ପରଲୋକରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାମ ଜେଠମଲାନୀ । ୯୫ ବର୍ଷ ବୟସରେ ଦିଲ୍ଲୀ ବାସଭବନରେ ଦେହାନ୍ତ ।

385

କନକ ବ୍ୟୁରୋ : ପରଲୋକରେ ସୁପ୍ରିମକୋର୍ଟର ବରିଷ୍ଠ ଓକିଲ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାମ ଜେଠମଲାନୀ । ୯୫ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଯାଇଛି । ରାମ ଜେଠମଲାନୀ ଦୀର୍ଘ ଦିନରୁ ଅସୁସ୍ଥ ଥିଲେ । ଗତ ସପ୍ତାହେ ହେବ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥାରେ ଅଧିକ ଅବନତି ଦେଖା ଦେଇଥିଲା । ଅସୁସ୍ଥତା କାରଣରୁ ଅଧିକ ଦୁର୍ବଳ ହୋଇଯାଇଥିଲେ । କେନ୍ଦ୍ରରେ ବାଜପେୟୀ ସରକାରରେ ସେ ସହର ବିକାଶ ଓ ଆଇନ ବିଭାଗର ମନ୍ତ୍ରୀ ଥିଲେ । ସେହିପରି ବାର କାଉନସିଲ୍ ଅଫ୍ ଇଣ୍ଡିଆର ଅଧ୍ୟକ୍ଷ ଦାୟିତ୍ୱରେ ମଧ୍ୟ ଥିଲେ ।

ରାମ ଜେଠମଲାନୀଙ୍କ ଦେହାନ୍ତ ଖବର ଆସିବା ପରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି । ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ତାଙ୍କର ଦିଲ୍ଲୀ ସ୍ଥିତ ବାସଭବନରେ ପହଁଚି ଶେଷ ଦର୍ଶନ କରିଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଶୋକ ପ୍ରକାଶ କରିଛନ୍ତି । ବିଭିନ୍ନ ବର୍ଗର ଲୋକ ପହଁଚି ତାଙ୍କ ବାସଭବନରେ ତାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ପ୍ରଦାନ କରୁଛନ୍ତି । ଆଜି ଲୋଧୀ ରୋଡରେ ସଂଧ୍ୟାରେ ତାଙ୍କର ଅନ୍ତିମସଂସ୍କାର କରାଯିବ । ଦେଶର ଅନେକ ବିବାଦୀୟ ମାମଲା ଲଢିଥିଲେ ରାମ ଜେଠମଲାନୀ । ଇନ୍ଦିରା ଗାନ୍ଧିଙ୍କ ହତ୍ୟା ମାମଲା, ଡନ୍ ହାଜି ମସ୍ତାନ୍ ଏବଂ ହର୍ଷଦ ମେହଟା ପରି ମାମଲା ସେ ଲଢିଥିଲେ । ଦେଶରେ ଜଣେ ବିଚକ୍ଷଣ ଓକିଲ ଭାବରେ ତାଙ୍କର ଖ୍ୟାତି ରହିଥିଲା ।