍ବଲପୁର ବିଶ୍ବ ବିଦ୍ୟାଳୟର କୁଳପତି ଦାୟିତ୍ବ ନିର୍ବାହ କରି ଅବସର ଗ୍ରହଣ କରିଥିଲେ।