କନକ ବ୍ୟୁରୋ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସବୁବେଳେ କିଛି ନା କିଛି କାରଣ ପାଇଁ ଚର୍ଚ୍ଚାରେ ରହିଥାନ୍ତି । ବିଶେଷକରି ବିଭିନ୍ନ ସମୟରେ ତାଙ୍କର ବୟାନକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥାଏ । ହେଲେ ଏବେ କିନ୍ତୁ ସେ ତାଙ୍କର ନିଆରା ରୋଜଗାରକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଆମେରିକାର ଏହି ପୂର୍ବତନ ରାଷ୍ଟ୍ରପତି, ଆମେରିକାର ସର୍ବୋଚ୍ଚ କ୍ଷମତାଶାଳୀ ପଦରୁ ହଟିବା ପରେ ବି ଏବେ କୋଟି କୋଟି ଡଲାର ରୋଜଗାର କରୁଛନ୍ତି ।
ମିିଡିଆ ରିପୋର୍ଟ ମୁତାବକ, ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକ ତାଙ୍କ ସହ ଫଟୋ ଉଠାଇବାକୁ କିମ୍ବା ସାଙ୍ଗରେ ଚା’ ପିଇବାକୁ ଟଙ୍କା ଦେବାକୁ ପଡିଥାଏ । ମିଳିଥିବା ସୂଚନା ମୁତାବକ ଡୋନାଲ୍ଡ ଟ୍ରମ୍ପ କାହା ସାଥିରେ ଚା’ ପିଇବାକୁ ପ୍ରାୟ ୩୭ ଲକ୍ଷ ଟଙ୍କା ନେଇଥାନ୍ତି । ସେହିପରି ପୂର୍ବତନ ରାଷ୍ଟ୍ରପତିଙ୍କ ସହ ଫଟୋ ଉଠାଇବାକୁ ଜଣେ ବ୍ୟକ୍ତିଙ୍କୁ ୨୨ ଲକ୍ଷ ଟଙ୍କା ଦେବାକୁ ପଡିଥାଏ । ତେବେ ଏହି ଉପାୟରେ ଅର୍ଜନ କରୁଥିବା ଟଙ୍କା ସିଧାସଳଖ ଟ୍ରମ୍ପଙ୍କ ଆକାଉଣ୍ଟକୁ ଯାଇଥାଏ । ଏହି ଟଙ୍କା ଉପରେ ତାଙ୍କ ପାର୍ଟି ରିପବ୍ଲିକାନ୍ ଦଳର କୌଣସି ବି ଅଂଶ ରହିନଥାଏ । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଗତ ବର୍ଷ ଏହି ଉପାୟରେ ଟ୍ରମ୍ପ ମୋଟ ୫୦୬ କୋଟି ଟଙ୍କା ରୋଜଗାର କରିଥିବା ଜଣାପଡିଛି ।
କେବଳ ଟ୍ରମ୍ପ ନୁହଁନ୍ତି, ଆମେରିକାର ଅନ୍ୟ ରାଷ୍ଟ୍ରପତିମାନେ ମଧ୍ୟ ଏହି ଉପାୟରେ କୋଟି କୋଟି ଟଙ୍କା ରୋଜଗାର କରିଥାନ୍ତି । ଏହି ଲିଷ୍ଟରେ ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମାଙ୍କ ସହିତ ବିଲ୍ କ୍ଲିଣ୍ଟନ୍, ଜର୍ଜ ଡବ୍ଲ୍ୟୁ ବୁଶଙ୍କ ନାଁ ମଧ୍ୟ ସାମିଲ ଅଛି । ତେବେ ବାରାକ୍ ଓବାମା ଓ ତାଙ୍କ ପତ୍ନୀ ମିଶେଲ ଓବାମା ଏକ ବହି ଡିଲ୍ କରିଥିଲେ, ଯେଉଁଥିରୁ ତାଙ୍କୁ ପ୍ରାୟ ୪୮୯ କୋଟି ଟଙ୍କା ମିଳିଥିଲା ବୋଲି ସୂଚନା ରହିଛି ।
ଡୋନାଲ୍ଟ ଟ୍ରମ୍ପ ଖାଲି ଏହି ଉପାୟରେ ଟଙ୍କା ରୋଜଗାର କରୁନାହାଁନ୍ତି । ତାଙ୍କର ରୋଜଗାରର ମାଧ୍ୟମ ଅନେକ ରହିଛି । ରାଷ୍ଟ୍ରପତି ହେବା ପୂର୍ବରୁ ସେ ଜଣେ ବ୍ୟବସାୟୀ ଭାବେ ବେଶ ପରିଚିତ ଥିଲେ । ତାଙ୍କର ହୋଟେଲ, ରିୟଲି ଷ୍ଟେଟ୍, ଫାଇନାନ୍ସ ସହିତ ବହୁ ବ୍ୟବସାୟ ବିଦେଶରେ ମଧ୍ୟ ରହିଛି ।
Follow Us